ଟି-୨୦ ବିଶ୍ଵକପ୍ ପାଇଁ ଏହି ଦିନ ଘୋଷଣା ହେବ ଭାରତୀୟ ଦଳ, ଏମିତି ରହିପାରେ ୧୫ ଜଣିଆ ଟିମ୍

Published By : Prameya-News7 Bureau | April 20, 2024 IST

abp live

ନୂଆଦିଲ୍ଲୀ: ଜୁନ ୧ରୁ ଆମେରିକା ଓ ଓ୍ଵେଷ୍ଟଇଣ୍ଡିଜରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ଵକପ୍। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ନିଜ ଖେଳାଳି ଘୋଷଣା କରିବାର ଅନ୍ତିମ ତାରିଖ ମେ ୧ ତାରିଖ ରହିଛି। ଭାରତୀୟ ଦଳ ଉପରେ ସଭିଙ୍କ ନଜର ରହିଛି। କେଉଁ ୧୫ ଜଣ ଖେଳାଳିଙ୍କୁ ନେଇ ଦଳ ବିଶ୍ଵକପ୍ ଖେଳିବ ସେ ନେଇ ଅନେକ ପ୍ରକାରର ଆକଳନ କରାଯାଉଛି। ଏହି କ୍ରମରେ କିଛି ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଶୀଘ୍ର ଖେଳାଳି ଚୟନ ପାଇଁ ବୈଠକ କରିବାକୁ ଯାଉଛନ୍ତି ଏବଂ ଏହା ପରେ ଭାରତୀୟ ଦଳ ଘୋଷଣା କରାଯିବ।

ଦୈନିକ ଜାଗରଣର ରିପୋର୍ଟ ଅନୁଯାୟୀ, ସମସ୍ତ ଚୟନକର୍ତ୍ତା ଏପ୍ରିଲ ୨୭ କିମ୍ବା ୨୮ରେ ଦିଲ୍ଲୀରେ ବୈଠକ କରି ପାରନ୍ତି। ଏପ୍ରିଲ ୨୭ରେ ଦିଲ୍ଲୀରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ରହିଛି। ଏମିତିରେ ରୋହିତ ଶର୍ମା ମଧ୍ୟ ଦିଲ୍ଲୀରେ ଥିବେ। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବର୍ତ୍ତମାନ ସ୍ପେନରେ ଛୁଟି ମନାଉଛନ୍ତି। ସେ ୨୭ କିମ୍ବା ୨୮ ତାରିଖରେ ଦିଲ୍ଲୀରେ ପହଞ୍ଚିବେ ଏବଂ ସିଧାସଳଖ ବୈଠକରେ ଯୋଗ ଦେବେ।

Also read: T20 World Cup ପୂର୍ବରୁ ଫିଟ୍ ହୋଇଯିବେ ମହମ୍ମଦ ଶାମି ? ଭିଡିଓ ସେୟାର କରି ଦେଲେ ବଡ଼ ମେସେଜ୍

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡ଼େଜା, ଋଷଭ ପନ୍ତ, ଅର୍ଶଦୀପ ସିଂ, କୁଲଦୀପ ଯାଦବ ଓ ମହମ୍ମଦ ସିରାଜଙ୍କୁ ବିଶ୍ଵକପ୍ ଦଳରେ ସ୍ଥାନ ମିଳିବା ସୁନିଶ୍ଚିତ। ଏହି ସବୁ ଖେଳାଳି ଫିଟ୍ ଥିଲେ ବିଶ୍ଵକପ୍ ନିଶ୍ଚୟ ଖେଳିବେ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳରେ ସ୍ଥାନ ମିଳିବା ନେଇ ଆଶଙ୍କା ରହିଛି। ପାଣ୍ଡ୍ୟାଙ୍କ ବିଶ୍ଵକପ୍ ଖେଳିବା ତାଙ୍କର ଆଇପିଏଲ୍‌ରେ ପ୍ରଦର୍ଶନ ଉପରେ ନିର୍ଭର କରେ ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।

ଟି-୨୦ ବିଶ୍ଵକପ୍ ୨୦୨୪ରେ ୨୦ଟି ଦଳ ଅଂଶଗ୍ରହଣ କରିବେ। ୫ଟି ଲେଖାଏଁ ଦଳକୁ ୪ ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତୀୟ ଦଳ ଏ ଗ୍ରୁପରେ ରହିଥିବା ବେଳେ ଏଥିରେ ପାକିସ୍ତାନ, ୟୁଏସଏ, କାନାଡା ଓ ଆୟରଲାଣ୍ଡ ସାମିଲ। ଭାରତ ଜୁନ ୫ରେ ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍‌ରୁ ନିଜର ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ। ଜୁନ ୯ରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ସହ ଭାରତର ମହାମୁକାବିଲା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.