ତାମିଲନାଡୁ ବିଜେପିର ରାମ ଓ ଭାରତମାତାକୁ ଗ୍ରହଣ କରିବ ନାହିଁ: ଡିଏମ୍‌କେ ନେତା ଏ ରାଜା

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ: ବିବାଦୀୟ ଭାଷଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଡିଏମ୍‌କେ ସାଂସଦ ଏ ରାଜା ମଙ୍ଗଳବାର ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ତାମିଲନାଜୁ ବିଜେପିର ଜୟ ଶ୍ରୀ ରାମ ଓ ଭାରତ ମାତାର ଆଦର୍ଶକୁ ଗ୍ରହଣ କରିବ ନାହିଁ ବୋଲି ଏ ରାଜା କହିଛନ୍ତି। ଯାହାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ବିଜେପି ମଧ୍ୟ ଡିଏମ୍‌କେକୁ କଟାକ୍ଷ କରି କହିଛି ଯେ ଦଳ ସବୁବେଳେ ହିଂସା ଉଦ୍ରେକକାରୀ ଭାଷଣ ଦେଉଛି।

ମଦୁରାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜା କହିଛନ୍ତି “ତାଙ୍କର(ବିଜେପି) ର ସ୍ପଷ୍ଟୀକରଣ ଆଧାରରେ ଯଦି ଆପଣମାନେ ଏହାକୁ ଠାକୁର କହୁଛନ୍ତି ଜୟ ଶ୍ରୀ ରାମ କହୁଛନ୍ତି ଭାରତ ମାତାକି ଜୟ କହୁଛନ୍ତି ତେବେ ତାମିଲନାଡୁ ବିଜେପିର ଭାରତ ମାତା ଓ ଜୟଶ୍ରୀରାମକୁ ଗ୍ରହଣ କରିବ ନାହିଁ।”

ରାଜା ଆହୁରି କହିଛନ୍ତି “ ରାମଙ୍କ ଶତ୍ରୁ କିଏ ? ରାମ ସୀତାଙ୍କ ସହ ଜଙ୍ଗଲକୁ ଯାଇଥିଲେ। ସେ ଜଣେ ଶିକାରୀକୁ ଗ୍ରହଣ କରିଥିଲେ, ସୁଗ୍ରୀମ ଏବଂ ବିଭୀଷଣଙ୍କୁ ଭାଇ ବୋଲି ସ୍ୱୀକାର କରିଥିଲେ। ସେଠି ତ କୌଣସି ପନ୍ଥ ଓ ଜାତି ନଥିଲା। ମୁଁ ରାମାୟଣ ଜାଣି ନାହିଁ କି ରାମ ଜାଣି ନାହିଁ। ମୁଁ ଏଥିରେ ବିଶ୍ୱାସ ବି କରେନି। ”

ସେହିଭଳି ଦେଶ ବିଷୟରେ ବି ସେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏ ରାଜା କହିଛନ୍ତି “ ଭାରତ ଗୋଟେ ଦେଶ ନୁହେଁ, ଗୋଟେ ଉପମହାଦ୍ୱୀପ। ଗୋଟିଏ ଦେଶ ମାନେ ଗୋଟିଏ ଭାଷା, ଗୋଟି ପରମ୍ପରା ଓ ଗୋଟିଏ ସଂସ୍କୃତି। ଭାରତ ଗୋଟେ ଦେଶ ନୁହେଁ ଗୋଟେ ଉପମହାଦ୍ୱୀପ। ଯଦି ଜଣେ ଗୋମାଂସ ଖାଉଛି ତେବେ ଏହାକୁ ଗ୍ରହଣ କରିବା ଉଚିତ୍। ଯଦି ମଣିପୁରରେ ଜଣେ କୁକୁର ମାଂସ ଖାଉଛି ଏହା ତାଙ୍କର ପରମ୍ପରା। ଏଥିରେ ଆପଣଙ୍କ(ବିଜେପି)ର ସମସ୍ୟା କଣ? କ’ଣ ସେମାନେ ଆପଣଙ୍କୁ ଖାଇବାକୁ ବାଧ୍ୟ କରୁଛନ୍ତି ?”

ପଢ଼ନ୍ତୁ-ଡିକେ ଶିବକୁମାରଙ୍କୁ ବଡ଼ ଆଶ୍ଵସ୍ତି, ସୁପ୍ରିମକୋର୍ଟ ଖାରଜ କଲେ ମନି ଲଣ୍ଡ୍ରିଂ କେସ୍

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି ଏ ରାଜା କହିଛନ୍ତି “ପ୍ରଧାନମନ୍ତ୍ରୀ କହୁଛନ୍ତି ଲୋକସଭା ନିର୍ବାଚନ ସରିବା ପରେ ଡିଏମ୍‌କେ ରହିବ ନାହିଁ। ଯଦି ଡିଏମ୍‌କେ ରହିବ ନାହିଁ ତେବେ ଭାରତ ରହିବ ନାହିଁ। ସେମାନେ ସମ୍ବିଧାନକୁ ଫିଙ୍ଗି ଦେବାକୁ ଚାହୁଁଛନ୍ତି। ମୁଁ କାହିଁକି କହୁଛି ଭାରତ ରହିବ ନାହିଁ ବୋଲି ? କାରଣ ଯଦି ଆପଣ ପୁଣିଥରେ କ୍ଷମତାକୁ ଆସିବେ ତେବେ ସମ୍ବିଧାନ ଆଉ ରହିବ ନାହିଁ। ଆଉ ଯଦି ସମ୍ବିଧାନ ରହିବ ନାହିଁ ତେବେ ଭାରତ ବି ରହିବ ନାହିଁ। ତାମିଲନାଡୁ ତାମିଲନାଡୁ ହେଇ ରହିବ ନାହିଁ। ଆମେ ଅଲଗା ହୋଇଯିବୁ। କଣ ଭାରତ ଏହା ଚାହେଁ?”

ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ।  ଭଗବାନ ରାମଙ୍କ ବିରୋଧରେ ମନ୍ତବ୍ୟ ଦେଇ ଏ ରାଜା ଦେଶକୁ ବିଭାଜନ କରିବାକୁ ଚାହୁଁଛନ୍ତି ବୋଲି ମାଲବ୍ୟ ଅଭିଯୋଗ କରିଛନ୍ତି। ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି “ ଡିଏମ୍‌କେ ନେତାଙ୍କ ପକ୍ଷରୁ ହିଂସକ ଭାଷଣ ଜାରି ରହିଛି। ଉଦୟନିଧି ଷ୍ଟାଲିନ ସନାତନ ଧର୍ମର ଅପମାନ କରିବା ପରେ ଏ ରାଜା ଏବେ ଦେଶକୁ ରାଜନୈତିକ ଟୁକୁଡ଼ିରେ ବାଣ୍ଟିବାକୁ ଚାହୁଁଛନ୍ତି। ଭଗବାନ ରାମଙ୍କୁ ଅପମାନ କରୁଛନ୍ତି। ମଣିପୁର ସଂସ୍କୃତି ଉପରେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି ଓ ଭାରତ ଦେଶ ହେବା ଉପରେ ପ୍ରଶ୍ନ ଉଠାଉଛନ୍ତି।” ଏ ରାଜାଙ୍କର ଭିଡିଓ ପୋଷ୍ଟ କରିବା ସହ ମାଲବ୍ୟ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.