ବଜେଟ୍ ପୂର୍ବରୁ ନାୟଡୁ ଓ ନିତିଶ ରଖିଲେ ଦାବି, ଏହି ସବୁ ପ୍ରକଳ୍ପ ଲାଗି କେନ୍ଦ୍ରକୁ ମାଗିଲେ ୪୮ ହଜାର କୋଟି ଟଙ୍କା

Published By : Prameya-News7 Bureau | July 07, 2024 IST

ନୂଆଦିଲ୍ଲୀ ୭।୭: ଚନ୍ଦ୍ରବାବୁ ନାୟଡୁଙ୍କ ଟିଡିପି ଓ ନିତିଶ କୁମାରଙ୍କ ଜେଡି(ୟୁ) ଜୁଲାଇ ୨୩ରେ ଉପସ୍ଥାପିତ ହେବାକୁ ଥିବା ସାଧାରଣ ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାଙ୍କ ନିକଟରେ ନିଜନିଜ ରାଜ୍ୟ ନିମନ୍ତେ ପାଖାପାଖି ୪୮ ହଜାର କୋଟି ଟଙ୍କା ଦାବି କରିଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ ୬ ଜୁଲାଇର ଏକ ରିପୋର୍ଟରେ ଏହି ଦାବି କରିଛି। ଗଣମାଧ୍ୟମକୁ ମିଳିଥିବା ଦସ୍ତାବେଜ୍ ଅନୁସାରେ କେନ୍ଦ୍ରରେ ବିଜେପିର ଦୁଇ ସହଯୋଗୀ ଜାରି ଆର୍ଥିକ ବର୍ଷ ନିମନ୍ତେ ଏହି ରାଶି ମାଗିଛନ୍ତି। ଏହା ଛଡା ସେମାନେ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟସ୍ ନିମନ୍ତେ ଉଧାରର ସୀମା ବଢାଇବାକୁ ମଧ୍ୟ ଦାବି କରିଛନ୍ତି। 

୧୬ ସାଂସଦଙ୍କ ସହିତ ଟିଡିପି ଓ ୧୨ଜଣ ସାଂସଦଙ୍କ ସହ ଜେଡି(ୟୁ) ନିକଟରେ ସମ୍ପନ୍ନ ହୋଇଥିବା ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ ଲଗାତାର ତୃତୀୟବାର ବିଜେପି ସରକାର ଗଢିବାରେ ସହଯୋଗ କରିଛନ୍ତି। ନିର୍ବାଚନରେ ବିଜେପି ନିଜ ବଳରେ ବହୁମତ ହାସଲରୁ ପଛେଇ ଯାଇଥିଲା। ଏହା ପରେ ହୋଇଥିବା ମେଣ୍ଟ ସରକାର ଗଠନ ପରଠାରୁ ହିଁ ନାୟଡୁ ଓ ନିତିଶ ନିଜନିଜ ରାଜ୍ୟ ପାଇଁ ଅତିରିକ୍ତ ରାଶି ମାଗିବେ ବୋଲି ଅନୁମାନ କରାଯାଉଥିଲା। ଚନ୍ଦ୍ରବାବୁ ନାୟଡୁ ଓ ନିତିଶ କୁମାର ଉଭୟ କେନ୍ଦ୍ରରେ ଏନଡିଏ ସରକାର ଗଢିବାରେ କିଙ୍ଗମେକର ଭୂମିକା ନିର୍ବାହ କରିଛନ୍ତି। 

ଏହା ପୂର୍ବରୁ ବ୍ଲୁମ ବର୍ଗର ଏକ ରିପୋର୍ଟରେ କୁହାଯାଇଥିଲା ଯେ ଚନ୍ଦ୍ରବାବୁ ନାୟଡୁ ଏକାକୀ ୧୨ ବିଲିୟନ ଡଲାର (୧ଲକ୍ଷ କୋଟି ଟଙ୍କା)ରୁ ଅଧିକ ଆର୍ଥିକ ସହାୟତା ମାଗିଛନ୍ତି। ଡିଟିପି ସୁପ୍ରିମୋ ଏଥି ପାଇଁ ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନାରେ ସେ ତାଙ୍କ ଦାବି ନେଇ ଚାପ ପକାଇଛନ୍ତି।  ଏହା ପୂର୍ବରୁ ‘ମନିକଣ୍ଟ୍ରୋଲ’ କହିଥିଲା ଯେ ଆନ୍ଧ୍ରପ୍ରଦେଶ ନିଜ ରାଜଧାନୀ ଅମରାବତୀକୁ ବିକଶିତ କରିବା ଓ ପୋଲାଭରମ ଜଳସେଚନ ପ୍ରକଳ୍ପର ବିକାଶ ନିମନ୍ତେ ଆର୍ଥିକ ସହାୟତା ମାଗିଛି। ଅମରାବତୀକୁ ଚନ୍ଦ୍ରବାବୁ ନାୟଡୁଙ୍କ ଡ୍ରିମ ପ୍ରୋଜେକ୍ଟ  ବୋଲି କକୁହାଯାଉଛି। 

ଏହା ଛଡା ନାୟଡୁ ବିଜୟୱାଡା, ବିଶାଖା ପାଟଣା ଓ ଅମରାବତୀରେ ମେଟ୍ରୋ ରେଲ ପ୍ରୋଜେକ୍ଟ, ଏକ ଲାଇଟ୍ ରେଳ ପ୍ରକଳ୍ପ, ବିଜୟୱାଡାରୁ ମୁମ୍ବାଇ ଓ ନୂଆ ଦିଲ୍ଲୀ ପର୍ଯ୍ୟନ୍ତ ବନ୍ଦେଭାରତ ଟ୍ରେନ ଲାଗି ମଧ୍ୟ ପାଣ୍ଠି ଚାହୁଁଛନ୍ତି। କେବଳ ଏତିକି ନୁହେଁ ସେ ପଛୁଆ ଜିଲ୍ଲାଙ୍କ ବିକାଶ, ରାମାୟପଟନମ ବନ୍ଦର, କଡପ୍ପାରେ ଏକ ଷ୍ଟିଲ ପ୍ଲାଣ୍ଟ ଭଳି ଇନଫ୍ରା ପ୍ରଡକ୍ଟ ନିମନ୍ତେ ମଧ୍ୟ ସେ ପାଣ୍ଠି ଚାହିଁଛନ୍ତି। ଏଥି ମଧ୍ୟରେ ଡକ୍ୟୁମେଣ୍ଟ ଅନୁସାରେ ବିହାର  ନିଜ ରାଜ୍ୟରେ ୯ଟି ନୂଆ ଏୟାରପୋର୍ଟ, ୨ଟି ଶକ୍ତି ପ୍ରକଳ୍ପ, ୨ଟି ନଦୀଜଳ କାର୍ଯ୍ୟକ୍ରମ ଓ ୭ ମେଡିକାଲ କଲେଜ ନିମନ୍ତେ ପାଣ୍ଠି ଦାବି କରିଛି। 

ତେବେ ଏହି ସବୁ ପ୍ରକଳ୍ପ ଲାଗି କେଉଁ ଅବଧି ନିମନ୍ତେ କେତେ ଧନ ମଗାଯାଇଛି ତାହା ରିପୋର୍ଟରେ କୁହାଯାଇ ନାହିଁ। ହେଲେ ରିପୋର୍ଟ ଅନୁସାରେ ଦୁଇ ରାଜ୍ୟ କେନ୍ଦ୍ର ସରକାର ସବୁ ରାଜ୍ୟଙ୍କୁ ଇନଫ୍ରାଷ୍ଟ୍ରକ୍ଚର ଲାଗି ଖର୍ଚ୍ଚ ନିମନ୍ତେ ବିନା ସର୍ତ୍ତରେ  ଦେୁଥିବା ଲଙ୍ଗଟର୍ମ ରାଶିକୁ ପାଖାପାଖି ୨ ଗୁଣା କରି ୧ ଲକ୍ଷ କୋଟି ଟଙ୍କା କରିଦେବାକୁ ମଧ୍ୟ ଚାହୁଁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.