ଟାଟା ହାତେଇଲା ମହିଳା ଆଇପିଏଲର ଟାଇଟଲ ସ୍ପୋନସର, ଘୋଷଣା କଲା ବିସିସିଆଇ…
22/02/2023 at 3:09 PM

ନୂୂଆଦିଲ୍ଲୀ ୨୨।୦୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ପ୍ରାୟୋଜକ ଅଧିକାର ହାସଲ କରିବା ପରେ ଟାଟା ଗ୍ରୁପ୍ ପ୍ରଥମ ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ସ୍ପୋନସର ହାସଲ କରିଛି । ମହିଳା ଆଇପିଏଲ୍ର ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଭାରତୀୟ କ୍ରିକେଟ୍ ବୋର୍ଡ ସଚିବ ଜୟ ଶାହା ।
ସେ କହିଛନ୍ତି ଯେ, ‘ମୁଁ ଏହା ଘୋଷଣା କରି ବହୁତ ଖୁସି ଯେ, ଟାଟା ଗ୍ରୁପ୍ ପ୍ରଥମ WPର ଟାଇଟଲ୍ ପ୍ରାୟୋଜକ ହେବ । ଟାଟା ସହଯୋଗରେ ଆମେ ମହିଳା କ୍ରିକେଟକୁ ପରବର୍ତ୍ତୀ ସ୍ତରକୁ ନେବାକୁ ସହାୟତା ହେବ ।’ ସୂତ୍ରରୁ ପ୍ରକାଶ ଯେ ଟାଟା ୫ ବର୍ଷ ପାଇଁ ପ୍ରାୟୋଜକ ଅଧିକାର ହାସଲ କରିଛି । ଗତ ବର୍ଷ ଟାଟା ମଧ୍ୟ IPLର ସ୍ପୋନସର ନେଇଥିଲା । ମାର୍ଚ୍ଚ ୪ରୁ ଖେଳା ଯିବାକୁ ଥିବା ମହିଳା ପ୍ରିମିୟର ଲିଗର ୨୨ଟି ମ୍ୟାଚ୍ ମୁମ୍ବାଇର ବ୍ରାବୋର୍ଣ୍ଣ ଏବଂ ଡିଓ୍ଵାଇ ପାଟିଲ ଦୁଇଟି ଷ୍ଟାଡିୟମରେ ଖେଳାଯିବ । ତେବେ ଟାଟା କେତେ ମୂଲ୍ୟରେ WPLର ପ୍ରାୟୋଜକ ହାସଲ କରିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
WPL ରେ ଭାଗ ନେଇଥିବା ଟିମ୍ ଗୁଡିକ ହେଲେ ମୁମ୍ବାଇ ଇଣ୍ଡିଆନ୍(MI), ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର(RCB), ଦିଲ୍ଲୀ କ୍ୟାପିଟାଲ୍(DC), ଗୁଜୁରାଟ ଟାଇଟନ୍ସ(GT), ୟୁପି ଓ୍ବାରିୟର୍ସ(UPW) । ଉଲ୍ଲେଖନୀୟ ମହିଳା ଆଇପିଏଲ୍ର ମିଡିଆ ରାଇଟର୍ସ ୯୫୧ କୋଟିରେ ବିକ୍ରି ହୋଇଛି ।