ରାଜ୍ୟ ସରକାରଙ୍କ ସହିତ ମିଳିତ ମଂଚର ଆଲୋଚନା : ନଭେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଆନ୍ଦୋଳନ

Published By : Prameya-News7 Bureau | October 13, 2018 IST

ଭୁବନେଶ୍ୱର ୧୩/୧୦ : ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ, ଆନ୍ଦୋଳନକୁ ନଭେମ୍ବର ୩୦ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ସାମୟିକ ଭାବରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ମିଳିତ ମଞ୍ଚର ଷ୍ଟିଅରିଂ କମିଟି ନିଷ୍ପତ୍ତି ନେଇଛି । ପର୍ଯ୍ୟାୟ କ୍ରମେ ଦାବି ପୂରଣ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଗତ ୫୯ ଦିନ ଧରି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ମିଳିତ ମଂଚର ଆନ୍ଦୋଳନ ଚାଲିଥିଲା | ଗତକାଲି ସନ୍ଧ୍ୟାରେ ମଂଚର ୧୩ ଜଣିଆ ପ୍ରତିନିଧି ଦଳ ସରକାରଙ୍କ ସହିତ ପଞ୍ଚମ ପର୍ଯ୍ୟାୟ ଆଲୋଚନା କରିଥିଲେ | ଆଲୋଚନାରେ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ, ଉଚ୍ଚ ପ୍ରଶାସନିକ ଅଧିକାରୀ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ | ରାଜ୍ୟ ସରକାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀମାନଙ୍କ ୨୦୧୫ -୧୬ ମସିହାରୁ ସ୍ଥଗିତ ଥିବା ସ୍କୁଲ ଶିକ୍ଷକମାନଙ୍କର ୪୬ ଦିନ, କଲେଜ ଶିକ୍ଷକ ମାନଙ୍କର ୩୦ ଦିନର ବକେୟା ଦରମା ପ୍ରଦାନ କରାଯିବ ବୋଲି ଆଲୋଚନାରେ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରତିଶୃତି ଦେଇଥିଲେ | ଲିଖିତ ସୂଚନା ପ୍ରଦାନର ଅବଧିକୁ ପୁଣି ଅକ୍ଟୋବର ପହିଲାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଘୁଞ୍ଚେଇବା ପାଇଁ ନିଷ୍ପତ୍ତି ହୋଇଥିଲା | ଲିଖିତ ସୂଚନା ପ୍ରଦାନରେ ଥିବା କୋର୍ଟ କେଶ ପ୍ରତ୍ୟହାର ବ୍ୟବସ୍ଥାକୁ ସମ୍ପୂର୍ଣ ଉଚ୍ଛେଦ କରି ନୂତନ ଅନୁଦାନ ଆଇନ ପ୍ରଣୟନ ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା | ଏହା ପରେ ମିଳିତ ମଂଚର ଷ୍ଟିଅରିଂ କମିଟି ବୈଠକ ବସି ଆନ୍ଦୋଳନକୁ ସ୍ଥଗିତ କରିବ ପାଇଁ ନିଷ୍ପତ୍ତି ନେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.