ଏହି ରାଜ୍ୟ ଲକ୍ଡାଉନ୍ରେ ଦେଲା କୋହଳ, ମେ ୧୧ରୁ ଖୋଲିବ ଚା ଦୋକାନ
9/05/2020 at 9:24 PM

ଚେନ୍ନାଇ ୦୯।୦୫: ତାମିଲନାଡୁ ସରକାର ଅଣ ନିଷିଦ୍ଧ କ୍ଷେତ୍ରରେ ଲକ୍ଡାଉନ୍ରେ ଆହୁରି କୋହଳ କରି ଶନିବାରଠୁ ଘରୋଇ କମ୍ପାନୀକୁ ୩୩ ପ୍ରତିଶତ କର୍ମଚାରୀଙ୍କ ସହିତ କାମ କରିବାକୁ ଅନୁମତି ଦେଇଛି। ଏହା ସହିତ ସରକାର ମେ ୧୧ରୁ ଚା ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି।
ସରକାର ସୋମବାର ପୂରା ତାମିଲନାଡୁରେ କିରାନା ଓ ପନିପରିବା ଦୋକାନ ଖୋଲା ରଖିବାର ସମୟ ସନ୍ଧ୍ୟା ୫ଟାରୁ ବଢାଇ ୭ଟା ପର୍ଯ୍ୟନ୍ତ କରିଛନ୍ତି। ଏହିସବୁ ଦୋକାନ ସକାଳ ୬ଟାରୁ ଖୋଲିବ। ସରକାରୀ ବିଜ୍ଞପ୍ତିରେ କୁହାଯାଇଛି, ଚେନ୍ନାଇରେ ଆଖପାଖ ଦୋକାନ ଓ ଏକକ ଦୋକାନ ସକାଳ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲି ପାରିବେ। ଏ ପର୍ଯ୍ୟନ୍ତ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆଯାଇଥିଲା।
ରାଜ୍ୟର ଅନ୍ୟ ଅଞ୍ଚଳରେ ଏହି ପ୍ରକାରର ଦୋକାନ ଖୋଲିବାର ସମୟ ସକାଳ ୧୦ଟା ଏବଂ ବନ୍ଦ କରିବାର ସମୟ ସନ୍ଧ୍ୟା ୭ଟା କରାଯାଇଛି। ଏହା ବ୍ୟତୀତ ଅନେକ ପ୍ରକାରର କୋହଳ ମଧ୍ୟ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ତାମିଲନାଡୁରେ ଶନିବାର କରୋନା ଭୂତାଣୁ ସଂକ୍ରମଣରେ ଆଉ ଚାରି ଜଣ ପ୍ରାଣ ହରାଇଛନ୍ତି। ୫୨୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୩୫ ରହିଛି। ରାଜ୍ୟରେ ମୃତକଙ୍କ ସଂଖ୍ୟା ୪୪କୁ ବୃଦ୍ଧି ଘଟିଛି।