ଛଟେଇ ନୁହେଁ ନିଯୁକ୍ତି; ମାନ୍ଦା ସମୟରେ ହୃଦୟ ଖୋଲା କଲା TCS

Published By : Prameya-News7 Bureau | April 27, 2023 IST

ନୂଆଦିଲ୍ଲୀ:  କର୍ମଚାରୀଙ୍କ ପାଇଁ ଭଣ୍ଡାରଘର ଖୋଲି ଦେଇଛି ଟିସିଏସ । ଛଟେଇ ବଦଳରେ ନିଯୁକ୍ତି ଦେବାରେ ବ୍ୟସ୍ତ ଏହି ଟେକ୍ କମ୍ପାନୀ ।  ବିଶ୍ବରେ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଯାଇଛି । ଏଥିରେ ଜୁଝି ହେଉଛନ୍ତି ଟେକ୍ କମ୍ପାନୀମାନେ । ରିସେସନ୍ ସମୟରେ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ହେଲେ ଭାରତୀୟ କମ୍ପାନୀ ‘ଟାଟା କନସଲଟାନ୍ସି ସର୍ଭିସ୍’ କର୍ମଚାରୀଙ୍କ ପାଇଁ ହୃଦୟ ଖୋଲା କରିଛି ।

କଠିନ ସମୟରେ ଛଟେଇ କରିବା ବଦଳରେ କର୍ମଚାରୀଙ୍କ ନିଯୁକ୍ତି ଦେବାରେ ବ୍ୟସ୍ତତା ଦେଖାଇଛି ।  ଏହା ସହିତ କର୍ମଚାରୀଙ୍କ ବେତନରେ ମଧ୍ୟରେ ବଡ଼ ପଦକ୍ଷେପ ନେଇଛି । ବରିଷ୍ଠ ଓ କନିଷ୍ଠଙ୍କ ଦରମାରେ ଅସମାନତାକୁ ହ୍ରାସ କରିଛି । କର୍ମଚାରୀଙ୍କ ମଧ୍ୟରେ ସିନିୟର ଓ ଜୁନିୟର ସମସ୍ୟାକୁ କମ୍ କରିବାକୁ କମ୍ପାନୀ ଚାହୁଁଛି ବୋଲି ଟିସିଏସ କର୍ତ୍ତୃପକ୍ଷ କହିଛନ୍ତି ।

ଟିସିଏସ ମୁଖ୍ୟ ଏଚଆର୍ ମିଲିଂଦ ଲକ୍କଡ, ମନିକଣ୍ଟ୍ରୋଲକୁ ସାକ୍ଷାତକାର ଦେଇ କହିଛନ୍ତି, କମ୍ପାନୀ ନିଜ କର୍ମଚାରୀଙ୍କୁ ଅପସ୍କିଲ୍ କରିବା ସହିତ ଦ୍ବିଗୁଣା ବେତନ ପ୍ରଦାନ କରିବାକୁ ପ୍ରସ୍ତୁତି କରୁଛି। କରୋନା ମହାମାରୀ ସମୟରେ ଇଣ୍ଡଷ୍ଟ୍ରି ବାହାରକୁ ଆସିଛି । ଏଥିପାଇଁ କମ୍ପାନୀ ଟ୍ୟାଲେଣ୍ଟ ଖୋଜିବାରେ ବ୍ୟସ୍ତ ରହିଛି । ଆଶାୟୀଙ୍କୁ ଆକୃଷ୍ଟ କରିବାକୁ ଦ୍ବିଗୁଣା ବେତନ ମଧ୍ୟ ଅଫର କରୁଛି । ଫଳରେ କର୍ମଚାରୀଙ୍କ ମଧ୍ୟରେ ଦରମାର ଅସମାନତା ହ୍ରାସ ପାଇଛି ।

ଷ୍ଟାଟଅପ୍ କମ୍ପାନୀରୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ଭର୍ତ୍ତି କରିବାକୁ ଟିସିଏସ ପ୍ରସ୍ତୁତି ଆରମ୍ଭ କରିଛି । ଏହାଛଡ଼ା କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୪୦ ହଜାର ଟ୍ରେନି କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି । ବର୍ତ୍ତମାନ ସମୟରେ ଟିସିଏସରେ ୬ଲକ୍ଷ କର୍ମଚାରୀ କାମ କରୁଛନ୍ତି । ମିଲିଂଦ ଲକ୍କଡ କହିଛନ୍ତି, କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବାରେ ବିଶ୍ବାସ ରଖେନାହିଁ । କିଛି କମ୍ପାନୀ ଆବଶ୍ୟକତା ଠାରୁ ଅଧିକ କର୍ମଚାରୀ ରଖିଛନ୍ତି , ତେଣୁ ସେମାନେ ଛଟେଇ କରୁଛନ୍ତି । ଏବାବଦରେ କିନ୍ତୁ ଟିସିଏସ ସତର୍କ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.