ଭାରତୀୟ କ୍ରିକେଟ୍ ଟିମ୍‌ରେ ବିରାଟ କୋହଲିଙ୍କୁ ବିରୋଧ, ଅଧିନାୟକ ପଦରୁ ହଟାଇବାକୁ ଦାବି !

Published By : Prameya-News7 Bureau | July 23, 2019 IST

ମୁମ୍ବାଇ ୨୩|୭: ଭାରତୀୟ କ୍ରିକେଟ୍ ଟିମ୍ ଆସନ୍ତା ମାସରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଉଛି । ସେଠାରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ ଟିମ୍ ଟି-୨୦, ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ ଖେଳିବ ।  ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ଅଧିନାୟକତ୍ବକୁ ନେଇ କିଛି ଖବର ଏବେ ଚର୍ଚ୍ଚା ହେଉଛି ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତୀୟ ଟିମ୍ ରେ ଖେଳାଳିଙ୍କ ମଧ୍ୟରେ ତାଳମେଳ ଠିକ୍ ନାହିଁ । ଭାରତୀୟ ଟିମ୍ ର ଅଧିନାୟକ ବିରାଟ କୋହଲି ଏବଂ ଉପ-ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ବିଶ୍ବକପ୍ ୨୦୧୯ ବେଳେ ହିଁ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିଲା । ଏ ଖବରକୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଚପାଇବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିଥିଲା । ମାତ୍ର ବିଶ୍ବକପ୍ ସେମିଫାଇନାଲରେ ଭାରତ ହାରିବା ପରେ ଏ ଖବର ଡ୍ରେସିଂ ରୁମ୍ ରୁ ବାହାରି ବାହାରେ ଚର୍ଚ୍ଚା ହେବାରେ ଲାଗିଛି।

ରିପୋର୍ଟ ଅନୁସାରେ ଭାରତୀୟ ଟିମ୍ ବିଶ୍ବକପ୍ ରେ ଦୁଇ ଭାଗରେ ବିଭକ୍ତ ହୋଇ ଖେଳିଥିଲା । ଗୋଟିଏ ଗ୍ରୁପ ବିରାଟ କୋହଲିଙ୍କର ଥିବାବେଳେ ଅନ୍ୟଟି ରୋହିତ ଶର୍ମାଙ୍କର ଥିଲା । ରୋହିତ ଶର୍ମାଙ୍କ ଗ୍ରୁପର ଖେଳାଳିମାନଙ୍କୁ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ନିଷ୍ପତ୍ତି ପସନ୍ଦ ଆସୁନଥିଲା ।

ସେମିଫାଇନାଲରେ ହାରିବା ପରେ ରୋହିତ ଶର୍ମାଙ୍କ ଗ୍ରୁପ୍ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ମଧ୍ୟ କହିଥିଲେ । ବିରାଟ କୋହଲି ଏପର୍ଯ୍ୟନ୍ତ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିନାହାନ୍ତି । ବୋଲିଂ କୋଚ୍ ଭରତ ଅରୁଣ ମଧ୍ୟ ସ୍ବୀକାର କରିଥିଲେ ଯେ, କିଛି ଖେଳାଳି ଏକ ଟିମ୍ ଭାବେ କାମ କରୁଛନ୍ତି । ମାତ୍ର ବାଦ-ବିବାଦରେ ଏଭଳି ହୋଇଥାଏ ବୋଲି ସେ କହିଥିଲେ ।

ବିଶ୍ବକପ୍ ପରେ ବିସିସିଆଇ ଆଗରେ ଟେଷ୍ଟ ପାଇଁ ଅଲଗା ଏବଂ ଏକଦିବସୀୟ ଓ ଟି-୨୦ ଫର୍ମାଟ ପାଇଁ ଅଲଗା ଭାବେ ଅଧିନାୟକ ଚୟନ କରାଯିବା ପାଇଁ ଦାବି ଉଠିଥିଲା । ବିସିସିଆଇର କିଛି ଅଧିକାରୀ ରୋହିତ ଶର୍ମାଙ୍କୁ ଏକଦିବସୀୟ ଟିମ୍ ର ଅଧିନାୟକ କରିବାକୁ ମଧ୍ୟ କହିବା ଆରମ୍ଭ କରିଥିଲେ । ମାତ୍ର ଏସବୁ ଭିତରେ ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ସବୁ ଫର୍ମାଟରେ ଖେଳିବାକୁ ଘୋଷଣା କରିଦେଲେ । ରିପୋର୍ଟ ଅନୁଯାୟୀ ବିରାଟ କୋହଲିଙ୍କର ପ୍ରଥମେ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଯିବାର ନଥିଲା ମାତ୍ର ପରେ ସେ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଯିବାର ନିଷ୍ପତ୍ତି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.