ICC ODI Rankingsରେ ତୃତୀୟ ସ୍ଥାନ ମଜବୁତ କଲା ଭାରତ, ପାକିସ୍ତାନଠୁ ରହିଲା ଆଗରେ

Published By : Prameya-News7 Bureau | July 18, 2022 IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଭାରତ ଦିନିକିଆ ସିରିଜ୍ ଜିତିଛି। ତୃତୀୟ ବିଜୟ ପରେ ରୋହିତ ଶର୍ମାଙ୍କ ନେତୃତ୍ଵାଧିନ ଭାରତୀୟ ଦଳ ଆଇସିସି ଦିନିକିଆ ରାଙ୍କିଙ୍ଗରେ ନିଜର ତୃତୀୟ ସ୍ଥାନ ଆହୁରି ମଜବୁତ କରିଛି। ୧୦୯ ପଏଣ୍ଟ ସହ ଦଳ ପାକିସ୍ତାନ(୧୦୬)ଠୁ ଆଗରେ ରହିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ୧୨୮ ରେଟିଂ ପଏଣ୍ଟ ସହ ଦିନିକିଆ ମାନ୍ୟତାରେ ଶୀର୍ଷରେ ରହିଛି।

ଜୋସ୍ ବଟଲରଙ୍କ ନେତୃତ୍ବାଧୀନ ଇଂଲଣ୍ଡ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍  ହାରିବା ସତ୍ତ୍ଵେ ୧୨୧ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି। ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କ ୧୨୫ ରନର ଦମଦାର ଶତକୀୟ ଇନିଂସ ଦମରେ ଭାରତ ଘରୋଇ ଦଳକୁ ୫ ଓ୍ଵିକେଟରେ ପରାସ୍ତ କରିଛି। ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି।

ଆଗାମୀ ସପ୍ତାହରେ ଆଇସିସି ଦିନିକିଆ ମାନ୍ୟତାରେ ପରିବର୍ତ୍ତନ ହୋଇପାରେ। କାରଣ ଷଷ୍ଠ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ପାକିସ୍ତାନଠୁ ସାତ ପଏଣ୍ଟ ପଛରେ ରହିଛି। ଯଦି ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ବିପକ୍ଷରେ ନିଜର ତିନି ମ୍ୟାଚ୍ ଜିତି ସିରିଜ୍ କ୍ଲିନ୍ ସୁଇପ୍ କରିନିଏ ତେବେ ପାକିସ୍ତାନକୁ ପଛରେ ପକାଇ ଚତୁର୍ଥରେ ପହଞ୍ଚିଯିବ।

ଏହା ବାଦ୍ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଶୁକ୍ରବାରଠୁ ଭାରତର ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ  ହେଉଛି। ସେପଟେ ପାକିସ୍ତାନ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳୁଛି। ପାକିସ୍ତାନ ଆଗାମୀ ଦିନିକିଆ ସିରିଜ୍ ଅଗଷ୍ଟରେ ନେଦରଲାଣ୍ଡ ବିପକ୍ଷରେ ଖେଳିବ। ତେଣୁ ଅଗଷ୍ଟ ମାସରେ ଆଇସିସି ଦିନିକିଆ ରାଙ୍କିଙ୍ଗ ଉପର ତଳ ଲାଗି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.