ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷରେ ଭାରତ, କ୍ଷତିରେ ବିରାଟ କୋହଲି, ୪ ଇନିଂସରୁ କରିଛନ୍ତି ମାତ୍ର ୩୮ ରନ

Published By : Prameya-News7 Bureau | March 03, 2020 IST

ଦୁବାଇ ୦୩।୦୩- ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ୦-୨ରେ ହାରିବା ପରେ ବି ଭାରତୀୟ ଦଳ ମଙ୍ଗଳବାର ଆଇସିସି ଦ୍ଵାରା ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ନିଜର ପ୍ରଥମ ସ୍ଥାନ ଜାରି ରଖିଛି। ମାତ୍ର ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ଅଧିନାୟକ କୋହଲିଙ୍କ କ୍ଷତି ଘଟିଛି। ଏହି ଶୃଙ୍ଖଳାରେ ଆଶାନୁରୂପ ପ୍ରଦର୍ଶନ କରିନଥିବା କୋହଲି ମାନ୍ୟତାର ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଭାରତୀୟ ଦଳ ନାମରେ ୧୧୬ ରେଟିଂ ପଏଣ୍ଟ ରହିଛି। ୧୧୦ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଦ୍ଵିତୀୟ ସ୍ଥାନକୁ ଉଠିଥିବ ବେଳେ ବେଳେ ୧୦୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ଆଇସିସି ଟେଷ୍ଟ ଚମ୍ପିଆନସିପରେ ଭାରତୀୟ ଦଳର ଏହା ହେଉଛି ପ୍ରଥମ ଟେଷ୍ଟ ଶୃଙ୍ଖଳା ପରାଜୟ।

ଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଶୃଙ୍ଖଲାରେ ୪ଟି ଇନିଂସରୁ ମାତ୍ର ୩୮ ରନ କରିଥିବା କୋହଲି ବ୍ୟାଟିଂ ମାନ୍ୟତାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ସେ ଶୃଙ୍ଖଳା ପୂର୍ବରୁ ଶୀର୍ଷରେ ଥିଲେ, ମାତ୍ର ପ୍ରଥମ ଟେଷ୍ଟ ପରେ ସେ ଦ୍ଵିତୀୟ ସ୍ଥାନକୁ ଖସି ଆସିଥିଲେ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମ ସ୍ଥାନକୁ ଉଠିଥିଲେ। ସ୍ମିଥ ଏବେ କୋହଲିଙ୍କଠୁ ୨୫ ପଏଣ୍ଟ ଆଗରେ ଅଛନ୍ତି। କୋହଲିଙ୍କ ଖାତାରେ ଏବେ ୮୮୬ ଅଙ୍କ ଥିବା ବେଳେ ସ୍ମିଥ ୯୧୧ ପଏଣ୍ଟ ସହ ଶୀର୍ଷରେ ଅଛନ୍ତି।

{"id":232248,"sizeSlug":"large"}

 ମାନ୍ୟତାରେ ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ ଟମ ବ୍ଲେଣ୍ଡଲ ଏବଂ ଭାରତର ପୃଥ୍ଵୀ ସ ଓ ଦ୍ରୁତ ବୋଲର କାଇଲ ଜେମିସନଙ୍କୁ ଅଧିକ ଫାଇଦା ମିଳିଛି। ବ୍ଲେଣ୍ଡଲ ଶୃଙ୍ଖଳାର ଚାରୋଟି ଇନିଂସରେ ଗୋଟିଏ ଅର୍ଦ୍ଧଶତକ ସହିତ ୧୧୭ ରନ କରିଛନ୍ତି। ସେ ୨୭ଟି ସ୍ଥାନ ଉପରକୁ ଉଠି ୪୬ ତମ ସ୍ଥାନରେ ପହଞ୍ଚିଛନ୍ତି। ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ୫୪ ରନର ଇନିଂସ ଖେଳିଥିବା ପୃଥ୍ଵୀ ସ ୧୭ଟି ସ୍ଥାନ ସୁଧାର ସହିତ ୭୬ ତମ ସ୍ଥାନରେ ପହଞ୍ଚିଛନ୍ତି।

ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ଵିଲିୟମସନଙ୍କୁ ମଧ୍ୟ ଗୋଟିଏ ସ୍ଥାନ କ୍ଷତି ସହିବାକୁ ପଡିଛି। ସେ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଅଷ୍ଟ୍ରେଲିଆର ମାର୍ନସ ଲାବୁସାନେ ତୃତୀୟ ସ୍ଥାନକୁ ଉଠିଛନ୍ତି। ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଶୀର୍ଷ ୧୦ରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଅନ୍ୟପଟେ ମୟଙ୍କ ଅଗ୍ରଓ୍ଵାଲ ୧୦ମ ସ୍ଥାନରୁ ୧୧ତମ ସ୍ଥାନକୁ ଖସି ଆସିଛନ୍ତି।

{"id":232249,"sizeSlug":"large"}

ଚେତେଶ୍ଵର ପୂଜାରା ସପ୍ତମ ଓ ଆଜିଙ୍କ୍ୟ ରାହାଣେ ନବମ ସ୍ଥାନରେ ଅଛନ୍ତି। ଶୃଙ୍ଖଳାରେ ମ୍ୟାନ୍ ଅଫ ଦ ସିରିଜ୍ ରହିଥିବା ଟିମ୍ ସାଉଦି ବୋଲିଂରେ ଶୀର୍ଷ ପାଞ୍ଚରେ ପହଞ୍ଚିଛନ୍ତି। ସେ ମାନ୍ୟତାରେ ଦୁଇଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଡ ଚାରୋଟି ଚାରୋଟି ସ୍ଥାନ ସୁଧାର ସହିତ କ୍ରମଶଃ ସପ୍ତମ ଓ ନବମ ସ୍ଥାନକୁ ଉଠିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.