ଜୀବନ ପ୍ରତି କାଳ ହେଉଛି ଚୀନ ତିଆରି କମ୍ବଳ: ଦୁଇ ଜଣଙ୍କ ମୃତ୍ୟୁ ପରେ ବଜାରରୁ ହଟାଇବାକୁ ଆମେରିକାର ନିଷ୍ପତ୍ତି

Published By : Prameya-News7 Bureau | December 26, 2022 IST

ବେଜିଂ: ଚୀନ ତିଆରି କରିଥିବା କମ୍ବଳରେ ଅଣନିସ୍ୱାସୀ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ପିଲା। ଦୁଇ ଝିଅଙ୍କ ମୃତ୍ୟୁ ଖବର ଆସିବା ପରେ ବିକ୍ରି ହୋଇଥିବା ବ୍ଲାଙ୍କେଟ୍‌ ସବୁକୁ ଫେରାଇ ଆଣିବା ଆରମ୍ଭ କରିଛି ଆମେରିକା ଷ୍ଟୋର ଚେନ୍ କମ୍ପାନୀ ଟାର୍ଗେଟ୍। କମ୍ପାନୀ ଆମେରିକାରେ ବିକ୍ରି କରିଥିବା ୨୦୪,୦୦୦ ବ୍ଲାଙ୍କେଟ୍‌କୁ ଫେରାଇ ଆଣିବାକୁ ଟାର୍ଗେଟ୍‌ ଉଧ୍ୟମ ଆରମ୍ଭ କରିଛି।

ଶ୍ୱାସରୋଧ ହୋଇ ମୃତ୍ୟୁ ହେବାର ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି କମ୍ବଳକୁ ଫେରାଇ ଆଣିବାକୁ ଆମେରିକା ଗ୍ରାହକ ସାମଗ୍ରୀ ସୁରକ୍ଷା କମିଶନ(CPSC) ଘୋଷଣା କରିଛି। ତା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ସିପିଏସ୍‌ସି।

ଏଥିପାଇଁ ଆଗାମୀ ଦିନରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଟକିଅ ଲାଗିଥିବା ଏହି ଚୀନ ବ୍ଲାଙ୍କେଟ୍‌କୁ ବଜାରରୁ ହଟାଇ ଦିଆଯିବ ବୋଲି ସିପିଏସ୍‌ସି କହିଛି। ସୂଚନା ଥାଉକି ଚଳିତ ଏପ୍ରିଲରେ ଉତ୍ତର କାର୍ଲିଫୋନିଆରେ ଚୀନ ବ୍ଲାଙ୍କେଟ୍ ଘୋଡ଼େଇ ହୋଇ ଜଣେ ୪ ବର୍ଷର ଓ ଅନ୍ୟ ଜଣେ ୬ ବର୍ଷର ଝିଅର ମୃତ୍ୟୁ ହୋଇଥିଲା। ଏହି ଖବର ପରେ ଘଟଣାକୁ ନେଇ ସତର୍କତା ଅବଲମ୍ବନ କରିଥିଲା ପ୍ରଶାସନ।

ତେବେ ଯେଉଁ ଗ୍ରାହକମାନେ ଏହି କମ୍ବଳ କିଣିଛନ୍ତି ସେମାନେ ଏହାର ବ୍ୟବହାର ବନ୍ଦ କରିବା ସହିତ କମ୍ବଳ କିଣିଥିବା ଦୋକାନରେ ଯୋଗାଯୋଗ କରି ଏହାକୁ ସେଠାରେ ଫେରାଇ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି ବୋଲି ସିପିଏସ୍‌ସି କମିଶନର ରିଚାର୍ଡ ଟ୍ରୁମକା କହିଛନ୍ତି।

ଚୀନରେ ତିଆରି ହୋଇଥିବା ଏହି କମ୍ବଳସବୁ ଟାର୍ଗେଟ୍ ଷ୍ଟୋର ଦ୍ୱାରା ୨୦୧୮ରୁ ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ବିକ୍ରି କରାଯାଇଥିଲା। ୩ କେଜି ଓଜନ ବିଶିଷ୍ଟ ଏହି କମ୍ବଳ ୬୦ ଇଞ୍ଚ ଲମ୍ବା ଓ ୪୦ ଇଞ୍ଚ ଓସାରିଆ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.