ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ : ଟି୨୦ ସିରିଜ୍ ବିଜୟ ପରେ ଭରପୁର ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ

Published By : Prameya-News7 Bureau | July 12, 2022 IST

ଲଣ୍ଡନ,୧୨/୦୭: ମଙ୍ଗଳବାର ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଟି-ଟ୍ୱେଣ୍ଟି ସିରିଜକୁ ୨-୧ରେ ଜିତିବା ପରେ ଭାରତର ନଜର ଏବେ ଦିନିକିଆ ସିରିଜ ଉପରେ । ଓଭାଲ ଗ୍ରାଉଣ୍ଡରୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ପାଇଁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ପ୍ରସ୍ତୁତ ରହିଛି ।

ଆସନ୍ତା ବର୍ଷ ରହିଛି ଦିନିକିଆ ବିଶ୍ୱକପ୍‌ । ଏବେଠୁ ଉପଯୁକ୍ତ ଦଳ ପ୍ରସ୍ତୁତ କରିବାର ସମୟ । ତେଣୁ ଭାରତ ଏକାଦଶ ଚୟନକୁ ନେଇ ପରୀକ୍ଷା ନୀରିକ୍ଷା କରିବା ନିଶ୍ଚିତ । ଘରୋଇ ଇଂଲଣ୍ଡ ବେଶ୍‌ ଶକ୍ତିଶାଳୀ । ସେମାନେ ବିଶ୍ୱ ଚାମ୍ପିଅନ । ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ପୂର୍ବରୁ କିଛି ଦିଗରେ ଭାରତ ନଜର ଦେବା ସ୍ୱାଭାବିକ । ବିଶେଷ କରି ବ୍ୟାଟିଂ ବିଭାଗକୁ ନେଇ ଅନେକ ତର୍ଜମା ହେବ ।

ଦିନିକିଆ ସିରିଜ ପୂର୍ବରୁ ବିରାଟ କୋହଲିଙ୍କ ଫର୍ମ ମୁଖ୍ୟ ପ୍ରସଙ୍ଗ ରହିବ । ୨୦୧୯ ପରଠୁ କୋହଲିଙ୍କ ବ୍ୟାଟ୍‌ରୁ ଶତକ ବାହାରି ନାହିଁ । ଦିନକୁ ଦିନ ତାଙ୍କ ପ୍ରଦର୍ଶନରେ ଅବନତି ଘଟୁଛି । ତଥାପି ଦିନିକିଆ ଫର୍ମାଟ୍‌ରେ ସେ କମାଲ ଦେଖାଇବେ ବୋଲି ଆଶା । ଶେଷ ୧୧ଟି ଦିନିକଆରେ କୋହଲି ୪ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ତାଙ୍କ ପ୍ରତି କୋଚ୍‌ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମାଙ୍କ ଯଥେଷ୍ଟ ସମର୍ଥନ ରହିଛି । ବର୍ତ୍ତମାନ ତାଙ୍କ ବ୍ୟାଟ୍‌ରୁ ଶତକ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।

ଶିଖର ଧାୱନ ଫେରିଥିବାରୁ ମଧ୍ୟକ୍ରମରେ ସ୍ଥାନ ପାଇବା ପାଇଁ ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟାସ ଆୟରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ନିଶ୍ଚିତ । ୨୪ଟି ମ୍ୟାଚ୍‌ ଖେଳି ଆୟର ୪୧ ହାରରେ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆ ଦଳରେ ସେ ପ୍ରଥମ ଦାବିଦାର । କିନ୍ତୁ ଫିଟ୍‌ ହୋଇ ଫେରିବା ପରଠୁ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ତାଙ୍କ ଅନୁପସ୍ଥିତିରେ ଦୀପକ ହୁଡ଼ା, ସୂର୍ଯ୍ୟକୁମାର ଓ ସଞ୍ଜୁ ସାମସନ ଅନ୍ୟ ଦାବିଦାର ରୂପେ ବାଟ ଓଗାଳିଛନ୍ତି । ଦିନକ ତଳେ ସୂର୍ଯ୍ୟକୁମାର ଦର୍ଶନୀୟ ଶତକ ଅର୍ଜନ କରିଛନ୍ତି । ତେଣୁ ତାଙ୍କୁ ପ୍ରାଥମିକତା ମିଳିବା ଆଶା କରାଯାଇପାରେ ।

ଆଜିର ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନଜର ରହିବା ନିଶ୍ଚିତ । ଫିଟ୍‌ ହୋଇ ଫେରିବା ଦିନଠୁ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ବର୍ତ୍ତମାନ ଟି-ଟ୍ୱେଣ୍ଟିର ପ୍ରଦର୍ଶନକୁ ଦିନିକିଆରେ ଦୋହରାଇବାର ସମୟ । ଟିମ ମ୍ୟାନେଜମେଣ୍ଟ ମଧ୍ୟ ଭାବି ଚିନ୍ତି ତାଙ୍କୁ କାର୍ଯ୍ୟ ଭାର ପ୍ରଦାନ କରିବ । ଆବଶ୍ୟକ ପଡ଼ିଲେ ୧୦ ଓଭର ବୋଲିଂ କରିବା ଭଳି ଫିଟ୍‌ନେସ୍‌ ଅଛି କି ନାହିଁ, ତାହା ଏହି ସିରିଜରେ ସ୍ପଷ୍ଟ ହୋଇଯିବ।

ଯୁବ ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସ୍ଥାନ ମିଳିଛି । ମ୍ୟାଚ୍‌ରେ ବୁମରା ଓ ମହମ୍ମଦ ସାମି ପେସ୍‌ ବିଭାଗ ସମ୍ଭାଳିବେ । ତୃତୀୟ ପେସ୍‌ ବୋଲର ସ୍ଥାନ ପାଇଁ ପ୍ରସିଦ୍ଧ, ସର୍ଦୁଲ ଠାକୁର, ମହମ୍ମଦ ସିରାଜ ଓ ଅର୍ଶଦୀପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ୭ଟି ଦିନିକିଆ ଖେଳି ସେ ୧୮ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ଇଂଲଣ୍ଡରେ ସେ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.