‘ଆତଙ୍କବାଦର ଶାସନ ସ୍ଥାୟୀ ନୁହେଁ’: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟରେ ବିଳି ବିଳେଇଲା ତାଲିବାନ, କହିଲା- ଖୁବଶୀଘ୍ର ଭାରତ ଦେଖିବ…

Published By : Prameya-News7 Bureau | August 26, 2021 IST

କାବୁଲ ୨୬/୦୮: ‘ଆତଙ୍କବାଦର ଶାସନ ସ୍ଥାୟୀ ନୁହେଁ’ ପ୍ରଧାନମନ୍ତ୍ରୀ ମୋଦୀ କହିଥିବା ଏହି ସତ୍ୟ ଏବେ ତାଲିବାନକୁ ପିତା ଲାଗିଛି । ତାଲିବାନର ପ୍ରମୁଖ ନେତା ଶାହବୁଦ୍ଦିନ ଦିଲାଓ୍ବର ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରିବା  ସହ ଦାବି କରିଛନ୍ତି ତାଙ୍କ ସଙ୍ଗଠନ ସଫଳ ହେବ । ପିଏମ ମୋଦୀଙ୍କ ମନ୍ତବ୍ୟକୁ ନେଇ ଦିଲାଓ୍ବର କହିଛନ୍ତି, ଦେଶକୁ ତାଲିବାନ ଭଲ ଭାବେ ଚଲାଇବ । ଏହାକୁ ଭାରତ ଖୁବଶୀଘ୍ର ଦେଖିପାରିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସୋମନାଥ ମନ୍ଦିର ସହ ଜଡ଼ିତ ଅନେକ ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିବା ସମୟରେ ତାଲିବାନ ନାଁ ନନେଇ ଏକଥା କହିଥିଲେ । ସେ କହିଥିଲେ, ‘ଭଗବାନ ସୋମନାଥଙ୍କ ମନ୍ଦିର ଆଜି କେବଳ ଭାରତ ନୁହେଁ ବିଶ୍ବ ପାଇଁ ବିଶ୍ବାସ । ଯେଉଁ ସବୁ ଭାଙ୍ଗିବା ଶକ୍ତି… ଯିଏ ଆତଙ୍କବାଦ ବଳରେ ମଜଭୁତ ସାମର୍ଥ୍ୟ ରଖୁଛନ୍ତି .. ସେମାନେ ହୁଏତ କିଛି ସମୟ ପାଇଁ ଭାରୀ ପଡ଼ିପାରନ୍ତି । କିନ୍ତୁ ତାଙ୍କର ଅସ୍ତିତ୍ବ ସ୍ଥାୟୀ ନୁହେଁ । ସେମାନେ ଅଧିକ ସମୟ ମାନିବତାକୁ ଚପାଇ ପାରିବେ ନାହିଁ।’

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ଆଫଗାନିସ୍ତାନର ସ୍ଥିତି ସହ ଯୋଡ଼ି ଦେଖାଯାଉଛି। ତାଲିବାନ ନେତା ‘ରେଡିଓ ପାକିସ୍ତାନ’କୁ ସାକ୍ଷତକାରରେ ଭାରତକୁ ଚେତାବନୀ ଦେଇ କହିଛନ୍ତି, ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦିଆନଯାଉ। ଏହା ସହ ପାକିସ୍ତାନକୁ ବନ୍ଧୁ ଦେଶ ବୋଲି କହିବା ସହ ୩୦ ଲକ୍ଷରୁ ଅଧିକ ଆଫଗାନ ଲୋକଙ୍କୁ ଶରଣ ଦେଇଥିବା କହି ଧନ୍ୟବାଦ ଦେଇଛନ୍ତି ଦିଲାଓ୍ବର। ତାଲିବାନ ସମସ୍ତ ଦେଶ ସହ ଶାନ୍ତିପୂର୍ଣ୍ଣ ଏବଂ ସମ୍ମାନର ସମ୍ପର୍କ ରଖିବାକୁ ଚାହୁଁଛି ବୋଲି ତାଲିବାନୀ ନେତା ଶାହବୁଦ୍ଦିନ ଦିଲାଓ୍ବର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.