ତାମିଲନାଡୁ ୦୨/୦୯: ବିରିୟାନୀ, ସଭିଁଙ୍କ ପ୍ରିୟ ଖାଦ୍ୟ । ସେ ପିଲାଟିଏ ହେଉ ବା ବୟସ୍କ । ସାରା ଭାରତରେ ବିରିୟାନୀ ପ୍ରେମୀଙ୍କ ଅଭାବ ନାହିଁ । ଏବେ ଲୋକଙ୍କ ଖାଇବା ମେନ୍ୟୁ ପାଲଟିଗଲାଣି । ବେଳେ ବେଳେ କଥା ପ୍ରସଙ୍ଗରେ ବି ଚର୍ଚ୍ଚା ହୁଏ । ଜଣେ ଜଣେ କହିଥାନ୍ତି ଥରକେ ଖାଇଦେବି ଗୋଟିଏ ପ୍ଲେଟ୍ । ଏଠି କିନ୍ତୁ କଥା ଓଲଟା ଦେଖିବାକୁ ମିଳିଛି । ବିରିୟାନୀ ଖାଇବାକୁ ଚାଲିଛି ପ୍ରତିଯୋଗିତା । କାରଣ ଯିଏ ଯେତେ ପ୍ଲେଟ ଚିକେନ ବିରିୟାନୀ ଖାଇବେ ସେତେ ଟଙ୍କା ପାଇବ । ତାମିଲନାଡୁ କୋଏମ୍ୱାଟୁରରେ ଦେଖିବାକୁ ମିଳିଥିଲା ଏମିତି କଣ୍ଟେଷ୍ଟ । ଆଉ ଏମିତି ଅଫର ଦେଉଥିଲା ବୋଚା ଏକ୍ସପ୍ରେସ ହୋଟେଲ ।
କମ୍ପିଟିସନ ପୁରା ତଗଡା । ହୋଟେଲରେ ପୁରା ଖଚାଖଚ୍ ଭିଡ । କାହାରି ହାତକୁ ନାହିଁ ତର । ଜନସମୁଦ୍ର ପାଲଟିଥିଲା କୋଏମ୍ବାଟୁରର ବୋଚା ଏକ୍ସପ୍ରେସ । କାରଣ ଚାଲିଥିଲା ବିରିୟାନୀ ପ୍ରତିଯୋଗିତା । ଏହା ବଦଳରେ ମିଳୁଥିଲା ପୁରସ୍କାର । କହିବାକୁ ଗଲେ ହୋଟେଲ ତରଫରୁ ଘୋଷଣା ହୋଇଥିଲା ଏମିତି କିଛି । ୩୦ ମିନିଟରେ ୬ ପ୍ଲେଟ୍ ବିରିୟାନି ଖାଇଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର । ଏହାସହ ୪ ପ୍ଲେଟ୍ ବିରିୟାନି ଖାଇଲେ ୫୦ ହଜାର ଟଙ୍କା ଯାଏଁ ପୁରସ୍କାର ।
ସେପଟେ ଘୋଷଣା ପରେ ହୋଟେଲରେ ଲାଗିଥିଲା ଲୋକଙ୍କ ଗହଳି । ଲାଇନରେ ବସି ବିରିୟାନି ଖାଇବାକୁ ଲାଗିଥିଲେ ସବୁ । ହୋଟେଲ ତରଫରୁ ଏହାର ଭିଡିଓ କରାଯାଇ ସୋସିଆଲ ମିଡିଆରେ ବି ସେୟାର କରାଯାଇଥିଲା । ତେବେ ଭିଡିଓ ଭାଇରାଲ ହେବା ପରେ ରେଷ୍ଟୁରାଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା କୋଏମ୍ବାଟୁର ପୋଲିସ । ଅଭିଯୋଗ ଥିଲା ଅନଧିକୃତ ବିରିୟାନି ପ୍ରତିଯୋଗିତାର ଆୟୋଜନ ହେତୁ ସ୍ଥାନୀୟ ଅଞ୍ଚଲରେ ହୋଇଥିଲା ଟ୍ରାଫିକ୍ ଜାମ୍ ।
ବିରିୟାନୀ ଖାଅ ପୁରସ୍କାର ନିଅ । ଏଭଳି ପ୍ରତିଯୋଗିତା ନୂଆ ନୁହେଁ । ପୂର୍ବରୁ ପୁନେର ଏକ ହୋଟେଲରେ ବୁଲେଟ୍ ଥାଲି ଖାଇଲେ ପୁରସ୍କାର ସ୍ୱରୂପ ମିଳୁଥିଲା ବୁଲେଟ୍ । ଲୋକେ ବି ପ୍ରବଳ ସଂଖ୍ୟାରେ ଭାଗ ନେଇଥିଲେ ଏଠାରେ । ତେବେ ଏଭଳି କରିବା ପଛର ଉଦ୍ଦେଶ୍ୟ କଣ? ବ୍ୟବସାୟ ନା ଦୃଷ୍ଟି ଆକର୍ଷଣ । ସେ ଯାହା ବି ହେଉନା କାହିଁ, ଲୋକେ କିନ୍ତୁ ପରିସ୍ଥିତିର ଫାଇଦା ଉଠାଇବାରେ ବ୍ୟସ୍ତ ।