ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ବେଳେ ଟିମ୍ ଇଣ୍ଡିଆ ପାଖରେ ନଥିଲା ଅସଲି ଟ୍ରଫି, ଜାଣନ୍ତୁ ରହିଛି କେଉଁଠି?

Published By : Prameya-News7 Bureau | July 05, 2024 IST

ନୂଆଦିଲ୍ଲୀ ୫।୭: ଆଇସିସି ଟି-୨୦ ୱାର୍ଲଡ କପ୍ ୨୦୨୪ ଚାମ୍ପିୟନ ୫ ଦିନର ଅପେକ୍ଷା ପରେ ଯେବେ ସ୍ୱଦେଶ ପହଞ୍ଚିଲେ ସେମାନଙ୍କର ଭବ୍ୟ ସ୍ୱାଗତ କରାଯାଇଛି। ମୁମ୍ବାଇ ବିଜୟ ପରେଡରେ ରୋହିତ ଶର୍ମା ହାତରେ ଟ୍ରଫି ଧରି ଲୋକଙ୍କ ଉତ୍ସାହ ବଢାଉଥିବା ଦେଖାଯାଇଥିଲା। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଟିମ୍‌ ଇଣ୍ଡିଆ ଯେଉଁ ଟ୍ରଫି ସହ ଫେରିଛି ତାହା ଅସଲି ନୁହେଁ। ଭାରତକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବା ଟିମ୍ ଅସଲି ଟ୍ରଫି ନୁହେଁ ଏହାର ରିପ୍ଲିକା ନେଇ ଭେଟିଛି। 

ଏଥିରେ ଫ୍ୟାନସ ଭାବୁଥିବେ ଅସଲି ଟ୍ରଫି ଏବେ କେଉଁଠି? ଏମିତି ବି ହୋଇ ନଥିବ କାହିଁ କି ଟିମ ଇଣ୍ଡିଆକୁ ଅସଲି ଟ୍ରଫି ମିଳି ନଥିବ? ସାଉଥ ଆଫ୍ରିକା ବିରୋଧରେ ଫାଇନାଲରେ ବିଜୟ ପରେ ଟିମ୍‌ କୁ ଫଟୋ ସୁଟ୍ ନିମନ୍ତେ ଅସଲି ଟ୍ରଫି କିଛି ସମୟ ପାଇଁ ଦିଆଯାଇଥିଲା। ଏହା ପରେ ଟ୍ରଫିକୁ ଦୁବାଇସ୍ଥିତ ଆଇସିସି ମୁଖ୍ୟାଳୟକୁ ପଠାଇ ଦିଆଯାଇଥିଲା। ତେବେ ପ୍ରଥମ ଥର ଏପରି କରାଯାଇ ନାହିଁ। ଦୀର୍ଘ ବର୍ଷରୁ ଏହା ପ୍ରଚଳିତ ହୋଇ ଆସୁଛି  ଓ ଅସଲି ଟ୍ରଫି ଆଇସିସି ନେଇ ଯାଉଛନ୍ତି। 

ଆଇସିସି ଦ୍ୱାରା ବିଜେତା ଟିମ୍‌କୁ  ବିଜୟ ପରେ ମାତ୍ର କିଛି ସମୟ ପାଇଁ ଟ୍ରଫି ଦିଆଯାଇଥାଏ ଓ ଏହାକୁ ଫେରାଇ ନିଆଯାଏ। ଅନ୍ୟପଟେ ମୁମ୍ବାଇରେ ଟିମ୍‌ ଇଣ୍ଡିଆ ସ୍ୱାଗତ ପାଇଁ ପହଞ୍ଚିଥିବା ଜନ ସମୁଦ୍ରକୁ ଦେଖି ରୋହିତ ଶର୍ମା କହିଛନ୍ତି ଯେ ଆମର ସ୍ୱାଗତ ନିମନ୍ତେ ଫ୍ୟାନସଙ୍କ ଭିଡରୁ ଯାହା ଜଣାପଡୁଛି ଲୋକେ ମଧ୍ୟ ଟି-୨୦ ବିଶ୍ୱକପ୍ ପାଇଁ ସେତିକି ଉତ୍ସାହୀ ଥିଲେ ଯେତିକି ଆମେ ଉତ୍ସାହିତ ଥିଲୁ।  ପ୍ରତିଟି ଭାରତୀୟର ସ୍ୱପ୍ନ ପୂରୁଣ କରିପାରିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ରୋହିତ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.