ଭାରତରେ ଆଇଫୋନ୍ ଉତ୍ପାଦନ କରିପାରେ ଟାଟା, ଡିଲ୍ ସଫଳ ହେଲେ ଚୀନକୁ ଦେବ ଟକ୍କର
11/07/2023 at 10:42 PM

ନୂଆଦିଲ୍ଲୀ, ୧୧/୦୭: ଖୁବ୍ଶୀଘ୍ର ମୋବାଇଲ ଫୋନ୍ ନିର୍ମାଣ କ୍ଷେତ୍ରରେ ଏଣ୍ଟ୍ରି କରିପାରେ ଟାଟା ଗ୍ରୁପ୍ । ଏଥିପାଇଁ କମ୍ପାନି ଆପଲର ସପ୍ଲାୟର ଭିଷ୍ଟ୍ରନ୍ କର୍ପ ସହ କଥାବାର୍ତ୍ତା ଜାରି ରଖିଛି। ଖୁବ୍ଶୀଘ୍ର ଉଭୟ କମ୍ପାନି ମଧ୍ୟରେ ଡିଲ୍ ହୋଇପାରେ। ଯଦି ଏହି ଡିଲ୍ ଚୂଡ଼ାନ୍ତ ହେଉଛି ତେବେ ଟାଟା ଗ୍ରୁପ୍ ଆଇଫୋନ୍ ତିଆରି କରିବାରେ ଦେଶର ପ୍ରଥମ କମ୍ପାନି ହୋଇଯିବ। ସୂଚନାଥାଉକି, ଆଇଫୋନ୍ ତିଆରି କରୁଥିବା କମ୍ପାନି ଭିଷ୍ଟ୍ରନର ପ୍ଲାଣ୍ଟ୍ କର୍ଣ୍ଣାଟକରେ ରହିଛି। ଡିଲ୍ ହେବା ପରେ ଟାଟା କର୍ଣ୍ଣାଟକର ପ୍ଲାଣ୍ଟକୁ ଅଧିଗ୍ରହଣ କରିପାରେ। ତେବେ ଟାଟାର ଏହି ପଦକ୍ଷେପ ଦ୍ବାରା ଚୀନକୁ କଡ଼ା ଟକ୍କର ମିଳିବ।
ତାଇବାନିଜ୍ କମ୍ପାନି ଭିଷ୍ଟ୍ରନ ଚୁକ୍ତିଭିତ୍ତିରେ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉତ୍ପାଦନ କରିଥାଏ। ନିକଟରେ କମ୍ପାନି କର୍ଣ୍ଣାଟକ ପ୍ଲାଣ୍ଟରୁ ଚଳିତ ବର୍ଷ ୧.୮ ବିଲିୟନ ଡଲାରର ଆଇଫୋନ ଟାର୍ଗେଟ ରଖିଛି। ଏହି ଟାର୍ଗେଟ ପୂରଣ କଲେ ସରକାରୀ ପ୍ରୋତ୍ସାହନ ମଧ୍ୟ ମିଳିବ। ସେହିପରି କମ୍ପାନି ଏହାର ଓ୍ବାର୍କଫୋର୍ସକୁ ମଧ୍ୟ ଆସନ୍ତା ବର୍ଷ ସୁଦ୍ଧା ତିନି ଗୁଣା ବଢ଼ାଇବାକୁ ଧ୍ୟାନ ଦେଉଛି। ତେବେ ଟାଟା, ଭିଷ୍ଟ୍ରନ ଏବଂ ଆପଲ ତରଫରୁ ଡିଲ୍ ନେଇ କିଛି କୁହାଯାଇନଥିଲେ ମଧ୍ୟ ସୂଚନା ରହିଛି ଏନେଇ ଟାଟା ଏବଂ ଭିଷ୍ଟ୍ରନ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି। ଅଗଷ୍ଟରେ ଡିଲ୍ ଚୂଡ଼ାନ୍ତ ହୋଇପାରେ। ସୂଚନାଥାଉକି, ଭିଷ୍ଟ୍ରନ ଭାରତରେ ଆଇଫୋନ ଉତ୍ପାଦନରୁ ବାହାରିବାକୁ ଚାହୁଛି। ଏମିତିରେ ଟାଟା ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଛି।
ଆହୁରି ପଢ଼ନ୍ତୁ: TCS ପରେ ଟାଟା ଷ୍ଟିଲର ବଡ଼ କାର୍ଯ୍ୟାନୁଷ୍ଠାନ, ୩୮ କର୍ମଚାରୀଙ୍କୁ କଲା କମ୍ପାନିରୁ ବିଦା
ଚୀନକୁ ଦେବ ଟକ୍କର:
ସରକାର ବିଦେଶୀ କମ୍ପାନିଙ୍କୁ ଭାତରରେ ନିଜ ଉତ୍ପାଦନ ଏବଂ ଓ୍ବାର୍କଫୋର୍ସକୁ ବଢ଼ାଇବାକୁ ପ୍ରୋତ୍ସାହନ ଦେଉଛନ୍ତି। କରୋନା ପରଠାରୁ ଯୋଗାଣରେ ଅସୁବିଧା ଓ ଆମେରିକା ଏବଂ ଚୀନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଫଳରେ ବିଦେଶୀ କମ୍ପାନି ଭାରତରେ ନିବେଶ କରିବା ପାଇଁ ଆଗକୁ ଆସୁଛନ୍ତି। ଟାଟା ଗ୍ରୁପ୍ ନିକଟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଏଣ୍ଟ୍ରି କରିଛି । ତାମିଲନାଡୁରେ କମ୍ପାନିର ଫ୍ୟାକ୍ଟ୍ରିରେ ଆଇଫୋନ୍ ପାଇଁ ମେଟାଲ ବ୍ୟାକ୍ ତିଆରି କରୁଛି।