ଆସନ୍ତାବର୍ଷରୁ ଆଞ୍ଚଳିକ ଭାଷାରେ ପାଠ ପଢ଼ିବେ ଇଞ୍ଜିନିୟରିଂ ଶିକ୍ଷାର୍ଥୀ, IIT ଏବଂ NITରେ ବି ସମାନ ନିୟମ

Published By : Prameya-News7 Bureau | November 27, 2020 IST

ନୂଆଦିଲ୍ଲୀ ୨୭/୧୧:  ଆସନ୍ତା  ଶିକ୍ଷାବର୍ଷରୁ ନିଜ ମାତୃଭାଷାରେ ବୈଷୟିକ ଶିକ୍ଷା କରିପାରିବେ ଛାତ୍ରଛାତ୍ରୀ। ଏପରିକି  ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଓ ଏନଆଇଟିରେ ମଧ୍ୟ ଛାତ୍ରଛାତ୍ରୀ ନିଜ ଆଞ୍ଚଳିକ ଭାଷାରେ ଶିକ୍ଷା ଲାଭ କରିପାରିବେ। ଏନେଇ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିୟାଲ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

ମାତୃଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଏନେଇ କିଛି ଏନଆଇଟି ଓ ଆଇଆଇଟିକୁ ତାଲିକାଭୁକ୍ତ କରାଯାଇଥିବା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାକରୀ କହିଛନ୍ତି। ଏହା ସହ ସ୍କୁଲ୍‌ ଶିକ୍ଷା ବୋର୍ଡର ପାଠ୍ୟକ୍ରମ ଆକଳନ ପରେ ପ୍ରତିଯୋଗିତା ମୂଳକ ପରୀକ୍ଷା ନିମିତ ସିଲାବସ୍‌ ପାଇଁ ଜାତୀୟ ପରୀକ୍ଷଣ ଏଜେନ୍ସି (ଏନଟିଏ) ସହଯୋଗ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ସମସ୍ତ ଛାତ୍ରବୃତ୍ତି ସୁନିଶ୍ଚିତ କରିବା ପାଇଁ ୟୁଜିସିକୁ ନିର୍ଦେଶ ଦିଆଯାଇଛି। ଏହା ସହ ସଠିକ୍‌ ସମୟରେ ଫେଲୋସିପ୍‌ ବିତରଣ କରିବା ସହ ଏନେଇ ଛାତ୍ରଛାତ୍ରୀ ଅସୁବିଧାରେ ପଡ଼ିଲେ ସେମାନଙ୍କ ପାଇଁ ଅଭିଯୋଗ ପାଇଁ ହେଲ୍ପ ଲାଇନ୍‌ ନମ୍ବର ଜାରି କରିବାକୁ ମନ୍ତ୍ରାଳୟ ନିର୍ଦେଶ ଦେଇଛି।

ଗତମାସ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୯ଟି ଆଞ୍ଚଳିକ ଭାଷାରେ ୨୦୨୧ଠୁ ଜେଇଇ ମେନ୍‌ ପରୀକ୍ଷା କରିବାକୁ ଘୋଷଣା କରିଥିଲା ଏନଟିଏ।  ଜେଇଇ ଆଡଭାନ୍ସ ଆଞ୍ଚଳିକ ଭାଷାରେ ହେବାକୁ ଥିବା ବେଳେ ଆଇଆଇଟିରେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସେପଟେ କରୋନା କାଳରେ ବିଭିନ୍ନ ବୋର୍ଡ ସ୍କୁଲ୍‌ ପାଠ୍ୟକ୍ରମ ହ୍ରାସ କରିଛନ୍ତି। ତେଣୁ ଏଭଳି ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ସମୟରେ ସିବିଏସଇ ଓ ସିଆଇଏସ୍‌ସିଇରେ ପାଠ୍ୟକ୍ରମ ସ୍ଥାନୀୟ ଭାଷାରେ କରିବାକୁ ଯୋଜନା ନିଆଯିବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.