ନୂଆଦିଲ୍ଲୀ, ୨୯/୦୬: ତାମିଲନାଡୁ ଏମକେ ଷ୍ଟାଲିନ ସରକାରଙ୍କ ମନ୍ତ୍ରୀ ଥିରୁ ଭି. ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର। ଗୁରୁବାର ତାମିଲନାଡୁ ରାଜ୍ୟପାଳ ଆରଏନ ରବି, ସେନ୍ଥିଲ ବାଲାଜୀଙ୍କୁ ମନ୍ତ୍ରିପରିଷଦରୁ ବରଖାସ୍ତ କରିଛନ୍ତି। ମନିଲଣ୍ଡ୍ରିଂ ଏବଂ ଦୁର୍ନୀତି ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟପାଳ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସେନ୍ଥିଲ ବାଲାଜୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଜାରି ରହିଥିବା ଏକ ଅପରାଧିକ ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି।
ତେବେ ବହିଷ୍କାରକୁ ନେଇ ତାମିଲନାଡୁ ରାଜଭବନ ତରଫରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ‘‘ଚାକିରି ବଦଳରେ ଟଙ୍କା ନେବା, ମନିଲଣ୍ଡ୍ରିଂ ସହ ଦୁର୍ନୀତିର ଅନେକ ମାମଲାରେ ଗୁରୁତର ଅପରାଧିକ କାର୍ଯ୍ୟାନୁଷ୍ଠାନର ସାମ୍ନା କରୁଛନ୍ତି। ଏହି ପରିସ୍ଥିତିରେ ରାଜ୍ୟପାଳ ତାଙ୍କୁ ତତ୍କାଳ ପ୍ରଭାବରେ ମନ୍ତ୍ରିପରିଷଦରୁ ବରଖାସ୍ତ କରିଛନ୍ତି।’’
ଆହୁରି ପଢ଼ନ୍ତୁ: ଜୁଲାଇ ୧୨ ପର୍ଯ୍ୟନ୍ତ ବଢ଼ିଲା ସେନ୍ଥିଲ ବାଲାଜିଙ୍କ ହାଜତ ମିଆଦ, ହସ୍ପିଟାଲରୁ ଭିଡିଓ କନଫରେନସିଂରେ କୋର୍ଟରେ ହଜାର ହେଲେ ମନ୍ତ୍ରୀ
ବିବୃତ୍ତିରେ ଆହୁରି କୁହାଯାଇଛି ଯେ, ସେନ୍ଥିଲ ବାଲାଜୀ ଜଣେ ମନ୍ତ୍ରୀ ଭାବରେ ନିଜ ପଦର ଦୁରୂପଯୋଗ କରିବା ସହ ଯାଞ୍ଚକୁ ପ୍ରଭାବିତ କରୁଛନ୍ତି ଏବଂ ଆଇନ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଅଧିନିୟମ ଏବଂ ଆଇପିସି ଅନୁଯାୟୀ କିଛି ଅପରାଧିକ ମାମଲାର ଯାଞ୍ଚ ରାଜ୍ୟ ପୋଲିସ ତରଫରୁ କରାଯାଉଛି। ରାଜଭବନ ତରଫରୁ ଆହୁରି କୁହାଯାଇଛି କି’ ଏଭଳି ଆଶଙ୍କା ରହିଛି ଯେ ମନ୍ତ୍ରିପରିଷଦରେ ବାଲାଜୀ ରହିବା ଯୋଗୁଁ ନିରପେକ୍ଷ ଯାଞ୍ଚରେ ପ୍ରତିକୂଳ ପ୍ରଭାବ ପଡ଼ିବ।
ସୂଚନାଥାଉକି, ଜୁନ ୧୪ରେ ଇଡି ସେନ୍ଥିଲ ବାଲାଜୀଙ୍କୁ ମନିଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ଗିରଫ କରିଥିଲା। ପରେ ଯାଞ୍ଚ ସମୟରେ ଡର ଏବଂ ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବାକୁ ଆଦେଶ ଦେଇଥିଲେ। ଏହାପରେ ତାଙ୍କୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା। ବୁଧବାର ଚେନ୍ନାଇର ଏକ ଅଦାଲତ ବାଲାଜୀଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୧୨ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ମନ୍ତ୍ରୀ ହସ୍ପିଟାଲରୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟ ସମ୍ମୁଖରେ ଉପସ୍ଥିତ ହୋଇଥିଲେ।
ଆହୁରି ପଢ଼ନ୍ତୁ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେନ୍ଥିଲ୍ ବାଲାଜୀଙ୍କୁ ପ୍ରାଇଭେଟ ହସ୍ପିଟାଲ୍କୁ କରାଗଲା ସ୍ଥାନାନ୍ତର