ଉବରକୁ ୨୫ ହଜାର ଇଲେକ୍ଟ୍ରିକ୍ କାର୍ ଯୋଗାଇବ ଟାଟା ମୋଟର୍ସ, ଇଭି ଯାନ କ୍ଷେତ୍ରରେ ସବୁଠୁ ବଡ଼ ଡିଲ୍
20/02/2023 at 7:21 PM

ନୂଆଦିଲ୍ଳୀ, ୨୦/୦୨: ଉବରକୁ ୨୫ ହଜାର ଇଭି କାର୍ ଯୋଗାଇବ ଟାଟା ମୋଟର୍ସ। ଟାଟା ମୋଟର୍ସ ଏହାର ନୂଆ ଇଭି ମଡେଲ XPREST ର ୨୫ ହଜାର ୟୁନିଟ୍ ୟୁବରକୁ ଯୋଗାଇବାକୁ ଯାଉଛି। ସୋମବାର ଟାଟା ମୋଟର୍ସ ଏବଂ ଉବର ତରଫରୁ ଏକ ମିଳିତ ବିବୃତ୍ତିରେ ସୂଚନା ଦିଆଯାଇଛି । ଏହି ଡିଲ୍କୁ ଇଭି ଯାନ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ଼ ଡିଲ୍ ବୋଲି କୁହାଯାଉଛି।
ଉଭୟ କମ୍ପାନୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ୟୁବର ଏହି ଇଭି କାର୍କୁ ଏହାର ପ୍ରିମିୟମ ସେବାରେ ରଖିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ ଏନସିଆର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅହମଦାବାଦରେ ଏହି ଇଭି କାର୍ ସେବା ଯୋଗାଇବ। ପର୍ଯ୍ୟାୟକ୍ରମେ ୟୁବରକୁ ଏହି ସବୁ ଯାନଗୁଡ଼ିକ ହସ୍ତାନ୍ତର କରାଯିବ। ଯାହାକି ଚଳିତ ମାସରୁ ହିଁ ଆରମ୍ଭ ହେବ। ତେବେ ଏନେଇ କେତେ ଟଙ୍କାର ଡିଲ୍ ହୋଇଛି ତାହା ଜଣାପଡ଼ିନାହିଁ। XPREST ର ପ୍ରତି ୟୁନିଟ୍ର ମୂଲ୍ୟ ୧୩.୦୪ ଲକ୍ଷ(ଏକ୍ସ-ସୋରୁମ ଦିଲ୍ଲୀ)ରୁ ଆରମ୍ଭ ହେଉଛି। XPREST (ଏକ୍ସ ସୋ-ରୁମ୍)ର ପ୍ରତି ୟୁନିଟ୍ ୨୭୭ ରୁ ୩୧୫ କିମିର ରେଞ୍ଜ ଦେଇଥାଏ।
ଡିଲ୍କୁ ନେଇ ଟାଟା ମୋଟର୍ସର ପାସେଞ୍ଜର ଯାନ ଏବଂ ଟାଟା ପାସେଞ୍ଜର ମୋବିଲିଟିର ପରିଚାଳନା ନିର୍ଦେ୍ଦଶକ ଶୈଳେଶ ଚନ୍ଦ୍ରା କହିଛନ୍ତି, ‘‘ଭାରତର ଏକ ପ୍ରମୁଖ ରାଇଡ୍ ସେୟାରିଂ ପ୍ଲାଟଫର୍ମ ସହ ସହଭାଗିତାକୁ ନେଇ ଆମେ ଖୁସି ଅଛୁ। ଏହି ଡିଲ୍ ଗ୍ରାହକଙ୍କୁ ପରିବେଶ ଅନୂକୁଳ ଯାତ୍ରା ତଥା ସବୁଜ-ସ୍ବଚ୍ଛ ଯାତ୍ରା ପ୍ରଦାନ କରିବ। ଏହି ସହଭାଗିତା ଭବିଷ୍ୟତରେ ଇଭି ସେଗମେଣ୍ଟରେ ଭାରତୀୟ ବଜାରରେ ଆମର ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହେବ।’’
ସେହିପରି ଉବର ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ଅଧ୍ୟକ୍ଷ ପ୍ରଭଜିତ୍ ସିଂହ କହିଛନ୍ତି, ‘‘ଉବର ଭାରତରେ ସେୟାରିଂ ରାଇଡ୍ ଯୋଗାଇବ କ୍ଷେତ୍ରରେ ସ୍ଥାୟୀତ୍ବ ପାଇଁ ପ୍ରତିବଦ୍ଧ। ଆଉ ଟାଟା ମୋଟର୍ସ ସହ ସହଭାଗିତା ଏକ ପ୍ରମୁଖ ମାଇଲଖୁଣ୍ଟ ହେବ। ଏହି ପାର୍ଟନରସିପ୍ ଆଜି ଏକ ରାଇଡ୍ ସେୟାରିଂ ପ୍ଲାଟ୍ଫର୍ମ ଏବଂ କାର୍ ନିର୍ମାତା ମଧ୍ୟରେ ଆଜି ପର୍ଯ୍ୟନ୍ତ ହୋଇଥିବା ଇଭି ପାର୍ଟନରସିପ୍ ମଧ୍ୟରେ ସବୁଠୁ ବଡ଼ ଡିଲ୍। ଏହା ଆମର ଜିରୋ ଏମିସନ ଭିଜନ ପାଇଁ ଆହୁରି ସହାୟକ ହେବ ଏବଂ ଭବିଷ୍ୟତରେ ସ୍ଥାୟୀ ଯୋଗାଇବ।’’