କାବୁଲ ୧୭।୦୮: ଆଫଗାନିସ୍ତାନ ତାଲିବାନର କବଜାକୁ ଆସିବା ପରେ ପାକିସ୍ତାନ ଏଥିପାଇଁ ଗଦ୍ଗଦ୍ ହୋଇ ପଡିଥିଲା ଯେ, ଏବେ ପଡୋଶୀ ଦେଶ ମାଟିର ବ୍ୟବହାର ଭାରତ ବିରୋଧରେ କରି ପାରିବ। ଆଉ ଆତଙ୍କବାଦର ବିସ୍ତାର ଖୋଲାଖୋଲି କରି ପାରିବ। ମାତ୍ର ମଙ୍ଗଳବାର ତାଲିବାନ ଯେଉଁ ପ୍ରତିଶ୍ରୁତି ଦେଇଛି, ତାହା ଭାରତ ପାଇଁ ବଡ ଆଶ୍ଵସ୍ତିକର ବିଷୟ ହୋଇଥିବା ବେଳେ ଅନ୍ୟପଟେ ପାକିସ୍ତାନ ପାଇଁ ଏହା ବଡ ଝଟକା ସଦୃଶ ହୋଇଛି।
ତାଲିବାନ ମୁଖଫାତ୍ର ଜବିହୁଲ୍ଲାହ ମୁଜାହିଦ ମଙ୍ଗଳବାର ଟୋଲୋ ନ୍ୟୁଜ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଅନ୍ୟ କୌଣସି ଦେଶ ବିରୋଧରେ ଆଫାନିସ୍ତାନ ମାଟିର ବ୍ୟବହାର ହେବାକୁ ଦିଆଯିବ ନାହିଁ। ତାଲିବାନ ମୁଖପାତ୍ର ପାକିସ୍ତାନର ଉଦ୍ଦେଶ୍ୟକୁ ଜୋରଦାର ଝଟକା ଦେବାର ସଙ୍କେତ ଦେଇ କହିଛନ୍ତି, ଆମେ ନିଜର ପଡୋଶୀ ଓ ଆଞ୍ଚଳିକ ଦେଶଗୁଡିକୁ ଭରସା ଦେବାକୁ ଚାହୁଁଛି ଯେ, ଆମେ ନିଜ ଦେଶର ମାଟିର ବ୍ୟବହାର ଦୁନିଆର ଅନ୍ୟ କୌଣସି ଦେଶ ବିରୋଧରେ ହେବାକୁ ଦେବୁ ନାହିଁ। ଆମେ ବିଶ୍ଵ ସମୁଦାୟକୁ ଆଶ୍ଵାସନା ଦେଉଛୁ ଯେ, ଆମ ମାଟିରୁ କାହାରିକୁ କିଛି କ୍ଷତି ହେବ ନାହିଁ ଏବଂ କୌଣସି ପ୍ରକାରର ବିପଦ ରହିବ ନାହିଁ।
ଆଫଗାନିସ୍ତାନକୁ ସଂପୂର୍ଣ୍ଣ ଅକ୍ତିକାର କରିବା ପରେ ତାଲିବାନ ପ୍ରଥମ ଥର ରାଜଧାନୀ କାବୁଲରୁ ପୂରା ଦୁନିଆକୁ ସମ୍ବୋଧିତ କରିଛି। ଅନେକ ଦିନ ପରେ ସାମ୍ନାକୁ ଆସିଥିବା ତାଲିବାନର ରହସ୍ୟମୟ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ଆମେ ସମସ୍ତଙ୍କୁ କ୍ଷମା କରି ଦେଇଛୁ। ଇସଲାମ ଆଧାରରେ ମହିଳାଙ୍କୁ ସେମାନଙ୍କର ଅଧିକାର ପ୍ରଦାନ ପାଇଁ ଆମେ ପ୍ରତିବଦ୍ଧ। କେବଳ ଏତିକି ନୁହେଁ ତାଲିବାନର ମୁଖପାତ୍ର ପ୍ରତିଶ୍ରୁତି ଦେଇଛନ୍ତି ଯେ, ଇସଲାମିକ ଏମିରାଟ୍ସ ଆଫଗାନିସ୍ତାନଠୁ କୌଣସି ଦେଶ ପ୍ରତି ବିପଦ ନାହିଁ।