ପ୍ରଧାନ ଶିକ୍ଷକଙ୍କ ଅଜବ କାରନାମା : ସାମାନ୍ୟ ଘରୋଇ କଳହ କାରଣରୁ ସ୍କୁଲ ଗୃହକୁ ବନେଇଦେଲେ ବେଡ୍‌ ରୁମ୍‌, ବାରଣ୍ଡାରୁ ମିଳିଲା ଶହ ଶହ ମଦ ବୋତଲ

Published By : Prameya-News7 Bureau | October 02, 2021 IST

ଲକ୍ଷ୍ନୌ ୦୨/୧୦ : ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର । ଏଠି  ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢାଯାଏ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଶିକ୍ଷକରୂପୀ ବିଶ୍ବକର୍ମା ସବୁବେଳେ ତତ୍ପର ହୋଇଥାନ୍ତି । କିନ୍ତୁ ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାର ଏକ ସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ଘରୋଇ କଳି କାରଣରୁ ଜଣେ ଶିକ୍ଷକ, ଚାକିରି କରୁଥିବା ବିଦ୍ୟାଳୟର ଏକ ଶ୍ରେଣୀଗୃହକୁ ନିଜ ବେଡ୍‌ରମ୍‌ରେ ପରିଣତ କରିଛନ୍ତି । ସମ୍ପୃକ୍ତ ଶିକ୍ଷକଜଣକ ଶ୍ରେଣୀ ଗୃହରେ ମଦ୍ୟପାନ କରୁଥିବା ମଧ୍ୟ ଅଭିଯୋଗ ରହିଛି । ଶିକ୍ଷକଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାର ଯାଞ୍ଚ ପାଇଁ ବ୍ଲକ ଶିକ୍ଷା ଅଧିକାରିଙ୍କୁ ଦାୟିତ୍ୱ ଦିଆଯାଇଛି ।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଗୋଟିଏ ରୁମ୍‌ରେ ଦୁଇଟି ବେଡ୍‌ ପଡ଼ିଛି । ବେଡ୍‌ ଉପରେ ଜଣେ ବ୍ୟକ୍ତି ବସିଥିବା ନଜର ଆସୁଛନ୍ତି । ନିକଟରେ ଥିବା ଟେବୁଲ ଉପରେ କିଛି ଜିନିଷ ମଧ୍ୟ ରହିଛି । କବେଳ ସେତିକି ନୁହେଁ ଟିଭି ବି ଲାଗିଛି। ଏସବୁ ଦେଖି ଆପଣଙ୍କୁ ସାଧାରଣ ଲାଗିପାରେ । କିନ୍ତୁ ଘଟଣା ସମ୍ପୁର୍ଣ୍ଣ ଭିନ୍ନ। ଏହା କୌଣସି ବ୍ୟକ୍ତିଙ୍କ ଘର ନୁହେଁ ବରଂ ମାଧବଗଞ୍ଜର ମହିମପୁର ପ୍ରାଥମିକ ବିଦ୍ୟାଳୟର ଏକ ଶ୍ରେଣୀଗୃହ । ସେଠାରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ସୁଧୀର କୁମାର ବିଦ୍ୟାଳୟକୁ ନିଜ ବ୍ୟକ୍ତିଗତ ଘରରେ ପରିଣତ କରିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସ୍କୁଲ ବାରଣ୍ଡାରେ ଅନେକ ମଦ ବୋତଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷକଜଣକ ବିଦ୍ୟାଳୟରେ ରହିବା ସମୟରେ ମଦ ପିଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଏସଏ ତୁରନ୍ତ ସେଠାକୁ ଯାଇ ତଦନ୍ତ କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଳେ । ତଦନ୍ତ ବେଳେ ଜଣାପଡିଥିଲା ଯେ, ସାମାନ୍ୟ ଘରୋଇ ଝଗଡ଼ା କାରଣରୁ ଶିକ୍ଷକ ଜଣଙ୍କ ବିଦ୍ୟାଳୟକୁ ନିଜ ବେଡ୍‌ ରୁମ୍‌ରେ ପରିଣତ କରିଦେଇଥିଲେ ଏବଂ ସେଠାରେ ମଦ ପିଇ ମାତାଲ ହୋଇ ରହୁଥିଲେ । ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ ସୁଧୀର କୁମାରଙ୍କୁ  ଚାକିରିରୁ ନିଲମ୍ୱନ କରିବା ସହିତ ତୁରନ୍ତ ଶ୍ରେଣୀଗୃହକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

hardoi primary school, UP News,

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.