ଆମେରିକାକୁ ଝଟକା: ରାଜିନାମା ପରେ ବି ଆଫଗାନ ସେନା ବିରୋଧରେ ଅପରେସନ କରିବାକୁ ଚେତାବନୀ ଦେଲା ତାଲିବାନ
2/03/2020 at 9:25 PM

କାବୁଲ ୦୨।ମାର୍ଚ୍ଚ- ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ପାଇଁ ପ୍ରୟାସରତ ଆମେରିକାକୁ ପୁଣି ଥରେ ଝଟକା ଲାଗିଛି। ପୁଣି ଥରେ ଆଫଗାନିସ୍ତାନରେ ଅଶାନ୍ତିର ମାହୋଲ ସୃଷ୍ଟି ହେବାର ସମ୍ଭାବନା ବଢି ଯାଇଛି। ତାଲିବାନ ସୋମବାର ଘୋଷଣା କରିଛି ଯେ, ସେମାନେ ଆଂଶିକ ସଂଘର୍ଷ ବିରାମ ସମାପ୍ତ କରିବା ସହିତ ଆଫଗାନ ସୁରକ୍ଷାବଳ ବିରୋଧରେ ପୁଣି ଥରେ ଅପରେସନ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଆଂଶିକ ସଂଘର୍ଷବିରାମର ଘୋଷଣା ଚରମପନ୍ଥୀ ଓ ଓ୍ଵାଶିଂଟନ ମଧ୍ୟରେ ରାଜିନାମାରେ ଦସ୍ତଖତ ହେବା ପୂର୍ବରୁ କରାଯାଇଥିଲା।
ତାଲିବାନର ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ କହିଛନ୍ତି ଯେ, ହିଂସା ହ୍ରାସ କରିବା ସମୟ ସରି ଯାଇଛି ଏବଂ ଏବେ ଆମର ଅଭିଯାନ ସ୍ଵାଭାବିକ ଭାବେ ଜାରି ରହିବ। ଆମେରିକା ଓ ତାଲିବାନ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ, ଆମର ମୁଜାହିଦ୍ଦୀନ ବିଦେଶୀ ସୁରକ୍ଷା ବଳ ଉପରେ ଆକ୍ରମଣ କରିବେ ନାହିଁ। ମାତ୍ର କାବୁଲର ପ୍ରଶାସନ ଅଧିନରେ ଥିବା ସୁରକ୍ଷା ବଳ ବିରୋଧରେ ଆମର ଅଭିଯାନ ଜାରି ରହିବ। ତାଲିବାନର ଏହି ଘୋଷଣା ରାଷ୍ଟ୍ରପତି ଅସରଫ ଗନିଙ୍କ ସେହି ବୟାନର ଗୋଟିଏ ଦିନ ପରେ ଆସିଛି ଯେଉଁଥିରେ ରାଷ୍ଟ୍ରପତି କହିଥିଲେ ଯେ, ସେ ଆଂଶିକ ସଂଘର୍ଷବିରାମକୁ ଅତି କମରେ ସେ ପର୍ଯ୍ୟନ୍ତ ଜାରି ରଖିବେ ଯେ ପର୍ଯ୍ୟନ୍ତ ଆଫଗାନ ଅଧିକାରୀ ଓ ତାଲିବାନ ମଧ୍ୟରେ ଆଲୋଚନା ସମ୍ଭବତଃ ମାର୍ଚ୍ଚ ୧୦ରୁ ଆରମ୍ଭ ନହୋଇଛି।

ଏହା ମଧ୍ୟରେ ପୂର୍ବ ଆଫଗାନିସ୍ତାନରେ ଫୁଟବଲ ମ୍ୟାଚ୍ ସମୟରେ ହୋଇଥିବା ବିସ୍ଫୋରଣରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ତାଲିବାନର ଆଂଶିକ ସଂଘର୍ଷ ବିରାମ ସନ୍ଧି ସମାପ୍ତ କରିବାର ଘୋଷଣା ପରେ ଏହି ବିସ୍ଫୋରଣ ଘଟିଛି। ପୂର୍ବ ଖୋସ୍ତ ପ୍ରାନ୍ତର ପୋଲିସ ପ୍ରମୁଖ ସଇଦ ଅହମ୍ମଦ ବାବାଜଇ କହିଛନ୍ତି, ଫୁଟବଲ ମ୍ୟାଚ୍ ସମୟରେ ମୋଟର ସାଇକେଲରେ ଖଞ୍ଜା ଯାଇଥିବା ବମ ବିସ୍ଫୋରଣ ହୋଇଥିଲା। ଏହି ହମଲା ପାଇଁ ଅଦ୍ୟାବଧି କେହି ନିଜକୁ ଦାୟୀ କରି ନାହାନ୍ତି।