ବାରବାଟୀ ଲଢେଇ: ଟି-୨୦ରେ କଟକରେ ଟିମ୍ ଇଣ୍ଡିଆର ରେକର୍ଡ ଖରାପ, ୭ ବର୍ଷ ପୂର୍ବେ ଦ. ଆଫ୍ରିକା ଦେଇଥିଲା ମାତ୍
11/06/2022 at 11:20 PM

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଏହି ମଇଦାନରେ ଦ୍ଵିତୀୟ ଥର ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ଜିତି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।
ଭାରତୀୟ ଦଳର କଟକ ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରେକର୍ଡ ବହୁତ ଖରାପ ରହିଛି। ଦୁଇ ଦଳ ମଧ୍ୟରେ ଏହି ମଇଦାନରେ ଗୋଟିଏ ଟି-୨୦ ମୁକାବିଲା ଖେଳାଯାଇଛି। ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍ରେ ବିଜୟୀ ହୋଇଛି। ପୂର୍ବରୁ କଟକରେ ଦୁଇ ଦଳ ମଧ୍ୟରେ ୨୦୧୫ ଅକ୍ଟୋବର ୫ରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୧୭.୨ ଓଭରରେ କେବଳ ୯୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୭.୧ ଓଭରରେ ୪ ଓ୍ଵିକେଟ୍ ହରାଇ ୯୬ ରନ କରି ମ୍ୟାଚ୍ ଜିତିଥିଲା। ପ୍ରାୟ ସାତ ବର୍ଷ ପରେ ଦୁଇ ଦଳ ପୁଣି ଥରେ ଏହି ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।
କଟକରେ ଖେଳା ଯାଇଛି ମୋଟ୍ ଦୁଇଟି ଟି-୨୦
କଟକରେ ଏ ପର୍ଯ୍ୟନ୍ତ ମୋଟ୍ ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମୁକାବିଲା ଖେଳା ଯାଇଛି। ଗୋଟିଏ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଥିବା ବେଳେ ଦ୍ଵିତୀୟ ମୁକାବିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨୦୧୭ ଡିସେମ୍ବର ୨୦ରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ ୯୩ ରନରେ ହରାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୩ ଓ୍ଵିକେଟ୍ ହରାଇ ୧୮୦ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ୮୭ ରନରେ ଅଲଆଉଟ୍ ହୋଇଥିଲା।
ବାରବାଟୀରେ ଟି-୨୦ ରେକର୍ଡ
୨୦୧୫ ଅକ୍ଟୋବର ୫, ଦକ୍ଷିଣ ଆଫ୍ରିକା ଭାରତକୁ ୬ ଓ୍ଵିକେଟ୍ରେ ହରାଇଥିଲା।
୨୦୧୭ ଡିସେମ୍ବର ୨୦, ଭାରତ ଶ୍ରୀଲଙ୍କାକୁ ୯୩ ରନରେ ହରାଇଥିଲା।