ଶିକ୍ଷକରୁ ଆତଙ୍କବାଦୀ; ଅତର ବୋତଲରେ ତିଆରି କରୁଥିଲେ ବୋମା, ଜବତ ପରେ ପୁଲିସ ଆଶ୍ଚର୍ଯ୍ୟ
2/02/2023 at 4:35 PM

ଶ୍ରୀନଗର: ଦିନେ ଶିକ୍ଷକ ଭାବେ ଦେଶର ଭବିଷ୍ୟତ ଗଢ଼ୁଥିଲେ। ଛୋଟ ଛୋଟ ପିଲାଙ୍କୁ ବାପୁଙ୍କ ଅହିଂସାର ପାଠ ପଢ଼ାଉଥିଲେ। ପାଠ ପଢ଼ାଇଲା ବେଳେ ଦେଶର ନଦନଦୀ ଓ ପ୍ରକୃତିର ସୋଭାରାଜୀ ଭିତରେ ମଜ୍ଜି ଯାଉଥିବା ଶିକ୍ଷକ ହଠାତ୍ ହଜିଗଲେ ଆତଙ୍କବାଦର ଅନ୍ଧ ଗଳିରେ।
ଏହାପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ। ବାରୁଦର ଗନ୍ଧରେ ଆକ୍ତାମାକ୍ତ ଜାମ୍ମୁ-କାଶ୍ମୀର। ପୁଲିସ ତଦନ୍ତ କଲା ବେଳେ ଜଣେ ସରକାରୀ ଶିକ୍ଷକଙ୍କୁ ଗିରଫ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଆତଙ୍କବାଦୀ ଶିକ୍ଷକ ପାଖରୁ ଏମିତି ବୋମା ଜବତ ହୋଇଛି ଯାହା ଜାମ୍ମୁ-କାଶ୍ମୀର ପୁଲିସ କେବେ ଦେଖି ନଥିଲା।
ଜାନୁଆରୀ ୨୧ ତରିଖରେ ହୋଇଥିବା ଦୁଇଟି ଆଇଡି ବିସ୍ଫୋରଣ ମାମଲାରେ ପୁଲିସ ଆରିଫ ନାମକ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ତା ଠାରୁ ପ୍ରଥମ କରି ପର୍ଫ୍ୟୁମ୍ ଆଇଡି ଜବତ କରାଯାଇଛି। କିଭଳ ପର୍ଫ୍ୟୁମ(ଅତର) ବୋତଲକୁ ଆଇଡିରେ ପରିବର୍ତ୍ତନ କରାଯାଇପାରେ ତାହା ପୁଲିସ ଜାଣିବା ପରେ ଚମକି ପଡ଼ିଛି। ରିଆସି ଜିଲ୍ଲାରେ ଅରିଫର ଘର । ସେ ଜାମ୍ମୁ-କାଶ୍ମୀର ସ୍କୁଲ୍ରେ ପାଠ ପଢ଼ାଉଥିବା ଜଣେ ସରକାରୀ ସ୍କୁଲ୍ ଶିକ୍ଷକ ବୋଲି ଜଣାପଡ଼ିଛି।
ଏନେଇ ଜାମ୍ମୁ-କାଶ୍ମୀର ପୁଲିସ ଡିଜି ଦିଲବାଗ ସିଂହ କହିଛନ୍ତି “ ଆରିଫ ଆତଙ୍କବାଦୀ ସଂଗଠନ ଲକ୍ସର-ଇ ତୋଇବା ସହ ଜଡିତ ଥିଲା। ଏକ ଅତର ବୋତଲରେ ଆଇଡିକୁ ଲଗାଯାଇଥିଲା। ତାଠାରୁ ଏହାକୁ ଜବତ କରାଯାଇଛି।” ତେବେ ଏଭଳି ବୋମା ସେ ପ୍ରଥମ ଥର ପାଇଁ ଦେଖିଲେ ଓ ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ପାଇଁ ଏଭଳି ବୋମା ଜବତ କରାଗଲା ବୋଲି ପୁଲିସ ମୁଖ୍ୟ କହିଛନ୍ତି।
ଆଇଡିକୁ ଏମିତି ଜାଗରେ ଲଗାଯାଇଥିଲା ଯେ ଯିଏ ବି ପର୍ଫ୍ୟୁମ୍କୁ ଖୋଲିବ କିମ୍ବା ପ୍ରେସ୍ କରିବ ଲାଗିଥିବା ଆଇଡି ବ୍ଲାଷ୍ଟ ହେବ। ଏହି ମାମଲାରେ ଜାମ୍ମୁ-କାଶ୍ମୀର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତରେ ଲାଗିଛି ବୋଲି ଦିଲବାଗ ସିଂହ କହିଛନ୍ତି।
ଆରିଫ ପାକିସ୍ତାନ ଆତଙ୍କବାଦୀ ଦ୍ୱାରା ପରିଚାଳିତ ହେଉଥିଲା ବୋଲି ପୁଲିସ କହିଛି। ତେବେ ଗତ ବର୍ଷ ମେ ମାସରେ ବୈଷ୍ଣୋଦେବୀ ଯାଉଥିବା ବସ୍ରେ ବିସ୍ଫୋରଣ ମାମଲାରେ ଆରିଫ ସାମିଲ୍ ଥିବା ସ୍ୱୀକାର କରିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଥିଲେ ବୋଲି ଦିଲ୍ବାଗ ସିଂହ ସୂଚନା ଦେଇଛନ୍ତି।