ଭାରତୀୟ କ୍ରିକେଟ ଟିମର ଘରୋଇ ଖେଳସୂଚୀ ଜାରିକଲା ବିସିସିଆଇ : ଖେଳାଯିବ ୧୪ ଟି-୨୦, ୪ ଟେଷ୍ଟ ଏବଂ ୩ଟି ଦିନିକିଆ

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦/୦୯ : ଭାରତୀୟ କ୍ରିକେଟର ଘରୋଇ ସିଜିନ୍ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ (BCCI) । ଘରୋଇ ସିଜିନ୍‌ ୨୦୨୧-୨୦୨୨ ପାଇଁ ଭାରତୀୟ ଟିମ ଖେଳିବାକୁ ଥିବା ସିରିଜ୍‌ର ସୂଚୀ ଘୋଷଣା ହୋଇଛି । ଭାରତୀୟ ଟିମ ମୋଟ ୧୪ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିବାକୁ ଥିବା ବେଳେ ୪ଟି ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳିବ । ଘରୋଇ ପିଚ୍‌ରେ ନ୍ୟୁଜିଲାଣ୍ଡ, ଓ୍ବେଷ୍ଟଇଣ୍ଡିଜ୍‌, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍‌ ଇଣ୍ଡିଆ ।

ସେହିଭଳି ଏପ୍ରିଲ ମାସରେ କ୍ରିକେଟ ପ୍ରେମୀଙ୍କୁ IPL ୨୦୨୨ର ଫଟାଫଟ୍‌ ଟୁର୍ଣ୍ଣମେଣ୍ଟ ବି ମିଳିବ । ଭାରତୀୟ ଟିମର ଘରୋଇ ସିଜିନ୍‌ ଚଳିତ ବର୍ଷ ନଭେମ୍ବର ମାସରୁ ହିଁ ଆରମ୍ଭ ହୋଇଯିବ ଯାହାକି ଜୁନ୍‌ ୧୯ ତାରିଖ ୨୦୨୨ ଯାଏଁ ଜାରି ରହିବ । ପ୍ରଥମେ ଓ୍ବେଷ୍ଟଇଣ୍ଡିଜ୍‌ ଦଳଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଶେଷରେ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ରହିଛି ।

ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଶେଷ ହେବାର ମାତ୍ର ୩ ଦିନ ପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜୟପୁରରେ ଟି-୨୦ ସିରିଜ୍‌ ଆରମ୍ଭ ହେବ । ପ୍ରଥମ ଟି-୨୦ ନଭେମ୍ବର ୧୭ ତାରିଖ ଜୟପୁର, ଦ୍ବିତୀୟ ୧୯ ତାରିଖ ରାଞ୍ଚି ଏବଂ ତୃତୀୟ ଟ୍ବେଣ୍ଟି ଟ୍ବେଣ୍ଟି ନଭେମ୍ବର ୨୧ ତାରିଖରେ କୋଲକାତାରେ ଖେଳାଯିବ ।ଏହା ପରେ ଟେଷ୍ଟ ସିରିଜ୍‌ ଖେଳାଯିବ । ପ୍ରଥମ ଟେଷ୍ଟ ନଭେମ୍ବର ୨୫ରେ କାନପୁର ଏବଂ ଦ୍ବିତୀୟ ଟେଷ୍ଟ ମୁମ୍ବାଇରେ ଡିସେମ୍ବର ୩ ତାରିଖରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।

ଘରୋଇ ସିଜିନ୍‌ର ଦ୍ବିତୀୟ ସିରିଜ୍‌ର ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯିବ । ଓ୍ବେଷ୍ଟଇଣ୍ଡିଜ୍‌ ଟିମ ବିପକ୍ଷରେ ୩ଟି ଦିନିକିଆ ଏବଂ ୩ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳିବ ଭାରତ । ଓ୍ବେଷ୍ଟଇଣ୍ଡିଜ୍‌ ଟିମ ୬ ଫେବୃୟାରୀରେ ଅହମଦାବାଦ, ୯ରେ ଜୟପୁର ଏବଂ ୧୨ ତାରିଖରେ କୋଲକାତାରେ ଦିନିକିଆ ମ୍ୟାଚ ଖେଳିବ । ଏହା ପରେ କଟକରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିବ କାରବିଆନ୍‌ ଟିମ୍‌ । ୧୮ ତାରିଖରେ ବିଶାଖାପାଟନମ୍‌​‌ରେ ଦ୍ବିତୀୟ ଏବଂ ୨୦ରେ ତ୍ରିବେନ୍ଦ୍ରମ୍‌ରେ ୩ୟ ଟି-୨୦ ଖେଳାଯିବ ।

ଫେବୃଆରୀ ୨୫ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ହେବ । ପ୍ରଥମ ଟେଷ୍ଟ ବାଙ୍ଗାଲୋରରେ ଏବଂ ଦ୍ୱିତୀୟ ଟେଷ୍ଟ ମାର୍ଚ୍ଚ ୫ରୁ ମୋହାଲିରେ ଖେଳାଯିବ। ଏହା ବ୍ୟତୀତ ମୋହାଲି, ଧର୍ମଶାଳା ଏବଂ ଲକ୍ଷ୍ନୌରେ ଟି -୨୦ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୩, ୧୫ ଏବଂ ୧୮ରେ ଟି -୨୦ ମ୍ୟାଚ୍ ଖେଳାଯିବ ।

ଆଇପିଏଲ ୨୦୨୨ ଏପ୍ରିଲ ଏବଂ ମେ ମାସରେ ଅନୁଷ୍ଠିତ ହେବ । କିନ୍ତୁ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଏଥି ସହିତ ଜୁନ ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚଟି ଟି -୨୦ ମ୍ୟାଚ୍ ଖେଳାଯିବ । ପ୍ରଥମ ଟି -୨୦ ଜୁନ୍ ୯ରେ ଚେନ୍ନାଇରେ ଖେଳାଯିବ । ଏହା ପରେ ବାଙ୍ଗାଲୋରରେ ୧୨ ଜୁନ୍, ୧୪ରେ ନାଗପୁର, ୧୫ରେ ରାଜକୋଟ ଏବଂ ୧୯ରେ ଦିଲ୍ଲୀରେ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.