ଆମେରିକା ଛାଡ଼ିଯାଇଥିବା ହେଲିକପ୍ଟରକୁ ଉଡ଼ାଇବା ବେଳେ ଦୁର୍ଘଟଣା: ୩ ତାଲିବାନୀ ମୃତ, ୫ ଆହତ

Published By : Prameya-News7 Bureau | September 10, 2022 IST

କାବୁଲ: ଆମେରିକା ସେନା ଛାଡ଼ିଯାଇଥିବା ଏକ ବ୍ଲାକ ହକ୍ ହେଲିକପ୍ଟରୁ ଉଡ଼ାଉଥିବା ବେଳେ ଦୁର୍ଘଟଣା। ହେଲିକପ୍ଟର କ୍ରାସ ହେବାରୁ ୩ ତାଲିବାନୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ଏନେଇ ତାଲିବାନ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।  

ଶନିବାର ଆମେରିକାର ବ୍ଲାକ୍‌ ହକ୍ ହେଲିକପ୍ଟରକୁ ତାଲିବାନ ଫାଇଟରମାନେ ଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏନେଇ ପ୍ରତିରକ୍ଷାମନ୍ତ୍ରାଳୟର ପ୍ରବକ୍ତା ଏନାୟତୁଲ୍ଲାହ ଖୋୱାର୍ଜମୀ ସୂଚନା ଦେଇଛନ୍ତି। ସେ କହିଛନ୍ତି “ ଆମେରିକା ହେଲିକପ୍ଟର ବ୍ଲାକ ହକ୍‌ରେ ଟ୍ରେନିଂ ଦିଆଯାଉଥିବା ବେଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ନ୍ୟାସ୍‌ନାଲ ଡିଫେନ୍ସ ୟୁନିଭର୍ସିଟି ଭିତରେ କ୍ରାସ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।”

ସୂଚନା ଥାଉକି, ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିଦେବା ପରେ ଏହାକୁ ଦଖଲ କରିନେଇଥିଲା ତାଲିବାନ। ହେଲେ ଯିବା ବେଳେ ଆମେରିକା ତାର ସମସ୍ତ ଯୁଦ୍ଧ ସାମଗ୍ରୀ ଓ ହେଲିକପ୍ଟରକୁ ନଷ୍ଟ କରିଦେଇଥିଲା। ତେବେ ତାଲିବାନ ଏଗୁଡ଼ିକ ଦଖଲ କରି ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରିଥିଲା। ତେବେ କେତେଟି ହେଲିକପ୍ଟର କାର୍ଯ୍ୟକ୍ଷମ ହୋଇଛି ତଥା ଆମେରିକା କେତେ ଛାଡିଯାଇଥିଲା ସେ ନେଇ କୌଣସି ସଠିକ ସୂଚନା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.