ଲୋନ୍ ଆପ୍‌ରୁ ଆଣିଥିଲେ ଲକ୍ଷେ ଟଙ୍କା ଋଣ, ବର୍ଷକ ମଧ୍ୟରେ ସୁଝିଲେ ୩୭ଲକ୍ଷ ଟଙ୍କା : ଶେଷରେ କରଜରେ ବୁଡି ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | August 23, 2022 IST

ସୋର ୨୩।୮: ମୋବାଇଲ  ମାଧ୍ୟମରେ ଆସୁଥିବା ବିଭିନ୍ନ ପ୍ରକାର ଆକର୍ଷଣୀୟ ଲୋନ୍ ଆପ୍ ଜରିଆରେ ଲକ୍ଷେ ଟଙ୍କା ଋଣ ଆଣି ଜଣେ ଶିକ୍ଷକ ବର୍ଷକ ମଧ୍ୟରେ ୩୭ ଲକ୍ଷ ଟଙ୍କା ସୁଝିବା ପରେ ଶେଷରେ ମାନସିକ ଭାରସାମ୍ୟ ହରାଇ ଏକ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା  ଉଦ୍ୟମ କରି ଅଳ୍ପକେ ବଞ୍ଚି ଯାଇଛନ୍ତି । ଟ୍ରେନ ଚାଳକଙ୍କ  ଉପସ୍ଥିତ ବୁଦ୍ଧି ଯୋଗୁଁ ଶିକ୍ଷକ ଜଣକ ରକ୍ଷା ପାଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଖନ୍ତାପଡା  ଥାନା ମହାରାଜପୁର ଗ୍ରାମର ପ୍ରଦୀପ କୁମାର ଓଝା ପରିଖି ରିଜିଓନାଲ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଅଛନ୍ତି । ୨୦୧୭ ମସିହାରେ ବିବାହ ସମୟରେ ସେ କିଛି ଧାର କରିଥିଲେ । ସେଇ ଅର୍ଥକୁ ସୁଝିବା ପାଇଁ ମୋବାଇଲରେ  ଆସୁଥିବା ୧୦ଟି ଲୋନ ଆପରୁ ଲକ୍ଷେ ଟଙ୍କା ଋଣ କରିଥିଲେ । ଏହି ସବୁ ଋଣ ୭ ଦିନ ମଧ୍ୟରେ ପରିଶୋଧ କରିବାର ଥିଲା । ମାତ୍ର ସେ ଏହି ଋଣ ସୁଝିବା ବିଳମ୍ବ କରି ୨୦୧୯ ଡିସେମ୍ବରରୁ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଆପଗୁଡିକୁ ତରଫରୁ ବିଭିନ୍ନ ପ୍ରକାର ଧମକ ପାଇ ସେ  ୩୭ଲକ୍ଷ ଟଙ୍କା ସୁଝିବା ପରେ ବାଧ୍ୟ ହୋଇ ମୋବାଇଲଟିକୁ ଭାଙ୍ଗି ଦେଇଥିଲେ । ଏହା ପୂର୍ବରୁ ସେ ସୁଝିଥିବା ୩୭ଲକ୍ଷ ଟଙ୍କାକୁ ନିଜ ସ୍କୁଲ ସହକର୍ମୀ,  ପାଖ ପଡୋଶୀଙ୍କଠାରୁ ଧାର ଆଣିବା  ସହିତ ନିଜ ଗହଣା, ଗାଡି ବନ୍ଧା ପକାଇ ସୁଝିଥିଲେ । ସେବେଠାରୁ ଧାର କରିଥିବା  ଏହି ଟଙ୍କାକୁ ନିଜେ ପାଉଥିବା ଦରମା ଟଙ୍କାରୁ ସୁଝି  ଚାଲିଥିଲେ । ଶେଷରେ ଲୋକଙ୍କ ଧମକ ଚାପରେ  ଗୋଟିଏ କିଡନୀ ବିକିବା ପାଇଁ  ଯୋଜନା କରି ବିଫଳ ହୋଇଥିଲେ । ପ୍ରଦୀପଙ୍କ ବାପା ଜଣେ  ରିକ୍ସା ଚାଳକ ହୋଇଥିବାରୁ ସେ ମଧ୍ୟ ପୁଅକୁ କିଛି ସାହାଯ୍ୟ କରିପାରିନଥିଲେ । ଏଭଳି ପରିସ୍ଥିତିରେ ସ୍ତ୍ରୀ ପୁଅକୁ ନେଇ ବାପଘରକୁ ଚାଲିଯିବା ଫଳରେ ମାନସିକ ଚାପରେ ଥିଲେ । ମଙ୍ଗଳବାର ଅପରାହ୍ନରେ ସୋର ଷ୍ଟେସନ ଡାଉନ ମାଲବାହୀ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ । ମାତ୍ର ଟ୍ରେନ ପ୍ରତାପଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଚାଳକ ଟ୍ରେନକୁ ଅଟକାଇ ଦେଇଥିଲେ । ଷ୍ଟେସନ କର୍ମଚାରୀ ଆରପିଏଫ ଓ ସ୍ଥାନୀୟ ଲୋକମାନେ ତାଙ୍କୁ  ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ତାଙ୍କୁ ନେଇ ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.