କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ପେଲେଙ୍କୁ କୋଲକାତାରେ ଶ୍ରଦ୍ଧାଞ୍ଜଳି ଦେବ ଟିମ୍ ଇଣ୍ଡିଆ
11/01/2023 at 11:15 PM

କୋଲକାତା: ବ୍ରାଜିଲ୍ର ମହାନ ତଥା କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ପେଲେଙ୍କୁ ଭାରତୀୟ ଦଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ୨୦୨୨ ଡିସେମ୍ବର ୨୯ରେ ପେଲେଙ୍କ ପରଲୋକ ଘଟିଥିଲା। ଆସନ୍ତାକାଲି କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଦ୍ଵିତୀୟ ଦିନିକିଆରେ ଭାରତୀୟ ଦଳ ପେଲେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍ ସମୟରେ ଭାରତୀୟ ଖେଳାଳି କଳା ପଟି ବାନ୍ଧି ପଡିଆକୁ ଓହ୍ଲାଇବେ।
ବ୍ରାଜିଲ୍ର ମହାନ ଫୁଟବଲ୍ର ପେଲେଙ୍କ ଭାରତରେ ବହୁତ ପ୍ରଶଂସକ ଅଛନ୍ତି। ବିଶେଷ କରି କୋଲକାତାକୁ ଭାରତର ଫୁଟବଲ୍ ରାଜଧାନୀ ଭାବେ ବିବେଚନା କରାଯାଏ। ୧୯୭୭ରେ ଭାରତର ସବୁଠୁ ବଡ ଷ୍ଟାଡିୟମ ମଧ୍ୟରୁ ଏକ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ପ୍ରସିଦ୍ଧ ମୋହନ ବାଗାନ ନ୍ୟୁୟର୍କ କସମସ୍ ଫୁଟବଲ୍ ମ୍ୟାଚ୍ରେ ପେଲେ ବି ଖେଳିଥିଲେ। ସେ ଆମେରିକା କ୍ଲବ୍ ପକ୍ଷରୁ ମଇଦାନକୁ ଓହ୍ଲାଇଥିଲେ। ତାଙ୍କ କହିବାନୁସାରେ ହିଁ ଓଦା ପଡିଆରେ ମ୍ୟାଚ୍ର ଆୟୋଜନ ହୋଇଥିଲା।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ଵିତୀୟ ମ୍ୟାଚ୍ରେ ପେଲେଙ୍କ କ୍ରୀଡା କୌଶଳର ଫୁଟେଜ୍ ଇଡେନ ଗାର୍ଡେନ୍ସରେ ବିଶାଳ ସ୍କ୍ରିନରେ ପ୍ରଦର୍ଶିତ କରାଯିବ। ୮୦ ହଜାର ବିଶିଷ୍ଟ ଷ୍ଟାଡିୟମରେ ବେଙ୍ଗଲ କ୍ରିକେଟ୍ ଆସୋସିଏସନ ଦ୍ଵାରା ମ୍ୟାଚ୍ ମଝିରେ ଏକ ଲେଜର ଶୋର ଆୟୋଜନ କରାଯିବ। ପେଲେ ତିନି ଥର ଭାରତ ଯାତ୍ରା କରିଛନ୍ତି। ଥରୁଟିଏ ମ୍ୟାଚ୍ ଖେଳିବା ପାଇଁ ଏବଂ ଅନ୍ୟ ଦୁଇ ଥର କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବାକୁ ଭାରତ ଗସ୍ତରେ ଆସିଥିଲେ।