ଟିମ ଇଣ୍ଡିଆର ସେହି ଲଜ୍ଜାଜନକ ରେକର୍ଡ : ଖାତା ଖୋଲିବା ପୂର୍ବରୁ ହରାଇଥିଲା ୪ ଓ୍ବିକେଟ, ଗୋଟିଏ ଦିନରେ ଦୁଇ ଦୁଇ ଥର ଅଲଆଉଟ ହୋଇଯାଇଥିଲା ଭାରତ

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୦୭/ ୦୬ : ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ୧୯୫୨ ମସିହାରେ ଇଂଲଣ୍ଡ ଗସ୍ତ କରିଥିଲା ଭାରତୀୟ କ୍ରିକେଟ ଟିମ । ଏହି ଗସ୍ତର ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ଟିମ ଇଣ୍ଡିଆ ଏକ ଅଲୋଡା ରେକର୍ଡ ତିଆରି କରିଥିଲା । ଯାହାକି ଏବେ ମଧ୍ୟ ରେକର୍ଡରେ ଲିପିବଦ୍ଧ ହୋଇ ରହିଛି । ୬୯ ବର୍ଷ ପୂର୍ବେ ଆଜିର ଦିନରେ ଟେଷ୍ଟ ଇନିଂସରେ ଖାତା ଖୋଲିବା ପୂର୍ବରୁ ୪ଟି ଓ୍ବିକେଟ ହରାଇଥିଲା । ୧୪୪ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ ଏହା ଥିଲା ଟିମ ଇଣ୍ଡିଆ ପାଇଁ ସବୁଠାରୁ ଖରାପ ରେକର୍ଡ ।

ଅବଦୁଲ ହଫିଜ କାରଦାର, ଆମିର ଏଲାହି ଏବଂ ଗୁଲ ମହମ୍ମଦଙ୍କ ପରି ଖେଳାଳିମାନେ ଭାରତ ବିଭାଜନ ପରେ ପାକିସ୍ତାନ ଚାଲିଯାଇଥିଲେ । ଏଭଳି ପରିସ୍ଥିତିରେ ବିଜୟ ହଜାରେଙ୍କ ଅଧିନାୟକତ୍ବରେ ଖେଳୁଥିବା ଭାରତୀୟ ଟିମ ବେଶ ଦୁର୍ବଳ ହୋଇଯାଇଥିଲା । ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଲିଡସ୍‌ ଷ୍ଟାଡିୟମରେ ଜୁନ ୫ ତାରିଖରୁ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ୨୯୩ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ବିଜୟ ମଞ୍ଜରେକର ଦମଦାର ୧୩୩ ରନ ଏବଂ ବିଜୟ ହଜାରେ ୮୯ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଜିମ ଲେକର ୪ ଏବଂ ଫ୍ରେଡ୍‌ ଟ୍ରୁମେନ ୩ ଓ୍ବିକେଟ ନେଇଥିଲେ । ଭାରତର ୨୯୩ ରନ ଜବାବରେ ଇଂଲଣ୍ଡ ୩୩୪ ରନ କରିଥିଲା ଏବଂ ୪୧ ରନର ଲିଡ ନେଇଥିଲା ।

ତେବେ ଟେଷ୍ଟ ମ୍ୟାଚର ତୃତୀୟ ଦିନ ଅର୍ଥାତ ଜୁନ ୭ ତାରିଖରେ ଅଲୋଡା ରେକର୍ଡ କରିଥିଲା ଭାରତ । ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଟିମ କୌଣସି ରନ କରିବା ପୂର୍ବରୁ ୪ଟି ଓ୍ବିକେଟ ହରାଇଥିଲା । ପଙ୍କଜ ରାୟ, ଦତ୍ତା ଗାୟକଓ୍ବାଡ, ମାଧବ ମନ୍ତ୍ରୀ ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ ବିଜୟ ମଞ୍ଜରେକର ଖାତା ଖୋଲିବା ପୁର୍ବରୁ ହିଁ ପ୍ୟାଭିଲିୟନ ଫେରିଥିଲେ । ପ୍ରଥମ ୨.୨ ଓଭରେ କୌଣସି ରନ ନକରି ୪ ଓ୍ବିକେଟ ହରାଇଥିଲା ଭାରତ । କିନ୍ତୁ ପରେ କିମ୍ବଦନ୍ତୀ କ୍ରିକେଟର ବିଜୟ ହଜାରେ ଦଳକୁ ଆଗକୁ ନେଇଥିଲେ । ବିଜୟ ୫୬ ଏବଂ ଦତ୍ତୁ ଫଡକର ୬୪ ରନ କରିଥିଲେ । ୫ ମ ଓ୍ବିକେଟ ପାର୍ଟନରସିପରେ  

ଉଭୟ ଦଳକୁ ଭଲ ସ୍ଥିତିକୁ ନେଇଥିଲେ। ଭାରତୀୟ ଟିମ ଦ୍ବିତୀୟ ଇନିଂସରେ ୧୬୫ ରନରେ ଅଲଆଉଟ ହୋଇଯାଇଥିଲା ଏବଂ ଇଂଲଣ୍ଡ ଉକ୍ତ ମ୍ୟାଚକୁ ୭ ଓ୍ବିକେଟରେ ଜିତି ନେଇଥିଲା ।

ଦ୍ବିତୀୟ ମ୍ୟାଚରେ ଭାରତୀୟ ଦଳ କିମ୍ବଦନ୍ତୀ କ୍ରିକେଟର ବିନୁ ମଙ୍କଡଙ୍କୁ ଦଳରେ ସାମିଲ କରିଥିଲା । ପ୍ରଥମ ଇଂନିସରେ ବିନୁ ମଙ୍କଡ ୭୨ ରନ କରିଥିଲେ ଏବଂ ଚମତ୍କାର ବୋଲିଂ କରି ୫ଟି ଓ୍ବିକେଟ ମଧ୍ୟ ନେଇଥିଲେ । ଏହାପରେ ଦ୍ବିତୀୟ ଇଂନିସରେ ଭାରତ ୩୭୮ ରନର ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଯେଉଁଥିରେ ବିନୁ ମଙ୍କଡ ୧୮୪ ରନର ଇନିଂସ ଖେଳିଥିଲେ । କିନ୍ତୁ ଦ୍ବିତୀୟ ଟେଷ୍ଟକୁ ମଧ୍ୟ ୮ ଓ୍ବିକେଟରେ ଜିତି ନେଇଥିଲା ଇଂଲଣ୍ଡ ।

ତୃତୀୟ ମ୍ୟାଚ ମଧ୍ୟ ଭାରତ ପାଇଁ ସେହିଭଳି ନୈରାଶ୍ୟଜନକ ଥିଲା । ଗୋଟିଏ ଦିନରେ ଭାରତୀୟ ଟିମ  ଦୁଇ ଦୁଇ ଥର ଅଲଆଉଟ ହୋଇଯାଇଥିଲା । ତୃତୀୟ ଟେଷ୍ଟରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୯ ଓ୍ବିକେଟ ହରାଇ ୩୪୭ ରନ କରିଥିଲା । ଜବାବରେ ବ୍ୟାଟିଂ କରିବାକୁ ଆସିଥିବା ଭାରତ ପ୍ରଥମ ଇନିଂସରେ ୫୮ ଏବଂ ଦ୍ବିତୀୟ ଇନିଂସରେ ୮୨ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ଏହି ମ୍ୟାଚକୁ ଏକ ପାଳି ଏବଂ ୨୦୭ ରନରେ ପରାସ୍ତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.