ପ୍ଲେ-ଅଫରୁ ମୁମ୍ବାଇ ବାଦ୍, କିନ୍ତୁ ଟି୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଭଲ ଖବର...

Published By : Prameya-News7 Bureau | October 09, 2021 IST

ନୂଆଦିଲ୍ଲୀ, ୦୯/୧୦:   ଆଇପିଏଲ ୨୦୨୧ର ଶେଷ ଲିଗ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । କିନ୍ତୁ ମୁମ୍ବାଇ ପ୍ଲେ ଅଫରୁ ବାଦ୍ ପଡିଛି । ୨୦୧୮ ପରେ ଏହା ପ୍ରଥମ ଥର ହୋଇଛି ଯେତେବେଳେ ମୁମ୍ବାଇ ପ୍ଲେ ଅଫରେ ପହଁଚି ପାରିନାହିଁ । ପୂର୍ବରୁ ଲଗାତର ଦୁଇଟି ଟୁର୍ଣ୍ଣାମେଣ୍ଟରେ ରୋହିତ ବାହିନୀ ଚାମ୍ପିଅନ ହୋଇଥିଲେ ମଧ୍ୟ ଏଥର ନିରାଶ ହୋଇଛି । ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି ସତ କିନ୍ତୁ ଭାରତୀୟ ଦଳ ପାଇଁ ଭଲ ଖବର ଆସିଛି ।

ଆଇପିଏଲ ପରେ ତୁରନ୍ତ ଟି୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯିବ । ଟିମ୍ ଇଣ୍ଡିଆର ଖେଳାଳି ନୂଆ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ମୁମ୍ବାଇ ଇଣ୍ଡିଆନ୍ସର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ରୋହିତ ଶର୍ମା, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରାହୁଲ ଚହର ଓ ଜସପ୍ରିତ ବୁମରାହ ଏଥିରେ ରହିଛନ୍ତି ।

କରୋନା ଭାଇରସ କାରଣରୁ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେଲା ପରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । କିନ୍ତୁ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ଖରାପ ଫର୍ମରେ ଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଆହତଜନିତ ସମସ୍ୟା ଦେଇ ଗତି କରୁଥିଲେ । ତେବେ ଶେଷ ମୁକାବିଲାରେ ତିନିଜଣ ଜବରଦସ୍ତ ଇନିଂସ ଖେଳିଥିଲେ ।

ଇଶାନ ଓ ସୂର୍ଯ୍ୟକୁମାର ହାଇଦ୍ରାବାଦ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ । ଇଶାନ ମାତ୍ର ୩୨ ବଲରୁ ୮୪ ଓ ସୂର୍ଯ୍ୟକୁମାର ୪୦ ବଲରୁ ୮୨ ରନ୍ କରିଥିଲେ ।

ସୂଚନାଯୋଗ୍ୟ, ମୁମ୍ହାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ ଚାମ୍ପିଅନ ହୋଇଛି । ପ୍ଲେ-ଅଫରେ ପ୍ରବେଶ କରିବାକୁ ଦଳକୁ ବଡ ବ୍ୟବଧାନରେ ମ୍ୟାଚ୍ ଜିତିବା ଆବଶ୍ୟକ ଥିଲା । ଦଳ ବଡ ସ୍କୋର କରିଥିଲଲେ ମଧ୍ୟ ହାଇଦ୍ରାବାଦକୁ ୬୬ ରନ୍ ମଧ୍ୟରେ ଅଲଆଉଟ୍ କରିପାରି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.