ରାକ୍ଷାସଙ୍କ ଠାରୁ ଆହୁରି ନିଷ୍ଠୁର ତାଲିବାନୀ : ମହିଳାଙ୍କୁ ଖାଦ୍ୟ ରାନ୍ଧିବାକୁ ବାଧ୍ୟ କଲେ, ଖାଇବା ଖରାପ ହୋଇଛି କହି ଜୀବନ୍ତ ଜାଳିଦେଲେ

Published By : Prameya-News7 Bureau | August 21, 2021 IST

କାବୁଲ, ୨୧|୦୮:  ଦୁର୍ଦ୍ଦିନରେ ଆଫଗାନିସ୍ତାନର ମହିଳା । ତାଲିବାନ ପାଇଁ କାଠ କଣ୍ଢେଇ ପାଲଟିଛନ୍ତି । କେତେବେଳେ ବାହାର ଦେଶକୁ ଯୌନଦାସୀ ଭାବେ ଚାଲାଣ ହେଉଛନ୍ତି । ପୁଣି କେତେବେଳେ ସାମାନ୍ୟ ଭୁଲ ପାଇଁ ସେମାନଙ୍କୁ ଜାଳି ଦିଆଯାଉଛି । ତାଲିବାନ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ମହିଳା ବିଚାରପତି ।

ପୂର୍ବତନ ମହିଳା ବିଚାରପତି ନାଜିଲା ଆୟୋବି କହିଛନ୍ତି ଯେ, ମହିଳାମାନଙ୍କୁ ତାଲିବାନର ଆତଙ୍କବାଦୀମାନେ ନିଜର ଯୌନାକାଂକ୍ଷା ପୂରଣ ପାଇଁ ବ୍ୟବହାର କରୁଛନ୍ତି । ଆଉ କିଛି ଆତଙ୍କବାଦୀ ମହିଳାଙ୍କୁ କପିନରେ ଭର୍ତ୍ତି କରି ବାହାର ଦେଶକୁ ଚାଲାଣ କରୁଛନ୍ତି । ସେମାନଙ୍କୁ ଯୌନଦାସୀ ଭାବେ ବ୍ୟବହାର କରାଯାଉଛି । ଆହୁରି ମଧ୍ୟ ଦେଶର ଉତ୍ତର ପ୍ରାନ୍ତରେ ଜଣେ ମହିଳା ଠିକ୍ ଭାବେ ରୋଷେଇ କରିପାରିନଥିଲେ । ତେଣୁ ତାଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା ।

ମହିଳା ବିଚାରପତିଜଣଙ୍କ ଆହୁରି କହିଛନ୍ତି ଯେ, କମ ବୟସର ଯୁବତୀମାନଙ୍କୁ ଜବରଦସ୍ତି ବିବାହ ପାଇଁ ବାଧ୍ୟ କରାଯାଉଛି । ଏହାସହ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଛି । ସେମାନଙ୍କୁ ରୋଷେଇ କରିବାକୁ ବାଧ୍ୟ କରାଯାଉଛି । କିଛି ସପ୍ତାହ ହେଲା କମ ବୟସର ଯୁବତୀଙ୍କୁ ବାହାର ଦେଶକୁ ଚାଲାଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ତାଲିବାନ ମହିଳାଙ୍କୁ ସ୍ୱାଧିନତା ଦେବା ସହ କାର୍ଯ୍ୟସ୍ଥଳୀ ଯିବାକୁ ପ୍ରତିଶ୍ରୁତି ଦେଇଥିଲା । ଏବେ ସେସବୁ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଜଣେ ମହିଳା ଆଙ୍କରଙ୍କୁ କିପରି କାମ ବନ୍ଦ କରି ଘରକୁ ଯିବାକୁ ତାଲିବାନ ନିର୍ଦ୍ଦେଶ ଦେଇଥିଲା ସେନେଇ ମଧ୍ୟ ବିଚାରପତିଜଣଙ୍କ ବଖାଣିଛନ୍ତି । ଦିନକୁ ଦିନ ଅତ୍ୟାଚାର ବଢିବାରେ ଲାଗିଛି । ଦୁଇ ଦିନ ତଳେ ଜଣେ ମହିଳା ବୁର୍ଖା ନପିନ୍ଧି ଥିବାରୁ ତାଙ୍କୁ ଗୁଳି କରି ମାରି ଦିଆଯାଇଥିଲା । ଯାହା ବର୍ବରତାର ସମସ୍ତ ସୀମା ଟପିଥିବା ବୋଲି ମହିଳା ବିଚାରପତିଜଣଙ୍କ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.