ସ୍ୱାମୀ ହେବେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ, ସ୍ତ୍ରୀଙ୍କ ସମ୍ପତ୍ତି ୫ ଦିନରେ ବଢିଲା ୫୮୪ କୋଟି ଟଙ୍କା

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଦିନ ସେୟାର ମାର୍କେଟ୍ କ୍ରାସ୍ ହେବା ପରେ ଏବେ ପୁଣି ବଜାର ନିଜ ଟ୍ରାକକୁ ଫେରିଛି । ଏହାରି ଭିତରେ ସେୟାର ବଜାରରେ ସୂଚୀବଦ୍ଧ କମ୍ପାନି ହେରିଟେଜ୍ ଫୁଡ୍ସ ଲମ୍ୱା ଲମ୍ଫ ମାରିଛି । ଏଫଏମସିଜି ଷ୍ଟକ୍ ହେରିଟେଜ୍ ଫୁଡ୍ସ ସେୟାର ମୂଲ୍ୟ ରକେଟ୍ ବେଗରେ ବଢିବା ପଛରେ ବଡ଼ କାରଣ ହେଉଛି କମ୍ପାନିର ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖିଆ ଏନ୍.ଚନ୍ଦ୍ରବାବୁ ନାଇଡୁଙ୍କ ସହ ସମ୍ପର୍କ । ଉଲ୍ଲେଖଯୋଗ୍ୟ ଯେ ନାଇଡୁଙ୍କ ପତ୍ନୀଙ୍କ ପାଖରେ କମ୍ପାନିର ଏକ ବଡ଼ ଅଂଶଧନ ରହିଛି । ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ଟିଡିପି ଜବରଦସ୍ତ ପ୍ରଦର୍ଶନ କରି କ୍ଷମତାକୁ ଫେରିଛି । ଅନ୍ୟପଟେ ଲୋକସଭାରେ ମଧ୍ୟରେ ତାଙ୍କର ଦଳ ଏନଡିଏରେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରୂପେ ସାମନାକୁ ଆସିଛି ।

ହେରିଟେଜ୍ ଫୁଡ୍ସ ସେୟାରରେ ଶୁକ୍ରବାର ୧୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଏହାସହ ସେୟାର ମୂଲ୍ୟ ୬୬୧.୭୫ ଟଙ୍କାରେ ପହଞ୍ଚିଛି । ଏହା ସେୟାରର ୫୨ ସପ୍ତାହର ସବୁଠୁ ଉଚ୍ଚସ୍ତର ମଧ୍ୟ । ଗୋଟିଏ ସପ୍ତାହରେ ଏହି ସେୟାର ୬୦ ପ୍ରତିଶତରୁ ଅଧିକ ବଢିଛି । ସେୟାର ମୂଲ୍ୟକୁ ହିସାବ କଲେ ଗତ ଲଗାତାର ୫ କାରବାର ଦିନରେ ୨୫୬.୧୦ ଟଙ୍କା ବଢିଛି । ଜାନୁଆରୀରୁ ମାର୍ଚ୍ଚ ତୈମାସରେ ହେରିଟେଜ୍ ଫୁଡ୍ସ ଲିମିଟେଡର ସେୟାରହୋଲ୍ଡିଂକୁ ଦେଖିବାକୁ ଗଲେ ପ୍ରମୋଟର୍ସଙ୍କ ପାଖରେ ୪୧.୩୦ ପ୍ରତିଶତ ସେୟାର ଅଛି । ଅନ୍ୟପଟେ ପବ୍ଲିକ୍ ସେୟାରହୋଲ୍ଡିଂ ୫୮.୭୦ ପ୍ରତିଶତ ରହିଛି ।  

ମିଣ୍ଟର ଖବର ଅନୁସାରେ ଡିଟିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ଏବଂ ପ୍ରମୋଟର ନାରା ଭୁବନେଶ୍ୱରୀଙ୍କ ପାଖରେ ଏହି ଏଫଏମସିଜି କମ୍ପାନିର ୨୪.୩୭ ପ୍ରତିଶତ ବା ୨,୨୬,୧୧,୫୨୫ ସେୟାର ଅଛି । ଗତ କିଛି ଦିନରେ ହେରିଟେଜ୍ ଫୁଡ୍ସର ସେୟାରର ବୃଦ୍ଧିକୁ ଦେଖିବାକୁ ଗଲେ ନାରା ଭୁବନେଶ୍ୱରୀଙ୍କ ମୋଟ ସମ୍ପତ୍ତି ୫୮୪ କୋଟି ଟଙ୍କା ବଢିଛି ।

Disclaimer: ଏହା ନିବେଶ ପାଇଁ କୌଣସି ପରାମର୍ଶ ନୁହେଁ । କେବଳ ସେୟାରର ପ୍ରଦର୍ଶନ ଉପରେ କୁହାଯାଇଛି । ନିବେଶ ପୂର୍ବରୁ ଭାବି ବିଚାରି ନିଷ୍ପତ୍ତି ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.