ଆସିଲା ତନୁଜାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ମିଳିଲା ବି ସିସିଟିଭି ଫୁଟେଜ : ଜାଣନ୍ତୁ ପାର୍କିଂ ହୋଇଥିବା ଟାଟା ସଫାରୀ ଭିତରୁ ମହିଳାଙ୍କ ମୃତ ଦେହ ମିଳିବା ଘଟଣା ପଛର ରହସ୍ୟ
Published By : Prameya-News7 Bureau | October 03, 2018 IST

ଭୁବନେଶ୍ୱର ୧/୧୦ : ସାମନ୍ତରାପୁର ହନୁମାନ ମନ୍ଦିର ନିକଟରୁ ଟାଟା ସଫରି ଗାଡି ଭିତରୁ ମିଳିଥିବା ମହିଳାଙ୍କ ମୃତଦେହ ଘଟଣାରେ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି | ମହିଳାଙ୍କ ତନୁଜା ଆଇଚଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ତେବେ ଗାଡି ପାର୍କିଂ ହୋଇଥିବା ଅଂଚଳର ବିଭିନ୍ନ ଦେକାନରୁ ପୋଲିସ ସଂଗ୍ରହ କରିଥିବା ସିସିଟିଭି ଫୁଟେଜ ହିଁ ପୋଲିସ ପାଇଁ ଏବେ ତଦନ୍ତରେ ସହାୟକ ହେବ ବୋଲି କୁହାଯାଉଛି।ସିସିଟିଭି ଫୁଟେଜରୁ ଲାଗୁଛି ଯେ, ମହିଳାଙ୍କୁ ପ୍ରଥମେ ହତ୍ୟାକରି ଗାଡିରେ ରଖାଯାଇଥିଲା ଓ ଏହାକୁ ଦୁର୍ଘଟଣାର ରୂପ ଦେବାକୁ କେବଳ ଉଦ୍ୟମ ହୋଇଛି ।
[gallery ids="47178"]
ଏହି ସିସିଟିଭି ଫୁଟେଜକୁ ଦେଖନ୍ତୁ । ଏ ଯେଉଁ ବ୍ୟକ୍ତିଜଣକ ସୁଟ୍କେଶ ଓ ଶିଶୁପୁତ୍ରକୁ ନେଇ ରାସ୍ତା ପାର ହେଉଛନ୍ତି ସେ ହିଁ ଏ ଘଟଣାର ମୁଖ୍ୟ ଖଳ ନାୟକ ବୋଲି କୁହାଯାଇପାରେ । https://www.youtube.com/watch?v=rnbpjafwUp0
ସୂଚନାଯୋଗ୍ୟ ଯେ, ଗତ ୧ତାରିଖ ଦିନ ସକାଳୁ ସାମନ୍ତରାପୁର ହନୁମାନ ମନ୍ଦିର ନିକଟରେ ପାର୍କିଂ ହୋଇଥିବା ଟାଟା ସଫରି ଗାଡି ଭିତରୁ ତନୁଜା ଆଇଚ ନାମକ ଜଣେ ମହିଳାଙ୍କ ଶବ ପୋଲିସ ଉଦ୍ଧାର କରିଥିଲା । ପାର୍କିଂ ହୋଇଥିବା ଟାଟା ସଫାରୀଟି ଦୁର୍ଘଟଣାଗ୍ରସ୍ତ ବୋଲି ମଧ୍ୟ ଜଣାପଡୁଥିଲା । କିନ୍ତୁ ମହିଳାଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁଁ ନୁହେଁ ବରଂ ଅନ୍ୟ କୌଣସି କାରଣରୁ ହୋଇଛି ବୋଲି ପୋଲିସ ସଂଦେହ କରୁଛି । ଏପରିକି ମୃତ ମହିଳାଙ୍କ ପରିବାର ମଧ୍ୟ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ମୃତ ମହିଳାଙ୍କ ସ୍ବାମୀଙ୍କ ନାଁ ସଂଗ୍ରାମ ଆଇଚ ଏବଂ ତାଙ୍କର ୬ ବର୍ଷର ଏକ ଶୁଶୁପୁତ୍ର ଅଛି । କିନ୍ତୁ ଗତ କିଛିଦିନ ହେଲା ସ୍ବାମୀଙ୍କ ସହ ମୃତ ତନୁଜାଙ୍କ ପଡୁନଥିଲା । ବିବାହ ବିଚ୍ଛେଦ ପାଇଁ କଥାବର୍ତ୍ତା ଚାଲିଥିଲା । ଶିଶୁପୁତ୍ରକୁ ନେଇ ସ୍ବାମୀ ସଂଗ୍ରାମ ଆଇଚ ଅନ୍ୟତ୍ର ରହୁଥିଲେ ।କିଛି ଦିନ ହେଲା ତନୁଜା ସାମନ୍ତରାପୁର ଅଂଚଳରେ ଥିବା ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ | ତାଙ୍କ ନିଜ ଘର ଯାଜପୁର ଜିଲ୍ଲା କଟିକଟା |ତେବେ ମୃତ ମହିଳାଙ୍କ ଶବ ମିଳିବ ପରେ ସଂଗ୍ରାମ ଆଇଚ ଏବଂ ୬ ବର୍ଷର ଶିଶୁ ପୁତ୍ରର କୌଣସି ପତ୍ତା ମିଳୁନାହିଁ । ଫଳରେ ଏହି ହତ୍ୟାକାଣ୍ଡ ପଛରେ ସ୍ବାମୀ ସଂଗ୍ରାମ ଆଇଚଙ୍କ ସଂପୃକ୍ତି ଥିବା ପୋଲିସ ସଂଦେହ କରୁଛି। ସୂଚନାଯୋଗ୍ୟ ଯେ, ଲୁଗାପଟା ଓ ପ୍ରସାଧନ ସାମଗ୍ରୀ ଏବଂ ଖଣ୍ଡା ଓ ଲୁହାରଡ ଭଳି ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଥିଲା | ଯେଉଁ ଗାଡି ଭିତରେ ତନୁଜାଙ୍କ ମୃତଦେହ ଥିଲା ତାର ନମ୍ବର ହେଉଛି ଓଆର ୦୨ଏଏମ ୨୬୦୦ | ଏହି ଗାଡିଟି ଏସ ଆର କ୍ୟାରିଅର ନାମକ ଏକ ସଂସ୍ଥାର ବୋଲି ଜଣାପଡିଛି |
[gallery ids="47179"]
ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମ୍ପୃକ୍ତ ଅଂଚଳରୁ ପୋଲିସ ସଂଗ୍ରହ କରିଥିବା ସିସିଟିଭି ଫୁଟେଜରୁ ଅନେକ ସୁରାକ ମିଳୁଛି । ସିସିଟିଭି ଫୁଟେଜକୁ ଯାଂଚ କଲେ ଜଣାପଡୁଛି ସେପଟେମ୍ବର ୩୦ ତାରିଖ ରାତିରେ ଏହି ଟାଟା ସଫରୀଟି ଗୋଟେ ହାଇୱାକୁ ଧକା ଦେଇଥିଲା । ତେବେ ଦୁର୍ଘଟଣା ପରେ ଟାଟା ସଫାରୀଟି ନଅଟକି ଟିକେ ଆଗକୁ ଯାଇଥିଲା ଓ ତାପରେ ୟୁଟର୍ଣ ନେଇ ହନୁମାନ ମନ୍ଦିର ଗଳି ମଧ୍ୟକୁ ପ୍ରବେଶ କରିଥିଲା । ସେଠାରେ ବିଧିବଦ୍ଧଭାବେ ଗାଡିକୁ ପାର୍କିଂ କରିବା ପରେ ଗାଡିଭିତରୁ ଗୋଟିଏ ଛୁଆ ଓ ଗୋଟିଏ ସୁଟକେଶ ଧରି ଜଣେ ବ୍ୟକ୍ତି ବାହାରିଥିଲେ । ସେ ଚାଲିଚାଲି ରାସ୍ତା ପାର ହୋଇ ଆରପଟ ରାସ୍ତାକୁ ଯାଉଥିବା ସିସିଟିଭିରେ କଏଦ ହୋଇଛି । ବ୍ୟକ୍ତିଜଣକ କିଛି ରାସ୍ତା ଯିବାପରେ ଅନ୍ୟ ୩ଜଣଙ୍କ ସହ କିଛି ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିବା ମଧ୍ୟ ଜଣାପଡିଛି। ତେବେ ଏହି ବ୍ୟକ୍ତିଜଣକ କିଏ ତାହା ସ୍ପଷ୍ଟ ହେଉନି ।
ଏହି ସିସିଟିଭି ଫୁଟେଜକୁ ଦେଖିଲେ ଜଣାପଡୁଛି ଯେ, ତନୁଜାଙ୍କୁ ପୂର୍ବରୁ ମାରିଦେଇ ଗାଡିରେ ରଖାଯାଇଥିଲା । ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଟାଟା ସଫାରୀ ଗାଡିଟିକୁ ଜାଣିଶୁଣି ହାଇୱା ସହ ଧକ୍କା କରାଯାଇଥିଲା । ଗାଡିଭିତରେ ମହିଳାଙ୍କ ଶିଶୁପୁତ୍ର ଥିବା ଅନୁମାନ କରାଯାଉଛି । ବ୍ୟକ୍ତିଜଣଙ୍କ ଯେଉଁ ଶୁଶୁପୁତ୍ରକୁ ଗାଡିରୁ ଧରି ଓହ୍ଲାଇଲେ ସେ ମହିଳାଙ୍କ ପୁଅ ହୋଇଥାଇପାରେ ଏବଂ ଯେଉଁ ବ୍ୟକ୍ତ ଗାଡିରୁ ଓହ୍ଲାଇଲେ ସେ ମହିଳାଙ୍କ ସ୍ବାମୀ ସଂଗ୍ରାମ ଆଇଚ ହୋଇଥାଇପାରନ୍ତି ବୋଲି ପୋଲିସ ସଂଦେହ କରୁଛି।