ବିଦ୍ୟୁତ ସଂକଟକୁ ମୁହାଁଇଲା ତାମିଲନାଡୁ, ମୁକାବିଲା ଲାଗି ଜଳ ବିଜୁଳି ଓ ଅକ୍ଷୟ ଶକ୍ତି ଉପରେ ଜୋର ଦେଲେ ସରକାର

Published By : Prameya-News7 Bureau | October 08, 2021 IST

ଚେନ୍ନାଇ ୮।୧୦:  ତାମିଲନାଡୁ ସରକାରଙ୍କ ତାପଜ ବିଦ୍ୟୁତ ପ୍ଲାଣ୍ଟ (ଟିଏନଜିଡିସିଏଲ) ବିଦ୍ୟୁତ ଉତ୍ପାଦନ ଲାଗି କୋଇଲା ସଂକଟର ସମ୍ମୁଖୀନ ହୋଇଛି। ଏ ବାବଦେ ନିଗମ କୋଲ ଇଣ୍ଡିଆଙ୍କ ସମେତ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟଙ୍କ ସହ ଯୋଗାଯୋଗ କରିଛନ୍ତି। ହେଲେ କୋଇଲା ଯୋଗାଣ ଏବେ ମଧ୍ୟ ସ୍ୱଭାବିକ ହୋଇ ନାହିଁ। ନିଗମ ନିକଟରେ ଗଚ୍ଛିତ କୋଇଲା ମାତ୍ର ୪ ଦିନ ଲାଗି ବିଦ୍ୟୁତ ଉତ୍ପାଦନ କରିପାରିବ। ସେହି ସମୟ ମଧ୍ୟରେ କୋଇଲା ନ ପହଞ୍ଚିଲେ ଉତ୍ପାଦନ ବନ୍ଦ ହେବା ନିଶ୍ଚିତ ବୋଲି ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

କୋଲ ଇଣ୍ଡିଆଙ୍କୁ ନିମ୍ନମାନର ହେଉ ପଛେ କୋଇଲା ରେକ୍‌ ତୁରନ୍ତ ପଠାଇବାକୁ ନିବେଦନ କରାଯାଇଛି। ହେଲେ ତାଙ୍କ ପକ୍ଷରୁ ସେପରି ସନ୍ତୋଷଜନକ ସୂଚନା ଏପର୍ଯ୍ୟନ୍ତ ମିଳି ନାହିଁ। ଏଣୁ ସରକାରଙ୍କୁ ଉପୁଜିବାକୁ ଯାଉଥିବା ପରିସ୍ଥିତିର ଆଭାସ ମିଳିସାରିଲାଣି। ରାଜ୍ୟର ବିଦ୍ୟୁତ ଆବଶ୍ୟକତା ପୂରଣ ଲାଗି  ଜଳ ବିଦ୍ୟୁତ ପ୍ରକଳ୍ପରୁ ଉତ୍ପାଦନ ବୃଦ୍ଧି କରାଯାଇଥିବା ବେଳେ ସରକାର ଅକ୍ଷଶକ୍ତି ଦୋହନ ମଧ୍ୟ ଆରମ୍ଭ କରିଦେଇଛନ୍ତି।

{"id":524328,"width":840,"height":629,"sizeSlug":"full","linkDestination":"none"}

ଗତ ବୁଧବାର ସୁଦ୍ଧା ରାଜ୍ୟର ଜଳ ବିଦ୍ୟୁତ ଉତ୍ପାଦନ କ୍ଷମତା ୧.୨ କୋଟି ୟୁନିଟ୍‌କୁ ପହଞ୍ଚିଛି। ସେହିପରି ଅକ୍ଷୟ ଶକ୍ତିରୁ ମଧ୍ୟ ଉତ୍ପାଦନ ବଢାଯାଉଥିବା କୁହାଯାଉଛି।  ଟିଏନଜିଡିସିଏଲର ତାମିଲନାଡୁର ମେଟ୍ଟୁର, ଟୁଟିକୋରିନ ସମେତ ଉତ୍ତର ତାମିଲନାଡୁରେ ୫ଟି ତାପଜ ବିଦ୍ୟୁତ ପ୍ରକଳ୍ପ ରହିଛି। ଏହି ସବୁ ପ୍ରକଳ୍ପରୁ ଦୈନିକ ୪ ହଜାର ୩୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଥାଏ।

ତାପଜ ବିଦ୍ୟୁତ ଉତ୍ପାଦନ ଲାଗି କଞ୍ଚାମାଲ କୋଇଲା ଯୋଗାଣ ସୁସଂହତ ରହିବା ମଧ୍ୟ ଦରକାର । ତେବେ ସାରା ବିଶ୍ୱରେ ଏବେ ଶକ୍ତି ସଂକଟର ସମ୍ମୁଖୀନ ହୋଇଥିବା ଥର୍ମାଲ ପ୍ଲାଣ୍ଟମାନେ କୋଇଲା ଉତ୍ପାଦନକାରୀ ଦେଶଙ୍କୁ ବୋହିବାରେ ଲାଗିଛନ୍ତି। ଫଳରେ ତାମିଲନାଡୁ ଲାଗି ସଂକଟ ଦେଖା ଦେଇଛି। ୪ ହଜାର ୩୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ନିମନ୍ତେ ଦୈନିକ ୬୨ ହଜାର ଟନ କୋଇଲା ଆବଶ୍ୟକ। ଏବେ ସର୍ବଶେଷ ଷ୍ଟକ୍ ୧.୯୨ ଲକ୍ଷ ଟନ ରହିଛି। ଯାହା ଅତି ବେଶି ହେଲେ ୪ ଦିନ ବିଦ୍ୟୁତ ଉତ୍ପାଦନରେ ସହାୟକ ହୋଇପାରେ ବୋଲି ଅଧିକାରୀ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.