ରାହୁଲଙ୍କ ପ୍ରସଙ୍ଗରେ ବିଜେପିକୁ ନେଇ ତେଜ ପ୍ରତାପଙ୍କ ଭବିଷ୍ୟବାଣୀ, ଜାଣନ୍ତୁ କହିଲେ କ’ଣ ?
25/03/2023 at 5:44 PM

ପାଟନା ୨୫।୩: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମାନହାନୀ ମୋକଦ୍ଦମାରେ ଦୋଷୀ ସାବ୍ୟସ୍ତ କରାଯିବା ପରେ ଅନେକ ନେତା ଓ ବିରୋଧୀ ଦଳ ତାଙ୍କ ସମର୍ଥନରେ ବାହାରିଛନ୍ତି। ଏଥିରେ ବିହାର ଆରଜେଡି ନେତା ତେଜ ପ୍ରତାପ ଯାଦବ ମଧ୍ୟ ତାଙ୍କ ସମର୍ଥନରେ ଆସିଛନ୍ତି। ଏଥିରେ ବିହାର ପରିବେଶ ମନ୍ତ୍ରୀ ତେଜ ପ୍ରତାପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଯେଉଁ ଆସନରେ ବସିଛନ୍ତି ତାହା ୨୦୨୪ ଲୋକସଭା ନିର୍ବାଚନରେ ଦୋହଲି ଯିବ।
ସେ କହିଛନ୍ତି ଯେ ବିଜେପି ଭଲରକମ ଜାଣିଛି ୨୦୨୪ରେ ସେ ପୁଣି ଥରେ କ୍ଷମତାକୁ ଆସୁ ନାହିଁ। ଏଣୁ ଏବେ ଏକଛତ୍ରବାଦକୁ ଏବେ ବିକଳ୍ପ ବାଛି ନେଇଛି। ରାହୁଲଙ୍କୁ ଯେପରି ସଂସଦରୁ ହଟାଗଲା ଏହା ଅତ୍ୟନ୍ତ ନିରାଶାଜନକ। ବିଜେପି ଏବେ କେବଳ କଂଗ୍ରେସ ନୁହେଁ ସବୁ ବିରୋଧୀ ଦଳ ନେତାଙ୍କ ପଛରେ ପଡିଛି। ତେବେ ଜନତା ଉଚିତ ସମୟରେ ଉଚିତ ଜବାବ ଦେବେ ବୋଲି ତେଜ ପ୍ରତାପ କହିଛନ୍ତି। ଲୋକେ ଦେଖୁଛନ୍ତି ବିଜେପି କିପରି ଆମ ପରିବାର ସଦସ୍ୟଙ୍କୁ ରାଜ୍ୟରେ ଟାର୍ଗେଟ କରୁଛି।
ବିଜେପି ଏବେ ବିରୋଧୀ ଏକତାରେ ଡରି ଯାଇଛି। ଏଣୁ ଜଣକ ପରେ ଜଣେ ବିରୋଧୀ ଦଳ ନେତାଙ୍କୁ ଏବେ ଟାର୍ଗେଟ କରୁଛି। ଏଥି ପାଇଁ କେନ୍ଦ୍ର ସରକାର ଜାତୀୟ ଏଜେନ୍ସୀମାନଙ୍କୁ ଦୂରୁପଯୋଗ କରିବାକୁ ମଧ୍ୟ ପଛକୁ ହଟୁ ନାହାନ୍ତି। ସିବିଆଇ, ସିଭିସି, ଆଇଟି ଓ ଇଡି ଦ୍ୱାରା ସମ୍ଭବ ନ ହେଲେ କୋର୍ଟଙ୍କ ଦ୍ୱାରା ବିରୋଧୀ ଦଳ ନେତାଙ୍କୁ ବିଜେପି ଦେଶରେ ହଇରାଣ କରୁଛି। ଯାହାର ଏବେ ସଦ୍ୟତମ ଉଦାହରଣ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ବୋଲି ତେଜପ୍ରତାପ କହିଛନ୍ତି।