ବାହାଘର ଇଫେକ୍ଟ, ଦିଲ୍ଲୀରେ ଟିମ୍ ଇଣ୍ଡିଆକୁ ମିଳିଲାନି ହୋଟେଲ୍
16/02/2023 at 12:34 PM

ନୂଆଦିଲ୍ଲୀ ୧୬।୦୨ : ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ସିରିଜ୍ । ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଜିତିଛି ଟିମ୍ ଇଣ୍ଡିଆ । ଏହାପରେ ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଖେଳାଯିବ ୨ୟ ଟେଷ୍ଟ ମ୍ୟାଚ୍ । ହେଲେ ଏହାପୂର୍ବରୁ ଟିମ୍ ଇଣ୍ଡିଆକୁ ନେଇ ଏକ ତାଜା ଅପଡେଟ୍ ଆସିଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ୧୭ ଫେବୃଆରୀରୁ ଆରମ୍ଭ ହେବ ୨ୟ ଟେଷ୍ଟ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କୁ ପାଞ୍ଚତାରକା ହୋଟେଲ୍ରେ ରହିବାକୁ ସୁଯୋଗ ମିଳିବନାହିଁ । ଏହାପଛର କାରଣ ହେଉଛି ଜ-୨୦ ସମ୍ମିଳନୀ ଏବଂ ବିବାହ ସିଜିନ୍ । ପୂର୍ବରୁ ଦିଲ୍ଲୀର ଅଧିକାଂଶ ପାଞ୍ଚତାରକା ହୋଟେଲ୍ ବୁକ୍ ସରିଛି । ଶେଷରେ ବାଧ୍ୟ ହୋଇ ବିସିସିଆଇ ଖେଳାଳିମାନଙ୍କୁ ଅନ୍ୟ ସ୍ଥାନରେ ରଖିବାକୁ ନିଷ୍ପତ୍ତି ନେଇଛି ।
ପ୍ରାୟତଃ ଭାରତୀୟ ଟିମ୍ ମ୍ୟାଚ୍ ସମୟରେ ତାଜ୍ ପ୍ୟାଲେସ୍ ଏବଂ ଆଇଟିସି ମୋର୍ଯ୍ୟରେ ରହିଥାନ୍ତି । କିନ୍ତୁ ଏଥର ପୁରା ଟିମ୍ ଦିଲ୍ଲୀ ପରିବର୍ତ୍ତେ ନୋଏଡା ରହିବାକୁ ଯାଉଛି । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବିକ, ବିବାହ ସିଜିନ୍ ଏବଂ ଜି-୨୦ ଶିଖର ସମ୍ମିଳନୀ ଲାଗି ରାଜଧାନୀରେ ଅତିଥି ଅଧିକା ଅଛନ୍ତି । ଯାହାଫଳରେ ଟିମ୍ ପୂର୍ବ ମୁତାବିକ ହୋଟେଲ୍ ମିଳିପାରିଲାନାହିଁ । ଶେଷରେ ବହୁ ଆଲୋଚନା ପରେ ସମସ୍ତ ଖେଳାଳିଙ୍କ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ।
ସେପଟେ ଦିଲ୍ଲୀରେ ମ୍ୟାଚ୍ ଥିବାରୁ ବିରାଟ କୋହଲି ଟିମ୍ ସହିତ ନରହି ଗୁରୁଗ୍ରାମରେ ରହିବେ । କୋହଲି ନିଜ ଘରେ ରହିବାକୁ ବିସିସିଆଇଠୁ ଅନୁମତି ନେଇଛନ୍ତି । ପରିବାର ଲୋକଙ୍କ ସହିତ କିଛି ସମୟ ବିତାଇବାକୁ ବିରାଟ ବୋର୍ଡକୁ କହିଛନ୍ତି ।
୨ୟ ଟେଷ୍ଟ ପାଇଁ ଭାରତୀୟ ଦଳ : ରୋହିତ ଶର୍ମା ( ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ଶୁଭମନ୍ ଗିଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେଏସ୍ ଭରତ (ଓ୍ୱିକେଟ୍ କିପର), ଇଷାନ୍ କିଷାନ୍ ( ଓ୍ୱିକେଟ୍ କିପର), ଆର୍. ଅଶ୍ୱିନୀ, ଅକ୍ଷର ପଟେଲ୍, କୂଳଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୂର୍ଯ୍ୟକୁମାର ଯାଦବ