ରାଜ୍ ଠାକ୍‌ରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନାକୁ ଅଲ୍‌କାଏଦା ସହ ତୁଳନା କଲେ ତନୁଶ୍ରୀ ଦତ୍ତ

Published By : Prameya-News7 Bureau | October 03, 2018 IST

ମୁମ୍ବାଇ ୩|୧୦: ୨୦୦୮ ମସିହାରେ ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମର ସୁଟିଂ ସେଟ୍ ରେ ନାନା ପାଟେକରଙ୍କ ଦ୍ବାରା ଅସଦାଚରଣର ଶୀକାର ହୋଇଥିବା ଅଭିଯୋଗ କରିଆସୁଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ରାଜନୈତିକ ଦଳକୁ ଟାର୍ଗେଟ୍ କରିଛନ୍ତି । ମହାରାଷ୍ଟ୍ରର ରାଜ୍ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା ଅଲକାଏଦା ଏବଂ ଆତଙ୍କବାଦୀ ସଂସ୍ଥା ଆଇଏସଆଇଏସଠାରୁ ଆହୁରି ଭୟଙ୍କର ବୋଲି କହିଛନ୍ତି । ମହାରାଷ୍ଟ୍ର ନବନିର୍ମାଣ ସେନାର ବିଚାରଧାରା ହିଂସା, ସାଂପ୍ରଦାୟିକତା ଏବଂ ଅସହିଷ୍ଣୁତା ବୋଲି ତନୁଶ୍ରୀ କହିଛନ୍ତି । ନାନା ପାଟେକରଙ୍କ ସଂପର୍କରେ ସେ ବୟାନ ଦେଲା ପରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ତନୁଶ୍ରୀ ଦତ୍ତଙ୍କ କାର ଉପରେ କିଛି ଉତ୍ତ୍ୟକ୍ତ ଲୋକ ଆକ୍ରମଣ କରୁଛନ୍ତି । ତନୁଶ୍ରୀ ଦତ୍ତ କାର୍ ମଧ୍ୟରେ ଏକାକୀ ଅସହାୟ ଭାବେ ବସିଛନ୍ତି । ସେଠାରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ଏହି ଆକ୍ରମଣକାରୀମାନେ ରାଜ୍ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନାର ଲୋକ ବୋଲି ତନୁଶ୍ରୀ ଅଭିଯୋଗ କରିବା ସହ ନାନା ପାଟେକରଙ୍କ ନିର୍ଦ୍ଦେଶରେ ଏସବୁ ଘଟିଥିଲା ବୋଲି କହିଛନ୍ତି । ଏହି ଫିଲ୍ମ ସୁଟିଂ ବେଳେ ନାନା ପାଟେକର ତାଙ୍କ ସହ ଅସଦାଚରଣ କରିବା ଯୋଗୁଁ ସେ ଏହି ଫିଲ୍ମ ଛାଡି ଦେଇଥିଲେ । ଫଳରେ ନାନା ପାଟେକର ଏଭଳି କାଣ୍ଡ ଘଟାଇଥିଲେ ବୋଲି ସିଧାସଳଖ କହିଛନ୍ତି । ସେ କିଛି ଉସୁକାଇଲା ଭଳି କାର୍ଯ୍ୟ କରିଥିବାରୁ ଲୋକମାନେ ଉତ୍ତ୍ୟକ୍ତ ହୋଇ ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ଏବେ ମିଛ ପ୍ରଚାର କରାଯାଉଛି  ବୋଲି ତନୁଶ୍ରୀ କହିଛନ୍ତି । ନାନା ପାଟେକର, ସେହି ଫିଲ୍ମର କୋରିଅଗ୍ରାଫର ଗଣେଶ ଆଚାର୍ଯ୍ୟ, ନିର୍ଦ୍ଦେଶକ ରାକେଶ ସାରଂକ ଏବଂ ପ୍ରଯୋଜକ ସାମି ସିଦକୀ ଏବଂ ମହାରାଷ୍ଟ୍ର ନବ ନିର୍ମାଣ ସେନା ଏହି ମିଥ୍ୟା ପ୍ରଚାରରେ ଲାଗିଛି ବୋଲି ମଧ୍ୟ ତନୁଶ୍ରୀ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଏକ ମନୋରଞ୍ଜନ ଧର୍ମୀ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ତନୁଶ୍ରୀ କହିଥିଲେ ଯେ, ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମର ସୁଟିଂ ବେଳେ ତାଙ୍କ ସହ ଅସଦାଚରଣ ହୋଇଥିଲା । ଗୋଟିଏ ଦୃଶ୍ୟର ସୁଟିଂ ଚାଲିଥିବାବେଳେ ଅଭିନେତା ନାନା ପାଟେକର ତାଙ୍କ ସହ ଅସଦାଚାରଣ କରିଥିଲେ । ନାନା ପାଟେକର ଏହି ଡ୍ୟାନ୍ସ ସିନ୍ ସୁଟିଂ ବେଳେ ତାଙ୍କୁ ଅଯଥା ଟଣାଓଟଣା କରିଥିଲେ । ଏ ସଂପର୍କରେ ସେ ପ୍ରଡ୍ୟୁସର ଏବଂ ଡାଇରେକ୍ଟରଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ତାଙ୍କ ଅଭିଯୋଗ ଶୁଣିବା ବଦଳରେ ଡ୍ୟାନ୍ସ ମଧ୍ୟରେ ପୁଣି ଏକ ଅନ୍ତରଙ୍ଗ ମୁହୁର୍ତ୍ତର ସିନ୍ ରଖିବାକୁ ନାନା ଦାବି କରିଥିଲେ ବୋଲି ତନୁଶ୍ରୀ ଅଭିଯୋଗ କରିଥିଲେ । ନାନା ପାଟେକରଙ୍କ ଯୋଗୁଁ ତାଙ୍କ ଫିଲ୍ମ କ୍ୟାରିୟର ବରବାଦ ହୋଇଛି । ତେଣୁ ନାନା ପାଟେକରଙ୍କୁ ସେ ଛାଡିବେ ନାହିଁ ବୋଲି ମଧ୍ୟ ତନୁଶ୍ରୀ କହିଛନ୍ତି । ଅପରପକ୍ଷରେ ତନୁଶ୍ରୀଙ୍କ ଏହି ବକ୍ତବ୍ୟ ପରିପ୍ରେକ୍ଷୀରେ ନାନା ପାଟେକରଙ୍କ ଓକିଲ ତନୁଶ୍ରୀଙ୍କ ନିକଟକୁ ଏକ ଲିଗାଲ ନୋଟିସ୍ ପଠାଇଛନ୍ତି । ଏଥିରେ ସର୍ବସାଧାରଣରେ କ୍ଷମା ମାଗିବା ପାଇଁ ତନୁଶ୍ରୀଙ୍କୁ କୁହାଯାଇଛି । କ୍ଷମା ମାଗିଲେ ତନୁଶ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯିବ ବୋଲି ସୂଚାଇ  ଦିଆଯାଇଛି । ତନୁଶ୍ରୀ ଦତ୍ତ ଦଶ ବର୍ଷ ତଳର ଘଟଣା ଏବେ ଲୋକଲୋଚନକୁ ଆଣିବା ପରେ ତାଙ୍କ ସପକ୍ଷରେ ଫରହାନ ଅଖତର, ପ୍ରିୟଙ୍କା ଚୋପଡା, ବଂସଲ ମେହେତା, ଟ୍ବିକଲ ଖାନ୍ନା, ରବନା ଟଣ୍ଡନ, ବରୁଣ ଧାଓ୍ବନ ଆଦି ବହୁ ଅଭିନେତା ଅଭିନେତ୍ରୀ ମୁହଁ ଖୋଲିଛନ୍ତି । ଅପରପକ୍ଷରେ ଅମିତାଭ ବଚ୍ଚନ ଏବଂ ଅମୀର ଖାନ୍ଙ୍କ ଭଳି ଅଭିନେତା ବିବାଦରୁ ନିଜକୁ ଦୂରେଇ ରଖିବାକୁ ଚାହିଁଛନ୍ତି । ଫଳରେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ସମାଲୋଚନା କରିବାକୁ ତନୁଶ୍ରୀ ପଛାଇ ନାହାଁନ୍ତି । ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ କିନ୍ତୁ ତନୁଶ୍ରୀଙ୍କୁ ବିରୋଧ କରିଛନ୍ତି । ତନୁଶ୍ରୀ ସୁଟିଂ ସେଟ୍ ରେ ଡ୍ରଗ୍ସ ଖାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ବେହୋସ ରହୁଥିଲେ ବୋଲି ରାକ୍ଷୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.