ପୁଣେ: ବ୍ୟାଟରଙ୍କ ବିଫଳତା ଯୋଗୁଁ ପୁଣେରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ବ୍ୟାକଫୁଟ୍ରେ ରହିଛି। ଦଳ ଉପରେ ଏବେ ପରାଜୟର ସଙ୍କଟ ଦେଖା ଦେଇଛି। ଭାରତ ପ୍ରଥମ ଇନିଂସରେ ୧୫୬ ରନରେ ଅଲଆଉଟ୍ ହେବା ପରେ ଦଳ ୧୦୩ ରନରେ ପଛୁଆ ରହିଛି। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦ୍ଵିତୀୟ ଇନିଂସରେ ୫ ଓ୍ଵିକେଟ୍ ହରାଇ ୧୯୮ ରନ କରିଛି। ହାତରେ ୫ ଓ୍ଵିକେଟ୍ ଥାଇ ଭ୍ରମଣକାରୀ ଦଳ ୩୦୧ ରନରେ ଅଗ୍ରଣୀ ହାସଲ କରିବା ସହିତ ନିଜର ସ୍ଥିତି ମଜବୁତ ରଖିଛି। ଟମ ବ୍ଲଣ୍ଡେଲ ୩୦ ରନ ଓ ଗ୍ଲେନ ଫିଲିପ୍ସ ୯ ରନ କରି କ୍ରିଜରେ ଅଛନ୍ତି।
ଦ୍ଵିତୀୟ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡକୁ ୩୬ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଡେଭନ କନଓ୍ଵେ ୧୭ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ଟମ୍ ଲାଥମ ଓ ଓ୍ଵିଲ ୟଙ୍ଗ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡ଼ିଥିଲେ। ୟଙ୍ଗ ୨୩ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳିବାରେ ବିଫଲ ହୋଇଥିଲେ। ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଥିବା ରଚିନ ରବୀନ୍ଦ୍ରନ(୯)ଙ୍କୁ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ ଓ୍ଵାଶିଂଟନ ସୁନ୍ଦର। ଡାରିଲ ମିଚେଲ୍(୧୮) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଅଧିନାୟକ ଟମ ଲାଥମ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ହେଁ ଶତକରୁ ବଞ୍ଚିତ ହୋଇଥିଲେ। ସେ ୧୦ ଚୌକା ଜରିଆରେ ୮୬ ରନ କରି ଓ୍ଵାଶିଂଟନ ସୁନ୍ଦରଙ୍କ ଶିକାର ହୋଇଥିଲେ। ଏଥିସହ ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ୍ ହରାଇ ୧୯୮ ରନ କରିଛି। ହାତରେ ୫ ଓ୍ଵିକେଟ୍ ଥାଇ ଭ୍ରମଣକାରୀ ଦଳ ୩୦୧ ରନରେ ଅଗ୍ରଣୀ ହାସଲ କରିଛି। ସଂପ୍ରତି ମ୍ୟାଚ୍ରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି।
ବୋଲିଂରେ ଭାରତ ପକ୍ଷରୁ ଓ୍ଵାଶିଂଟନ ସୁନ୍ଦର ୫୬ ରନ ଦେଇ ୪ ଓ୍ଵିକେଟ୍ ହାସଲ କରିଛନ୍ତି। ଅଶ୍ଵିନଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ମିଚେଲ୍ ସାଣ୍ଟନରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୫୬ ରନରେ ଅଲଆଉଟ୍ ହୋଇଥିଲା। ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୩୮ ରନ କରିଥିବା ବେଳେ ଶୁଭମନ ଗିଲ ଓ ଯଶସ୍ଵୀ ଜୟସ୍ଵାଲ ୩୦ ରନ ଲେଖାଏଁ କରିଥିଲେ। ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ପାରି ନ ଥିବା ବେଳେ ବିରାଟ କୋହଲି ୧ ରନ କରିଥିଲେ। ମିଚେଲ୍ ସାଣ୍ଟନର ନିଜ ଟେଷ୍ଟ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୫୩ ରନ ବିନିମୟରେ ୭ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।