ବିମାନରେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା ଘଟଣା: ବ୍ୟକ୍ତିଗତ ଭାବେ ଦୁଃଖ ପ୍ରକାଶ କଲେ ଟାଟା ସନ୍ସର ଚେୟାରମ୍ୟାନ୍
8/01/2023 at 5:01 PM

ନୂଆଦିଲ୍ଲୀ, ୦୮/୦୧: ଏୟାର ଇଣ୍ଡିଆର ବିମାନରେ ବୃଦ୍ଧା ମହିଳାଙ୍କ ଉପରେ ପରିସ୍ରା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଟାଟା ସନ୍ସର ଚେୟାରମ୍ୟାନ୍ ଏନ.ଚନ୍ଦ୍ରଶେଖରନ। ସେ କହିଛନ୍ତି ଏୟାର ଇଣ୍ଡିଆର ବିମାନରେ ନିଶାଶକ୍ତ ଜଣେ ବ୍ୟକ୍ତି ବୃଦ୍ଧା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଚନ୍ଦ୍ରଶେଖରନ ଏକ ବୟାନରେ କହିଛନ୍ତି, ଏୟାର ଇଣ୍ଡିଆକୁ ପ୍ରତିକ୍ରିୟା ଯଥାଶୀଘ୍ର ଦେବାର ଥିଲା। କିନ୍ତୁ ଆମେ ଏଭଳି ସ୍ଥିତିକୁ ଯେଉଁଭଳି ଭାବରେ ସମ୍ଭାଳିବାର ଥିଲା ସେଭଳି ଭାବରେ ସମ୍ଭାଳିବାରେ ବିଫଳ ଥିଲୁ।
ସେ ଆହୁରି କହିଛନ୍ତି, ଟାଟା ଗ୍ରୁପ୍ ଏବଂ ଏୟାର ଇଣ୍ଡିଆ ଯାତ୍ରୀ ଏବଂ ଚାଳକ ଦଳର ସୁରକ୍ଷା ଏବଂ ହିତ ପାଇଁ ବିଶ୍ବାସର ସହ ଛିଡ଼ା ହୋଇଛି। ଏଭଳି ଘଟଣା ରୋକିବା ପାଇଁ ସବୁ ପ୍ରକ୍ରିୟାର ସମୀକ୍ଷା କରି ସେଥିରେ ସୁଧାର କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଏନ୍ ଚନ୍ଦ୍ରଶେଖରନ।
ସୂଚନାଯୋଗ୍ୟ, ଅଭିଯୁକ୍ତ ଶଙ୍କର ମିଶ୍ରା ଗତବର୍ଷ ୨୬ ନଭେମ୍ବରରେ ନ୍ୟୁୟର୍କରୁ ଦିଲ୍ଳୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନର ବିଜନେସ କ୍ଲାସ୍ରେ ନିଶାଶକ୍ତ ଅବସ୍ଥାରେ ଜଣେ ବରିଷ୍ଠ ମହିଳାଙ୍କ ଉପରେ ପରିସ୍ରା କରିଦେଇଥିଲେ। ଏହି ଘଟଣାରେ ଦିଲ୍ଲୀ ପୋଲିସ୍ ମହିଳାଙ୍କ ଅଭିଯୋଗ ଆଧାରରେ ଚାରି ଜାନୁଆରୀରେ ମିଶ୍ରାଙ୍କ ବିରୋଧରେ ପ୍ରାଥମିକ ମାମଲା ରୁଜୁ କରିଥିଲେ। ଦିଲ୍ଳୀ ପୋଲିସ ଶଙ୍କର ମିଶ୍ରାଙ୍କୁ ଶନିବାର ବେଙ୍ଗାଲୁରୁରୁ ଗିରଫ କରିଛି। ଦିଲ୍ଳୀର ଏକ ଅଦାଲତ ପରେ ମିଶ୍ରାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତରେ ପଠାଇଛନ୍ତି।
ଭାରତରେ କାମ କରୁଥିବା ମହୁରାଷ୍ଟ୍ରୀୟ କମ୍ପାନୀ ଓ୍ବେଲ୍ସ ଫାରଗୋ ସହ କାମ କରୁଥିବା ମିଶ୍ରାଙ୍କୁ ଶୁକ୍ରବାର ବରଖାସ୍ତ କରିଦିଆଯାଇଥିଲା। ଏୟାର ଇଣ୍ଡିଆ ମଧ୍ୟ ରବିବାର ବିମାନର ଚାଳକ ଦଳର ଚାରି ସଦସ୍ୟ ତଥା ପାଇଲଟଙ୍କ ଯାଞ୍ଚ ସରିବା ପର୍ଯ୍ୟନ୍ତ ଚାକିରିରୁ ହଟାଇଛି ତଥା ଏୟାରଲାଇନ ବିମାନରେ ମଦ ପରଷିବା ଏହାର ନୀତିକୁ ସମୀକ୍ଷା କରୁଛି।