ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | August 07, 2018 IST

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ କରୁଣାନିଧିଙ୍କ ସ୍ଵାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ହସ୍ପିଟାଲ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଆଗାମୀ ୨୪ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। କାବେରୀ ହସ୍ପିଟାଲ ପକ୍ଷରୁ ଜାରି ମେଡିକାଲ ବୁଲେଟିନରେ କୁହାଯାଇଛି ଯେ କରୁଣାନିଧିଙ୍କ ସ୍ଥିତି ଏବେ ମଧ୍ୟ ଗୁରୁତର ରହିଛି। ଜୁଲାଇ ୨୯ରୁ ଆଇସିୟୁ(ଇଣ୍ଟେନସିଭ କେୟାର ୟୁନିଟ୍)ରେ ଭର୍ତ୍ତି କରାଯାଇ କରୁଣାଙ୍କ ଚିକିତ୍ସା ଜାରି ରହିଛି। ହସ୍ପିଟାଲ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ କରୁଣାନିଧିଙ୍କ ବୟସ ହିସାବରେ ତାଙ୍କ ଶରୀରର ସମସ୍ତ ଅଙ୍ଗକୁ ସଠିକ ଭାବେ ସଂଚାଳିତ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ୁଛି। ତାଙ୍କ ଉପରେ କ୍ରମାଗତ ନଜର ରଖାଯାଇଛି। ଚିକିତ୍ସା ସମୟରେ ତାଙ୍କ ସ୍ଵାସ୍ଥ୍ୟର ଗତିବିଧି ଅନୁସାରେ କେଉଁ ପ୍ରକାର ଉପଚାର କରାଯିବ ତାହା ସ୍ଥିର ହେବ। ଚିକିତ୍ସାଧୀନ ଥିବା ଡିଏମ୍କେ ମୁଖ୍ୟ ଏମ୍ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ସୋମବାର ସନ୍ଧ୍ୟାରେ ସ୍ଥାନୀୟ କାବେରୀ ହସ୍ପିଟାଲରୁ ଜାରି ଖବର ଅନୁଯାୟୀ କରୁଣାନିଧିଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ସକ୍ରିୟ ରଖିବା କଷ୍ଟକର ହୋଇପଡିଛି। ବୟସାଧିକ କାରଣରୁ ଶରୀରରେ ଜଟିଳ ସମସ୍ୟା ଦେଖାଯାଇଥିବା ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ଅରବିନ୍ଦନ ସେଲଭାରାଜ କହିଛନ୍ତି। ତାଙ୍କୁ ଏବେ ଅତ୍ୟାଧୁନିକ ଡାକ୍ତରୀ ଯନ୍ତ୍ରପାତି ମାଧ୍ୟମରେ ଚିକିତ୍ସା କରାଯାଉଛି। ଏହା ସହିତ ନିୟମିତ ଅନୁଧ୍ୟାନରେ ରଖାଯାଇଛି। ଆଗାମୀ ୨୪ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଆଜି ସକାଳୁ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଆରମ୍ଭ ହୋଇଥିଲା। ଏହି ଖବର ପ୍ରଚାର ହେବା ପରେ ଡାକ୍ତରଖାନା ବାହାରେ ଲୋକଙ୍କ ଭିଡ ଜମିଛି। କରୁଣାନିଧିଙ୍କ ପତ୍ନୀ ଦୟାଲୁ ଆମ୍ମାଲ ମଧ୍ୟ ହସ୍ପିଟାଲ ଯାଇଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧି ଜୁଲାଇ ୨୮ରେ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ହସ୍ପିଟାଲ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଆରୋଗ୍ୟ କାମନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.