ଟାଟାକୁ ପସନ୍ଦ ଆସିଲାନି ବିସଲେରୀ ପାଣି, ଡିଲ୍‌ କ୍ୟାନ୍ସଲ୍‌

Published By : Prameya-News7 Bureau | March 17, 2023 IST

ନୂଆଦିଲ୍ଳୀ, ୧୭/୦୩: ବିସଲେରୀକୁ କିଣିବନି ଟାଟା। ଲୋକପ୍ରିୟ ପ୍ୟାକେଜ୍ ପାଣି ବୋତଲର ଦିଗ୍ଗଜ ବ୍ରାଣ୍ଡ୍‌ ବିସଲେରୀକୁ କିଣିବନି ଟାଟା। ଟାଟା ସମୂହର ଏଫଏମସିଜି କମ୍ପାନୀ ଟାଟା କନଜ୍ୟୁମର ପ୍ରୋଡକ୍ଟସ, ଷ୍ଟକ୍‌ ଏକ୍ସଚେଞ୍ଜକୁ ଦେଇଥିବା ସୂଚନା ଅନୁଯାୟୀ ଟାଟା ଏହି ଡିଲ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ କହିଛି ଯେ ଏହି ପ୍ରସଙ୍ଗକୁ ନେଇ କୌଣସି ନିଶ୍ଚିତ ବୁଝାମଣା କିମ୍ବା ବାଧ୍ୟତାମୂଳକ ପ୍ରତିବଦ୍ଧତା ହୋଇନଥିଲା। ଆଉ ଏବେ ଏହି ଡିଲ୍‌ ଉପରେ ବିରାମ ଲାଗିଛି।

ସୂଚନାଯୋଗ୍ୟ, ଗତ ବର୍ଷ ଏହି ଖବର ସାମ୍ନାକୁ ଆସିଥିଲା ଯେ ଟାଟା କନଜ୍ୟୁମର ପ୍ରୋଡକ୍ଟସ ଲିମିଟେଡ୍ (TCPL) ପ୍ରାୟ ୭୦୦୦ କୋଟି ଟଙ୍କାରେ ବିସଲେରୀ ବ୍ରାଣ୍ଡ୍‌କୁ କିଣିବାକୁ ଯାଉଛି। ଏଥିପାଇଁ ଟାଟା ବିସଲେରୀର ପ୍ରମୋଟର୍ସଙ୍କ ସହ ପ୍ରାୟ ଦୁଇ ବର୍ଷ ଧରି କଥାବାର୍ତ୍ତା ଚଳାଇଥିଲା। କିନ୍ତୁ ଏବେ ଏହି ଡିଲ୍‌ ଉପରେ ବିରାମ ଲାଗିଛି।

ବିସଲେରୀର ଅଧ୍ୟକ୍ଷ ରମେଶ ଚୌହାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ରହୁଥିବା କାରଣରୁ ଏବଂ ବିସଲେରୀ ବ୍ରାଣ୍ଡ୍‌କୁ ଆଗକୁ ବଢ଼ାଇବା ପାଇଁ କେହି ଉତ୍ତରାଧିକାରୀ ନଥିବା ଫଳରେ ବିସଲେରୀର ବିସ୍ତାର ହୋଇପାରୁନାହିଁ। ତାଙ୍କର ଝିଅ ଜୟନ୍ତୀଙ୍କର ମଧ୍ୟ ବ୍ୟବସାୟାରେ ରୁଚି ନାହିଁ। ଏଥିପାଇଁ ସେ କାରବାରକୁ ବିକ୍ରି କରିବାକୁ ଚାହୁଥିଲେ କିନ୍ତୁ ଏବେ ଟାଟା ସହ କମ୍ପାନୀ ଡିଲ୍‌ କରୁନଥିବା ନେଇ ଖବର ଆସିଛି।

ରମେଶ ଚୌହାନ କହିଥିଲେ ଯେ ଟାଟା ସମୂହ ବିସଲେରୀ ବ୍ରାଣ୍ଡ୍‌କୁ ଭଲ ଭାବରେ ଆଗକୁ ନେଇପାରିବ। ଅବଶ୍ୟ ସେ କହିଥିଲେ ଯେ ବିସଲେରୀ ବ୍ରାଣ୍ଡ୍କୁ ବିକିବା ତାଙ୍କ ପାଇଁ ଖୁବ୍ କଠିନ ନିଷ୍ପତ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.