ଟି-୨୦ ବିଶ୍ୱକପ୍ କ୍ରିକେଟ୍; ଭାରତୀୟ ଟିମ୍‌ରେ ଅନେକ ଦାବିଦାର, ୧୫ ଜଣିଆ ଦଳରେ ଏହି ଖେଳାଳି ସାମିଲ୍ !

Published By : Prameya-News7 Bureau | April 15, 2024 IST

ମୁମ୍ବାଇ:  ଜୁନ୍ ପହିଲାରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ କ୍ରିକେଟ୍ । ଓ୍ବେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବ ମ୍ୟାଚ୍ । ଏନେଇ କିଛି ଦେଶ ନିଜର ୧୫ ଜଣିଆ ଟିମ୍ ଘୋଷଣା କରି ସାରିଛନ୍ତି । ମାତ୍ର ଟିମ୍ ଇଣ୍ଡିଆ ଏଯାଏଁ  ଦଳ ଘୋଷଣା କରିନାହିଁ । ଆଇସିସିର ଧାର୍ଯ୍ୟ ସମୟ ମେ’ ପହିଲା ରହିଥିବା ବେଳେ ଶୀଘ୍ର ଭାରତୀୟ ଦଳ ଘୋଷଣା ହେବା ବୋଲି କୁହାଯାଉଛି । ବିସିସିଆଇ ଚୟନ କମିଟି ଏନେଇ ଆଲୋଚନା ମଧ୍ୟ କରୁଛି  । ଆସନ୍ତା ଏପ୍ରିଲ୍ ୩୦ ତାରିଖରେ ଚୟନକମିଟି ଅଧ୍ୟକ୍ଷ ଅଜିତ୍ ଅଗରକରଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପରେ ୧୫ ଜଣିଆ ଖେଳାଳିଙ୍କ ତାଲିକା ପ୍ରକାଶ ପାଇବ । ଏଥିପାଇଁ ଚୟନକର୍ତ୍ତା ଖେଳାଳିଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ନଜର ରିଖିଛି । ଅନ୍ୟପଟେ ଟି-୨୦ ବିଶ୍ବକପ୍ କ୍ରିକେଟ୍ ଟିକେଟ୍ ପାଇଁ ବହୁ ଖେଳାଳି ଆଗ ଧାଡ଼ିରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ରିଷଭ୍ ପନ୍ତ, ସଞ୍ଜୁ ସାମସନ, କେଏଲ. ରାହୁଲ, ଶ୍ରେୟସ ଆୟର, ଯଶସ୍ବୀ ଜୈଶ୍ବାଲ ଭଳି ଖେଳାଳି । 

ଅଧିନାୟକ ରୋହିତ୍ ଶର୍ମାଙ୍କ ସହିତ ପୂର୍ବତନ ଅଧିନାୟକ ବିରାଟ୍ କୋହଲି ଏବଂ ଟି-୨୦ କ୍ରିକେଟର ନମ୍ବର-୧ ବ୍ୟାଟର ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ୍ ବୁମରାଙ୍କ ଭଳି ଖେଳାଳିଙ୍କୁ ବିଶ୍ବକପ୍ ଟିକେଟ୍ ମିଳିବା ଏକ ପ୍ରକାର ସ୍ଥିର ହୋଇଛି । ସେହିପରି ଓପନର ଯଶସ୍ବୀ ଜୈଶ୍ବାଲ ଏବଂ ରିଙ୍କୁ ସିଂହଙ୍କୁ ଟି-୨୦ ବିଶ୍ବକପ ପାଇଁ ସୁଯୋଗ ମିଳିପାରେ । ଜୈଶ୍ବାଲ ବର୍ତ୍ତମାନ ସମୟରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ସେହିପରି ରିଙ୍କୁ ସିଂହ ମଧ୍ୟ କେକେଆର ରେ ନିଜର ଭୂମିକା ଠିକ୍ ଭାବେ ନିଭାଉଛନ୍ତି । ତେଣୁ ଦଳରେ ତାଙ୍କୁ ସାମିଲ କରାଯିବା ପ୍ରତିଶତ ଅଧିକ ରହିଛି ।

ଓ୍ବିକେଟ୍ କିପର ବ୍ୟାଟର ଉପରେ ନଜର ପକାଇଲେ; ଆଇପିଏଲରେ ଦୁଇି ଅର୍ଦ୍ଧଶତକ ମାରି ସବୁଠୁ ଆଗରେ ରହିଛନ୍ତି ରିଷଭ ପନ୍ତ । ଦୁଇ ବର୍ଷର ଲମ୍ବା ବ୍ରେକ୍ ପରେ ସେ ଆଇପିଏଲ କ୍ରିକେଟ୍ ଖେଳୁଛନ୍ତି । ବର୍ତ୍ତମାନ ସୁଦ୍ଧା ପନ୍ତ ଓ୍ବିକେଟ୍ ପଛରେ ଏବଂ ଆଗରେ ଦର୍ଶନୀୟ ପ୍ରଦର୍ଶନ ଦେଖା଼ଇଛନ୍ତି । ଧୂଆଁଦାର ଇନିଂସ ଖେଳି ଜବରଦସ୍ତ ଫର୍ମରେ ଥିବା ସଙ୍କେତ୍ ଦେଇଛନ୍ତି । ସେପଟେ ସଞ୍ଜୁ ସାମସନଙ୍କୁ ଓ୍ବିକେଟ୍ କିପର ଭାବେ ବିଶ୍ବକପ୍ ଟିମରେ ସୁଯୋଗ ମିଳିପରେ । ଆଇପିଏଲରେ ସେ ରାଜସ୍ଥାନର ଅଧିନାୟକ ଭାବେ ଚମତ୍କାର ପ୍ରଦର୍ଶନ ଦେଖାଉଛନ୍ତି ।  

ଅଲରାଉଣ୍ଡର ଉପରେ ନଜର ପକାଇଲେ; ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଟିମରେ ଏଣ୍ଟ୍ରି ହୋଇପାରେ । ସେ ଏବେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି । ସ୍ପିନ୍ ବୋଲିଂ ଅଲରାଉଣ୍ଡର ଭାବେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନ ପକ୍କା ହୋଇ ରହିଛି । ସେହିପରି ଅକ୍ଷର ପଟେଲଙ୍କୁ ମଧ୍ୟ ବିଶ୍ବକପରେ ସୁଯୋଗ ମିଳିପାରେ । ସିକ୍ସ ହିଟିଂ ପାଇଁ ପରିଚିତ ଶିବମ୍ ଦୁବେ ମଧ୍ୟ ବିଶ୍ବକପ ଟିକେଟ୍ ନେଇ ଚୟନ଼କର୍ତ୍ତା ଆଲୋଚନା କରିବେ । 

ସ୍ପିନରଙ୍କ ତାଲିକା ଦେଖିଲେ; ବିଶେଷ କରି ସ୍ପିନ୍ ବୋଲିଂ ଭାର ସମ୍ଭାଳିବେ କୁଲଦୀପ ଯାଦବ । ଦିନିକିଆ ବିଶ୍ବକପରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଥିଲା । ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ଏହି ବିଶ୍ବକପରେ ସୁଯୋଗ ମିଳିପାରେ । ଲେଗ୍ ସ୍ପିନ୍ ପାଇଁ ତାଙ୍କୁ ଚୟନକର୍ତ୍ତା ନଜରରେ ରଖିବେ ବୋଲି କ୍ରିକେଟ୍ ବିଶେଷଜ୍ଞ ମତପୋଷଣ କରିଛନ୍ତି । 

ପେସ୍ ବୋଲରଙ୍କ ଉପରେ ନଜର ପକାଇଲେ; ପେସ୍ ବୋଲିଂ ୟୁନିଟ୍ ଯଶପ୍ରୀତ୍ ବୁମରା ଏବଂ ଅର୍ଶଦୀପ ସିଂହଙ୍କ ସ୍ଥାନ ଏକ ପ୍ରକାର ପକ୍କା । ମହମ୍ମଦ ସିରାଜ୍ ତୃତୀୟ ସିଲେକ୍ଟିଭ୍  ବୋଲର ଭାବେଲ ଖେଳିପାରନ୍ତି । ଚଳିତ ଆଇପିଏଲ ସିଜିନରେ ତାଙ୍କ ପ୍ରଦର୍ଶନ ଏତେ ଭଲ ନଥିଲେ ବି ଅନ୍ତର୍ଜାତୀୟ କ୍ରିକେଟ ତାଙ୍କର ଇକୋନୋମିକ୍ ଚମତ୍କାର ରହିଛି । 

ସମ୍ଭାବ୍ୟ ୧୫ ଜଣିଆ ଦଳ ଉପରେ ନଜର ପକାଇଲେ; ରୋହିତ୍ ଶର୍ମା (ଅଧିନାୟକ), ୟଶସ୍ବୀ ଜୈଶ୍ବାଲ୍, ବିରାଟ କୋହଲି,  ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ଓ୍ବିକେଟ୍ କିପର), ଶିବମ୍ ଦିବେ, ହାର୍ଦ୍ଦକ୍ ପାଣ୍ଡ୍ୟା,  ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମରା, ଅର୍ଶଦୀପ ସିଂହ, ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ (ଓ୍ବିକେଟ୍ କିପର), ରିଙ୍କୁ ସିଂହ, ମହମ୍ମଦ ସିରାଜ୍ । 

ବିଶ୍ବକପ ପାଇଁ ଦବିଦାର ଖେଳାଳିଙ୍କ ମଧ୍ୟରେ କେଏଲ ରାହୁଲ, ଶ୍ରେୟସ ଆୟର, ରୁତୁରାଜ୍ ଗାଏକ୍ବାଡ, ଇଶାନ କିଷାନ, ମୟଙ୍କ ଯାଦବ, ଶୁବମନ ଗିଲ୍, ରିୟାନ ପରାଗ, ରବି ବିଷ୍ଣୋୟୀ, ମୁକେଶ କୁମାର । 

 

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.