ପରାଜୟ ପରେ ବ୍ୟାକଫୁଟ୍ରେ ଟିମ୍ ଇଣ୍ଡିଆ, ଏମିତି ହୋଇପାରେ ଅହମ୍ମଦାବାଦର ପିଚ୍
5/03/2023 at 9:44 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ୍ ମାର୍ଚ୍ଚ ୯ରୁ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ନିର୍ଣ୍ଣାୟକ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ବିଶ୍ଵ ଟେଷ୍ଟ ଚାମ୍ପିଅନସିପ(ଡବ୍ଲ୍ୟୁଟିସି)ର ଫାଇନାଲ୍ରେ ସ୍ଥାନ ସୁନିଶ୍ଚିତ କରିବା ପାଇଁ ଏହି ମ୍ୟାଚ୍ ଭାରତ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ।
ଇନ୍ଦୋର ମ୍ୟାଚ୍ରେ ପିଚ୍କୁ ନେଇ ବହୁତ ବାଦ ବିବାଦ ହୋଇ ସାରିଛି। ମାତ୍ର ଅଢେଇ ଦିନରେ ମ୍ୟାଚ୍ର ପରିସମାପ୍ତି ଘଟିଥିଲା। ଏପରିକି ଇନ୍ଦୋରର ପିଚ୍କୁ ଆଇସିସି ଖରାପ ରେଟିଂ ଦେଇଛି। ନିମ୍ନମାନର ପିଚ୍ ପାଇଁ ଏହି ଷ୍ଟାଡିୟମକୁ ତିନି ନକରାତ୍ମକ ପଏଣ୍ଟ ମିଳିଛି। ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏବେ ଦେଖିବା ବାକି ରହିଲା ଅହମ୍ମଦାବାଦ ଟେଷ୍ଟରେ କେଉଁଭଳି ପିଚ୍ ରହୁଛି।
ଏମିତି ରହିପାରେ ଚତୁର୍ଥ ଟେଷ୍ଟର ପିଚ୍
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ପାଇଁ ପିଚ୍ ସାଧାରଣ ରହିପାରେ। ଅର୍ଥାତ ଉଭୟ ବ୍ୟାଟିଂ ଏବଂ ବୋଲିଂ ପାଇଁ ପିଚ୍ ଅନୁକୂଳ ରହିବ। ଗୁଜରାଟ କ୍ରିକେଟ୍ ସଂଘର ସୂତ୍ର ଅନୁଯାୟୀ, ଆମ ନିକଟକୁ ଭାରତୀୟ ଦଳ ପ୍ରବନ୍ଧକଙ୍କ ପକ୍ଷରୁ ପିଚ୍କୁ ନେଇ କୌଣସି ନିର୍ଦ୍ଦେଶ ମିଳିନାହିଁ। ତେଣୁ ସ୍ଥାନୀୟ କ୍ୟୁରେଟର ସାଧାରଣ ଟ୍ରାକ୍ ପ୍ରସ୍ତୁତ କରୁଛନ୍ତି।
ପରାଜୟ ଯୋଗୁଁ ବଦଳିଲା ଟିମ୍ ଇଣ୍ଡିଆର ଯୋଜନା
ରୋହିତ ଶର୍ମା ତୃତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଅହମ୍ମଦାବାଦ ଟେଷ୍ଟରେ ସବୁଜ ପିଚ୍ ପ୍ରସ୍ତୁତ କରିବାକୁ ସଙ୍କେତ ଦେଇଥିଲେ। ଯଦ୍ଵାରା ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ପ୍ରସ୍ତୁତି ହୋଇ ପାରିବ। ମାତ୍ର ଇନ୍ଦୋରରେ ପରାଜୟ ପରେ ଏମିତି ଆଉ ଦେଖିବାକୁ ମିଳିବ ନାହିଁ। ରୋହିତ କହିଥିଲେ, ନିଶ୍ଚିତ ରୂପେ ଆମକୁ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଖେଳାଳିଙ୍କୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଶାର୍ଦ୍ଦୁଳ ଠାକୁର ବହୁତ ଗୁରୁତ୍ଵପୂର୍ଣ୍ଣ। କାରଣ ସେ ଆମର ଯୋଜନା ପାଇଁ କାମରେ ଆସନ୍ତି। ଯଦି ଆମେ ତୃତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରୁ ତେବେ ନିଶ୍ଚିତ ଭାବେ ଆମେ ଅହମ୍ମଦାବାଦରେ କିଛି ଭିନ୍ନ କରିବାକୁ ଚିନ୍ତା କରିବୁ ବୋଲି ରୋହିତ ଶର୍ମା କହିଛନ୍ତି।
ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆର ମନୋବଳ ଭାଙ୍ଗି ଦେଇଥିଲା। ମାତ୍ର ଇନ୍ଦୋର ଟେଷ୍ଟରେ ଭାରତୀୟ ଦଳ ନାଥନ ଲିୟନ ଏବଂ ମାଟ୍ କୁହମ୍ୟାନଙ୍କ ସ୍ପିନ୍ ଜାଲରେ ଫସିଥିଲା। ଆଉ ଦଳ ୯ ଓ୍ଵିକେଟ୍ର ଶୋଚନୀୟ ପରାଜୟ ଭୋଗିଛି।