‘ଆକାଶ ଆମ ପାଖରେ ଚାକିରୀ କରିନଥିଲେ, ସ୍କାଏକିଙ୍ଗ୍ ଭେଣ୍ଡର ନୁହେଁ’ - ଥାନାରେ ଲିଖିତ ଭାବେ ଜଣାଇଲେ ଟାଟା ମୋଟର୍ସ

Published By : Prameya-News7 Bureau | December 05, 2020 IST

ଭୁବନେଶ୍ବର ୫।୧୨: ଆଇଏଫଏସ  ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପରେ ଝାରପଡା ଜେଲ୍ ପଠାଇ ଦିଆଯାଇଛି । ତେବେ ଆକାଶ ପାଠକ ଟାଟା ମୋଟର୍ସର କର୍ମଚାରୀ ବୋଲି କହୁଥିବା ବେଳେ ଟାଟା ମୋଟର୍ସ କିନ୍ତୁ ତାହାକୁ ଖଣ୍ଡନ କରିଛି । ଏ ନେଇ ଖାରବେଳନଗର ଥାନାରେ ସ୍ପଷ୍ଟୀକରଣ ରଖିଛି ଟାଟା ମୋଟର୍ସ । ଟାଟା ମୋଟର୍ସରେ ଆକାଶ କୌଣସି ପଦରେ ନାହାନ୍ତି । ସ୍କାଏ କିଙ୍ଗ୍ ଟ୍ରାଭେଲ୍ସ ଟାଟା ମୋର୍ଟସର ଭେଣ୍ଡର ନୁହେଁ ବୋଲି ଟାଟା ମୋଟର୍ସ ପକ୍ଷରୁ ସ୍ପଷ୍ଟୀକରଣରେ ଦର୍ଶାଯାଇଛି ।

ଅନ୍ୟପଟେ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ରିମାଣ୍ଡ ସରିବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । ୩ ଦିନିଆ ରିମାଣ୍ଡରେ ନେଇ ଭିଜିଲାନ୍ସ ଖୋଳତାଡ କରୁଥିବା ବେଳେ ଶନିବାର ରିମାଣ୍ଡର ୩ୟ ଦିନ ଜେରା ପୂର୍ବରୁ ଉଭୟଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା । ତେବେ ମେଡିକାଲରୁ ବାହାରିବା ବେଳେ ପ୍ରତିକ୍ରିୟା ରଖିଥିଲେ ଆକାଶ ପାଠକ । ଷଡଯନ୍ତ୍ର କରି ତାଙ୍କୁ ଫସାଇ ଦିଆଯାଇଥିବା କହିଥିଲେ ଆକାଶ । ବାହାରକୁ ଆସିଲେ ସବୁ କହିବେ ବୋଲି କହିଥିଲେ ଆକାଶ ପାଠକ । ଟାଟ ମୋଟର୍ସରେ ଚାକିରୀ କରିଥିବା କଥା ସତ ହୋଇଥିବା ବେଳେ ସବୁ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ଆକାଶ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.