ଭାରତରେ ପହଞ୍ଚିଲେ ବିଶ୍ୱବିଜେତା; ଦିଲ୍ଲୀ ବିମାନବନ୍ଦରରେ ରୋହିତ୍ ବାହିନୀକୁ ଭବ୍ୟ ସ୍ବାଗତ

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ: ସ୍ବଦେଶ ଫେରିଲା ବିଶ୍ବକପ୍ ବିଜେତା ଟିମ୍ ଇଣ୍ଡିଆ । ଗୁରୁବାର ଭୋରୁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି ସମସ୍ତ ଖେଳାଳି ଓ ଟିମ୍ ଷ୍ଟାଫ୍ । ସାମୁଦ୍ରିକ ଝଡ଼ ପାଇଁ ବାରବାଡୋସରେ ଟିମ୍ ଫସି ରହିଥିଲା । ସ୍ଥିତି ସାମାନ୍ୟ ହେବା ପରେ ଭାରତ ଫେରିଛନ୍ତି  ଖେଳାଳି । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଫେରିଛନ୍ତି । ଆଜି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବେ ପରେ ମୁମ୍ବାଇ ଯିବେ । ସେଠାରେ ବିମାନବନ୍ଦରରୁ ବସ୍ ଯୋଗେ ଓ୍ବାଙ୍ଖଡେ ଷ୍ଟାଡିୟମ ଯିବେ ଖେଳାଳି । 



ଗତ ଶନିବାର ଦିନ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରି   ଚାମ୍ପିଅନ ହୋଇଥିଲା । ରବିବାର ଚାମ୍ପିଅନ ଦଳ   ସ୍ୱଦେଶ ବାହୁଡ଼ିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର  ବାତ୍ୟା ଯୋଗୁ ସେମାନେ ଫସି ଯାଇଥିଲେ । ତେବେ ବୁଧବାର ବାତ୍ୟା ସ୍ଥିତି ସାମାନ୍ୟ ହେବା ପରେ ଟିମ୍ ଇଣ୍ଡିଆ ବାରବାଡୋସ୍ ଛାଡ଼ିଥିଲା । ଭାରତୀୟ ଖେଳାଳି ଗୁରୁବାର ସକାଳ ୬ଟାରେ ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛନ୍ତି । ସ୍ବଦେଶ ଫେରିବା ପରେ ଦିଲ୍ଲୀରେ ତାଙ୍କୁ ସ୍ବାଗତ କରାଯାଇଛି । ଏହା ପରେ ଖେଳାଳିମାନଙ୍କୁ ବସ୍ ଯୋଗେ ଆଇଟିସି ମୌର୍ଯ୍ୟ ହୋଟେକୁ ନିଆଯାଇଛି । ସେଠାରେ ସେମାନେ ବିଶ୍ରାମ ନେବା ପରେ ଦିନ ସାଢ଼େ ୯ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ କରିବେ । ଏହା ପରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ ଟିମ୍ ।


ମୁମ୍ବାଇରେ ଖେଳାଳିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ସହରରେ ୨ କିଲୋମିଟର ଏକ ଓପନ ବସ୍‌ରେ ରୋଡ୍ ଶୋ’ କରିବେ । ଏହା ପରେ ଖେଳାଳିମାନେ ଓ୍ବାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ । ସେଠାରେ ସେମାନଙ୍କୁ  ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ । ସକାଳରୁ ସନ୍ଧ୍ୟା ଯାଏ ପର୍ଯ୍ୟାୟ କ୍ରମିକ ଭାବେ ଖେଳାଳିମାନଙ୍କ ବିଭିନ୍ନ ଗତି ବିଧି ଏବଂ ଟ୍ରଫି ଭ୍ରମଣର ଦୃଶ୍ୟ ଷ୍ଟାର ସ୍ପୋର୍ଟ୍ସରେ ସିଧାପ୍ରସାରଣ ହେବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.