କାବୁଲ ୨୦/୦୯: ତାଲିବାନ ରାଜୁତିରେ ଥର ଥର ସାରା ଦେଶ । ଲୋକଙ୍କ ଜୀବିକା ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ବଞ୍ଚିବ ଦୁର୍ବିସହ ହୋଇପଡିଲାଣି । ସେହି ଭୟରେ ଲୋକେ ଏବେ ଅନ୍ୟ ଦେଶରେ ଶରଣ ନେଉଛନ୍ତି । ଏହାରି ଭିତରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ୮୦ ପ୍ରତିଶତ କର୍ମଚାରୀ ଦେଶ ଛାଡି ଚାଲିଯାଇଥିବା ଜଣାପଡିଛି ।
ଫଳରେ ତାଲିବାନ କୁଟନୈତିକ ମୋର୍ଚ୍ଚାରେ ଆଗକୁ ବଢିବାକୁ ଚାହୁଁଥିଲେ ଏହା ଆଉ ସମ୍ଭବ ନ ହୋଇପାରେ । ଅଧିକାଂଶ ଦୂତାବାସ ସହ ଏବେ ଆଉ ତାଲିବାନର ସମ୍ପର୍କ ନ ଥିବା ଜଣାପଡିଛି । ମନ୍ତ୍ରଣାଳୟର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ଅଧିକାଂଶ କର୍ମଚାରୀ ଚାକିରି ଛାଡି ଦେଇଛନ୍ତି ନଚେତ୍ ଦେଶଛାଡି ଚାଲିଯାଇଛନ୍ତି । ଅନ୍ୟ ଦେଶରେ ଥିବା ଆଫଗାନିସ୍ତାନ ଦୂତାବାସର ଭବିଷ୍ୟତ ମଧ୍ୟ ଅନ୍ଧାର ଦେଖାଯାଉଛି ।
ଏହା ଏକ ଅନିଶ୍ଚିତ ଭବିଷ୍ୟତ ଭିତରକୁ ଚାଲିଯାଇଛି । କେତେ ଗୁଡିଏ ଦୂତାବାସ ତ ଏପର୍ଯ୍ୟନ୍ତ ତାଲିବାନ ସରକାର ସହ କୌଣସି ସମ୍ପର୍କ କରି ନାହାନ୍ତି । ଫ୍ରାନ୍ସ ଓ ଜର୍ମାନୀ ସହିତ ଆଉ କିଛି ଦୂତାବାସରେ ଥିବା କର୍ମଚାରୀ ଓ ରାଜନେତା ସେଠାରେ ଶରଣ ନେବାକୁ ଅନୁରୋଧ କରିଛନ୍ତି ।