ରାଞ୍ଚି ଟେଷ୍ଟରେ ମାତ୍ ଖାଇଲା ଇଂଲଣ୍ଡ; ୫ ଓ୍ବିକେଟରେ ବିଜୟୀ ଭାରତ

Published By : Prameya-News7 Bureau | February 26, 2024 IST

ରାଞ୍ଚି : ରାଞ୍ଚି ଟେଷ୍ଟରେ ଭାରତର ଦମଦାର ବିଜୟ।  ବ୍ରିଟିଶ୍ ବାହିନୀକୁ ୫ ଓ୍ବିକେଟରେ ମାତ୍ ଦେଲା ଟିମ୍ ଇଣ୍ଡିଆ । ପାଞ୍ଚ ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜରେ ୩-୧ରେ ଆଗୁଆ ରହିଛି ଭାରତ । ଏହା ସହିତ ଟିମ୍ ଇଣ୍ଡିଆ ଶେଷ ମ୍ୟାଚ୍ ପୂର୍ବରୁ ସିରିଜ୍ କବଜା କରିଛି । ଚତୁର୍ଥ ଟେଷ୍ଟର ଦ୍ବିତୀୟ ଇନିଂସରେ ଭାରତୀୟ ସ୍ପିନର କମାଲ୍ ବୋଲିଂ କରିଛନ୍ତି । ସେହିପରି ଅଧିନାୟକ ରୋହିତ୍ ଶର୍ମା, ଶୁବମନ ଗିଲ୍, ଧ୍ରୁବ ଜୁରେଲ୍ ଓ ଯଶସ୍ବୀ ଜୈସ୍ବାଲ୍ ଲଢ଼ୁଆ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଏହା ମ୍ୟାଚକୁ ସହଜରେ ଜିତି ନେଇଛି । ପ୍ଲେୟାର ଯୁବ ଅଫ୍ ଗି ମ୍ୟାଚ୍ ତାରକା ଧ୍ରୁବ ଜୁରେଲ ହୋଇଛନ୍ତି ।    

ଦ୍ବିତୀୟ ଇଂନିସ ରୋହିତ୍ ବାହିନୀ ସାମ୍ନାରେ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ଅଧିନାୟକ ରୋହିତ୍ ଶର୍ମା ଓ ଯଶସ୍ବୀ ଜୈସ୍ବାଲ ଓପନିଂ ପାଳି ସମ୍ଭାଳିଥିଲେ । ପ୍ରାରମ୍ଭରୁ ଇଂଲିଶ ବୋଲରଙ୍କୁ ପ୍ରହାର କରିଥିଲେ ଦୁଇ ଓପନର । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ କୌଣସି ଓ୍ବିକେଟ୍ ନହରାଇ ୪୦ ରନ୍ ସଂଗ୍ରହ କରିଥିଲା । ସେହିପରି ଚତୁର୍ଥ ଦିନ ଏହି ସ୍କୋରକୁ ଦ୍ରୁତ ଗତିରେ ବଢାଇବାକୁ ଚେଷ୍ଟା କରିଥିଲେ ଦୁଇ ବ୍ୟାଟର । ମାତ୍ର ବଡ ସଟ୍ ଖେଳିବା ଲକ୍ଷ୍ୟରେ ଜୈସ୍ବାଲ ନିଜ ଓ୍ବିକେଟ୍ ହରାଇଥିଲେ । ପରେ ରୋହିତ୍ ଶର୍ମା ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେ ମଧ୍ୟ ବଡ଼ ସଟ୍ ଖେଳିବା ବେଳେ ଷ୍ଟମ୍ପ ଆଉଟ୍ ହୋଇଥିଲେ । ଏହା ପରେ ଲଗାତାର ଟିମ୍ ଇଣ୍ଡିଆର ତିନୋଟି ଓ୍ବିକେଟ୍ ପଡିଥିଲା । ଫଳରେ କିଛି ସମୟରେ ଭାରତୀୟ ଦଳ ଫଶି ଯାଇଥିଲା । ପରେ ପାଳିକୁ ସମ୍ଭାଳି ନେଇଥିଲେ ଶୁବମନ ଗୀଲ୍ ଏବଂ ଯୁବ ତାରକା ଧ୍ରୁବ ଜୁରେଲ୍ । ଦୁଇ ବ୍ୟାଟର ଚମତ୍କାର ବ୍ୟାଟିଂ କରି ଭାରତକୁ ବିଜୟୀ ଦେଇଛନ୍ତି । ଶୁବମନ ଗୀଲ୍ ଅର୍ଦ୍ଧଶତକ ଖେଳିଥିଲେ । ସେହିପରି ଧ୍ରୁବ ଜୁରେଲ୍ ୩୯ ରନ୍ ସଂଗ୍ରହ କରିଥିଲେ । ଇଂଲଣ୍ଡ ପକ୍ଷରୁ ସୋଏବ୍ ବସିର୍ ସର୍ବାଧିକ ୩ଟି ଓ୍ବିକେଟ୍ ନେଇଛନ୍ତି ।

ପ୍ରାରମ୍ଭରୁ ଖେଳ ଉପରେ ନଜର ପକାଇଲେ, ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା ବ୍ରିଟିସ୍ ବାହିନୀ । ପ୍ରଥମ ଇନିଂସ ଦଳ ୩୫୩ ରନ୍‌ ସଂଗ୍ରହ କରିିଥିଲା । ଏହାର ଜବାବରେ ଭାରତ  ପ୍ରଥମ ଇନିଂସରେ ସମସ୍ତ ୱିକେଟ୍‌ ହରାଇ ୩୦୭ ରନ୍‌ କରିଥିଲା ।  ଭାରତ ପକ୍ଷରୁ ଧ୍ରୁବ ଜୁରେଲ୍ ୯୦ରନର ସଂଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ । ୪୬ ରନ୍‌ରେ ଅଗ୍ରଣୀ ହାସଲ କରି ଇଂଲଣ୍ଡ ସିରିଜକୁ ଫେରିବା ପାଇଁ ପ୍ରସ୍ତୁତ ହୋଇଥିଲା । ମାତ୍ର ଅଶ୍ୱିନ ଓ କୁଲଦୀପଙ୍କ ସ୍ପିନ୍‌ ବୋଲିଂ ବଳରେ ମ୍ୟାଚ୍‌ ଦିଗ ବଦଳାଇଥିଲା । ଇଂଲଣ୍ଡ  ଅକ୍ତିଆରରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ ଦୁଇ ସ୍ପିନର । ଭ୍ରମଣକାରୀ  ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୪୫ ରନ୍‌ କରି ଅଲ୍‌ ଆଉଟ୍‌  ହୋଇଯାଇଥିଲା । ଅଶ୍ୱିନ ୫ ୱିକେଟ୍‌ ନେଇ ଅନୀଲ କୁମ୍ବଲେଙ୍କ  ରେକର୍ଡ ସହ ସମକକ୍ଷ ହୋଇଥିଲେ । କୁଲଦୀପଙ୍କ ୪ଟି ୱିକେଟ୍‌ ନେଇଥିଲେ । ୧୯୨ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ୫ଓ୍ବିକେଟ୍ ହରାଇ ଲକ୍ଷ୍ୟକୁ ହାସ କରିନେଇଛି । ୫ଟି ମ୍ୟାଚ୍ ବିଶିଷ୍ଟ ସିରିଜକୁ ଶେଷ ମ୍ୟାଚ ପୂର୍ବରୁ ୩-୧ରେ ଭାରତ କବଜା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.