ନୂଆଦିଲ୍ଲୀ ୧୮/୧୧ : ଭାରତୀୟ କ୍ରିକେଟ ଏବେ ନୂଆ ଇନିଂସ ଆରମ୍ଭ କରିଛି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ପୂରଣ ହେବାପରେ ତାଙ୍କ ସ୍ଥାନରେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଭାର ଗ୍ରହଣ କରିଛନ୍ତି ‘ଦି ଓ୍ବାଲ ଅଫ୍ କ୍ରିକେଟ’ ରାହୁଲ ଦ୍ରାବିଡ । ତେବେ ଦ୍ରାବିଡଙ୍କ ମାର୍ଗଦର୍ଶନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଜିତିଛି ଟିମ ଇଣ୍ଡିଆ । କିଓ୍ବି ଟିମକୁ ଭାରତ ୫ ଓ୍ବିକେଟରେ ପରାସ୍ତ କରିଛି । ଏହାରି ମଧ୍ୟରେ ବଡ ଖୁଲାସା କରିଛନ୍ତି ଅେଷ୍ଟ୍ରଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ।
ପଣ୍ଟିଂ କହିଛନ୍ତି, ଭାରତୀୟ ଟିମର ମୁଖ୍ୟ କୋଚ୍ ହେବା ପାଇଁ ଅଫର ମିଳିଥିଲା । ଗତ ଆଇପିଏଲ ସିଜିନ୍ ସମୟରେ ଭାରତୀୟ ପୁରୁଷ କ୍ରିକେଟ ଟିମର ମୁଖ୍ୟ କୋଚ୍ ପଦ ଦିଆଯାଇଥିଲା । କିନ୍ତୁ କାର୍ଯ୍ୟଭାର କାରଣରୁ ଏହି ପ୍ରସ୍ତାବକୁ ସ୍ବୀକାର କରିନଥିଲେ ପଣ୍ଟିଂ । ସେ ଏହା ମଧ୍ୟ କହିଛନ୍ତି ଯେ, ‘ଏମିତିରେ ମୋତେ ବର୍ଷକୁ କେବଳ ଭାରତରେ ୩୦୦ ଦିନ ରହିବାକୁ ପଡୁଛି । ଭାରତୀୟ ଦଳର କିଛି ବ୍ୟକ୍ତିଙ୍କ ସହ ମୁଖ୍ୟ କୋଚ୍ ହେବା ନେଇ ଆଲୋଚନା ହୋଇଥିଲା । କିନ୍ତୁ କାର୍ଯ୍ୟ ବ୍ୟସ୍ତତା କାରଣରୁ ଏହା ସମ୍ଭବପର ହୋଇନଥିଲା ।’
ରିକି ପଣ୍ଟିଂ କହିଛନ୍ତି, ‘ଯଦି ମୁଖ୍ୟ କୋଚ୍ ପ୍ରସ୍ତାବକୁ ମୁଁ ଗ୍ରହଣ କରିନେଇଥାନ୍ତି ତେବେ ଆଇପିଏଲ ଛାଡିବାକୁ ପଡିଥାନ୍ତା । ଏହା ସହିତ ଚ୍ୟାନେଲ ୭ରୁ ମଧ୍ୟ ଅଳଗା ହେବାକୁ ପଡିଥାନ୍ତା । ସେଥିପାଇଁ ବାଧ୍ୟ ହୋଇ ମନାକରିବାକୁ ପଡିଥିଲା ।’ ପଣ୍ଟିଂ ଆଇପିଏଲ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଯେଉଁଥିପାଇଁ ୨୦୧୯ ପରଠାରୁ ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ଭାବେ ପ୍ଳେ ଅଫ୍ରେ ପ୍ରବେଶ କରୁଛି । କେବଳ ସେତିକି ନୁହେଁ ୨୦୨୦ରେ ଫାଇନାଲରେ ମଧ୍ୟ ପ୍ରବେଶ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।