ତନୁଶ୍ରୀ ଦତ୍ତ କହିଲେ ତାଙ୍କ ପାଇଁ ବିଗ୍‌ବସ୍ ଘର ସ୍ବର୍ଗ ନୁହେଁ କି ସଲମାନ ଖାନ୍ ଭଗବାନ ନୁହଁନ୍ତି

Published By : Prameya-News7 Bureau | October 08, 2018 IST

ମୁମ୍ବାଇ ୮|୧୦:  ଗତ କିଛିଦିନ ହେବ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବଂ ନାନା ପାଟେକରଙ୍କ ମଧ୍ୟରେ ବିବାଦ ଲାଗିରହିଛି । ତନୁଶ୍ରୀ ଏହା ପବ୍ଲିସିଟି ପାଇଁ କରୁଛନ୍ତି ବୋଲି କିଛିଦିନ ତଳେ ରାକ୍ଷୀ ସାଓ୍ବନ୍ତ କହିଥିଲେ । ରାକ୍ଷୀ କହିଥିଲେ ଯେ ତନୁଶ୍ରୀ ଏସବୁ ବିଗବସ ସିଜିନ ୧୨ର ଘରେ ଏଣ୍ଟ୍ରି କରିବାକୁ କରୁଛନ୍ତି । ରାକ୍ଷୀଙ୍କ ଏଭଳି ମନ୍ତବ୍ୟର ପ୍ରତିକ୍ରିୟା ରଖିଛନ୍ତି ତନୁଶ୍ରୀ । ଏକ ସାକ୍ଷାତକାରରେ ତନୁଶ୍ରୀ କହିଛନ୍ତି ଏହା ଭାବିବା ଭୁଲ ହେବ ଯେ ସେ ଏସବୁ ବିଗବସ ଘରେ ଏଣ୍ଟ୍ରି କରିବା ପାଇଁ କରୁଛନ୍ତି । ସେ ଓଲଟା ପ୍ରଶ୍ନ କରିଛନ୍ତି ଯେ, ଆପଣଙ୍କୁ କଣ ଲାଗୁଛି ସଲମାନ ଖାନ୍ ଜଣେ ଭଗବାନ ଏବଂ ବିଗବସ ଘର ସ୍ବର୍ଗ ?  ସେ ଏମିତି କିଛି ଭାବୁନାହାଁନ୍ତି ବୋଲି ତନୁଶ୍ରୀ କହିଛନ୍ତି । ବିଗବସରେ ଯିବା ପାଇଁ ସେ ଏସବୁ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ ତନୁଶ୍ରୀ ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି । ୨୦୦୮ରେ ‘ହର୍ଣ୍ଣ ଓକେ ପ୍ଲିଜ୍’ର ସୁଟିଂ ବେଳେ ନାନା ପାଟେକର ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁବାକୁ ଚେଷ୍ଟା କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ନାନା ପାଟେକରଙ୍କ ତରଫରୁ ନୋଟିସ୍ ପାଇବା ପରେ ତନୁଶ୍ରୀ ନାନା ପାଟେକରଙ୍କ ବିରୋଧରେ ଓସିଓ୍ବାରା ପୋଲିସ ଷ୍ଟେସନରେ ଏତଲା ଦାୟର କରିଛନ୍ତି । ତନୁଶ୍ରୀଙ୍କ ଏତଲା ପରେ ନାନାଙ୍କ ପାଇଁ ସମସ୍ୟା ଉପୁଜିପାରେ ବୋଲି ଚର୍ଚ୍ଚା ହେଉଛି । ପୋଲିସ କହିଛି ଯେ ପ୍ରଥମେ ୧୦ବର୍ଷ ପୁରୁଣା ଏହି ମାମଲାର ତଥ୍ୟର ଯାଞ୍ଚ କରାଯିବ । ତାପରେ ହିଁ କୌଣସି ପଦକ୍ଷେପ ନିଆଯାଇପାରିବ । ତନୁଶ୍ରୀ ତାଙ୍କ ଏତଲାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ କୋରିଅଗ୍ରାଫରଙ୍କ ନାଁ ମଧ୍ୟ ନେଇଛନ୍ତି । ଅନ୍ୟପଟେ ତନୁଶ୍ରୀ ମିଛ କହୁଥିବା କହିଛନ୍ତି ନାନା ପାଟେକର । ଯାହା ମିଥ୍ୟା ତାହା ମିଥ୍ୟା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.