ପାକିସ୍ତାନର ଏକ ପୁଲିସ ଷ୍ଟେସନ୍‌କୁ କବ୍ଜା କଲେ ତାଲିବାନ ଫାଇଟର; ପୁଲିସ କର୍ମୀକୁ କଲେ ବନ୍ଦୀ, ଚିନ୍ତାରେ ପାକ୍

Published By : Prameya-News7 Bureau | December 19, 2022 IST

କାବୁଲ: ପାକିସ୍ତାନ ପାଇଁ ଭାଇ ଏବେ ଭଗାରୀ ସାଜୁଛି। ଆଫଗାନିସ୍ତାନ ଉପରେ କବ୍ଜା ପରେ ଯେଉଁ ତାଲିବାନକୁ ପାକିସ୍ତାନ ସମର୍ଥନ କରୁଥିଲା ଏବେ ସେହି ତାଲିବାନ ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସୀମାରେ ଅନେକ ସମୟରେ ତାଲିବାନ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହୁଛି। ଗତକାଲି ତାଲିବାନ ଯୋଦ୍ଧାମାନେ ପାକିସ୍ତାନର ଉତ୍ତରପଶ୍ଚିମାଞ୍ଚଳ ଖାଇବରପଖତୁନଖ୍ୱାର ଏକ ପୁଲିସ୍ ଷ୍ଟେସନ୍‌କୁ ଉପରେ କବ୍ଜା କରି ଲୋକଙ୍କୁ ବନ୍ଦୀ ବନେଇଛନ୍ତି। ପାକିସ୍ତାନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି।

ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସୂଚନା ଦେଇ ପାକିସ୍ତାନ ପୁଲିସ କର୍ମୀ କହିଛନ୍ତି ଯେ ତେହେରିକ ଏ ତାଲିବାନ ପାକିସ୍ତାନ(ଟିଟିପି)ର ଯୋଦ୍ଧାମାନେ ଅଶାନ୍ତ ଅଞ୍ଚଳ ବାନ୍ନୁ କାଣ୍ଟନମେଣ୍ଟରେ ପଶି ସେ ବନ୍ଧୀ ଥିବା ଆତଙ୍କବାଦୀମାନଙ୍କୁ ଥାନାରୁ ଖସାଇ ଦେଇଥିଲେ। ଏହାପରେ ସେମାନେ ପରିସରର ଏକ ଅଂଶକୁ କବ୍ଜା କରି ନେଇ ଆତଙ୍କବାଦ ନିରୋଧୀ ଟିମ୍‌କୁ(ସିଟିଡି) ବନ୍ଧୀ କରିଦେଇଥିଲେ ବୋଲି ବରିଷ୍ଟ ପୁଲିସ ଅଧିକାରୀ ପିଟିଆଇକୁ ସୂଚନା ଦେଇଛନ୍ତି।

ବାନ୍ନୁ ପୁଲିସ ଷ୍ଟେସନ୍‌ରେ ପ୍ରବକ୍ତା ମହମ୍ମଦ ନସୀବ ରଟର୍ସକୁ ସୂଚନା ଦେଇ କହିଛନ୍ତି ଯେ ଥାନା ବାହାରେ ଆତଙ୍କବାଦୀ ଆକ୍ରମଣ ହୋଇଛି କି ନା, ସେମାନେ ଥାନା କର୍ମଚାରୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇଛନ୍ତି କି ନା ତାହା ସ୍ପଷ୍ଟ ହୋଇନାହିଁ। ସେମାନଙ୍କର ଗିରଫ ପରେ ପଚରାଉଚରାରେ ସବୁ କଥା ଜଣା ପଡ଼ିବ ବୋଲି ନସୀବ କହିଛନ୍ତି।  

ତେବେ ଏଭଳି ଖବର ମିଳିବା ପରେ ତୁରନ୍ତ ଘଟଣା ସ୍ଥଳରେ ପାକିସ୍ତାନ ସେନା ଓ ପୁଲିସ ମୁତୟନ କରାଯାଇଛି। ଆତଙ୍କବାଦୀମାନଙ୍କ ସହ ବୁଝମଣା ଚାଲିଛି। ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଇନଫରମେସନ ବାରିଷ୍ଟର ମହମ୍ମଦ ଅଲି ସୈଫ ସୂଚନା ଦେଇଛନ୍ତି। ସିଟିଡି ପରିସରରେ ତାଙ୍କ ପାଖରେ ୯ ପୁଲିସ କର୍ମୀ ବନ୍ଦୀ ଅଛନ୍ତି। ଏବଂ ଆକାଶ ମାର୍ଗରେ ସୁରକ୍ଷିତ ଯିବାକୁ ସେମାନେ ଦାବି କରିଛନ୍ତି।  

ଏହି ଘଟଣା ଘଟିବାର କିଛି ଘଟ୍ଟା ପୂର୍ବରୁ ଲକ୍କା ମାରୱତ୍‌ରେ ୪ ପୁଲିସ କର୍ମୀଙ୍କୁ ହତ୍ୟା କରିଛନ୍ତି ତାଲିବାନ ଆତଙ୍କବାଦୀ। ଓ ଏକାଧିକ ଆହତ ହୋଇଛନ୍ତି। ଗତ ମାସ ଟିଟିପି ପାକିସ୍ତାନ ବିରୋଧରେ ଅସ୍ତ୍ରବିରତ ଉଲ୍ଲଂଘନ ନାରା ଦେଇଥିଲା। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.